କନକ ବ୍ୟୁରୋ : ଆଇପିଏଲ ମହାନିଲାମୀ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଆଉ ଏହା ଭିତରେ ଆଜି ମହାନିଲାମୀ ପାଇଁ ଖେଳାଳୀଙ୍କ ତାଲିକା ଜାରି କରାଯାଇଛି । ମୋଟ ୫୯୦ ଜଣ ଖେଳାଳୀଙ୍କ ତାଲିକା ଜାରି କରାଯାଇଛି । ଯେଉଁ ଖେଳାଳୀଙ୍କୁ ନେଇ ଆସନ୍ତା ଫେବ୍ରୁଆରୀ ୧୨ ଓ ୧୩ ତାରିଖରେ ବାଙ୍ଗାଲୋରରେ ମହାନିଲାମୀ ଅନୁଷ୍ଠିତ ହେବ ।

Advertisment

ଚଳିତ ଆଇପିଏଲ ମହାନିଲାମୀରେ ଭାରତର ଅନେକ ଷ୍ଟାର ଖେଳାଳୀ ନିଲାମୀ ପ୍ରକ୍ରିୟାକୁ ଓହ୍ଲାଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ଶ୍ରେୟସ ଆୟର, ଶିଖର ଧୱନ, ଆର. ଅଶ୍ୱିନୀ, ମହମ୍ମଦ ସାମି, ଇଶାନ କିଷାନ, ସୁରେଶ ରୈନା, ସାର୍ଦ୍ଦୁଳ ଠାକୁର, ଦୀପକ ଚହର, ୟୁଜବେନ୍ଦ୍ର ଚହଲଙ୍କ ଭଳି ଖେଳାଳୀ ରହିଛନ୍ତି । ତେବେ ଚଳିତ ଆଇପିଏଲରେ ଡିଭିଲିୟର୍ସ, କ୍ରିସ ଗେଲଙ୍କ ଭଳି ଖେଳାଳୀଙ୍କୁ ଦେଖିବାକୁ ମିଳିବ ନାହିଁ । ଅନ୍ୟପଟେ ବିଦେଶୀ ଖେଳାଳୀ ଭାବେ ଫାପ୍ ଡୁ ପ୍ଲେସିସ, ଡେଭିଡ ୱାର୍ଣ୍ଣର, ପାଟ କମିନ୍ସ, କାଗିସୋ ରବଡା, ଟ୍ରେଣ୍ଟ ବୋଲ୍ଟ, କ୍ୱିଣ୍ଟନ ଡି କକ୍, ଜନି ବେୟାରଷ୍ଟୋ, ଜେସନ ହୋଲଡର, ବ୍ରାଭେ. ହସରଙ୍ଗାଙ୍କ ଉପରେ ନଜର ରହିବ ।

ଚଳିତ ମହାନିଲାମୀ ପାଇଁ ଜାରି ହୋଇଥିବା ତାଲିକାରେ ୨୨୮ ଜଣ ଅର୍ନ୍ତଜାତୀୟ ମ୍ୟାଚ୍ ଖେଳିଥିବା ଖେଳାଳୀ ରହିଛନ୍ତି । ସେହିଭଳି ୩୫୫ ଜଣ ଖେଳାଳୀ ରହିଛନ୍ତି, ଯେଉଁମାନେ ଅର୍ନ୍ତଜାତୀୟ ମ୍ୟାଚ୍ ଖେଳିନାହାନ୍ତି । ଏହାବାଦ୍ ସହଯୋଗୀ ଦେଶରୁ ମଧ୍ୟ ୭ ଜଣ ଖେଳାଳୀ ତାଲିକାରେ ରହିଛନ୍ତି । ମୋଟ ୫୯୦ ଖେଳାଳୀଙ୍କ ମଧ୍ୟରୁ ୩୭୦ ଜଣ ଭାରତୀୟ, ୨୨୦ ଜଣ ବିଦେଶୀ ଖେଳାଳୀ ରହିଛନ୍ତି । ଅଷ୍ଟ୍ରେଲିଆରୁ ସର୍ବାଧିକ ୪୭ ଜଣ ବିଦେଶୀ ଖେଳାଳୀ ମହାନିଲାମୀ ତାଲିକାରେ ରହିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ଇଂଲଣ୍ଡରୁ ୨୭, ଆଫଗାନିସ୍ତାନରୁ ୧୭, ନ୍ୟୁଜିଲାଣ୍ଡରୁ ୨୪, ଶ୍ରୀଲଙ୍କାରୁ ୨୩ ଜଣ ଖେଳାଳୀ ସାମିଲ ଅଛନ୍ତି ।