କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗର ଖେଳାଳି ନିଲାମ ପ୍ରକ୍ରିୟା ବାଙ୍ଗାଲୋରରେ ଶେଷ ହୋଇଛି । ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି ଖେଳାଳି ନିଲାମକୁ ନେଇ ଏବେ ବି ଆଲୋଚନା ଓ ଚର୍ଚ୍ଚା ଶେଷ ହୋଇନି । ହେଲେ ଏହାରି ଭିତରେ ନିଲାମରେ ହୋଇଥିବା ଏକ ମସ୍ତବଡ ଭୁଲ ସାମ୍ନାକୁ ଆସିଛି । ଯାହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ମେଗା ନିଲାମୀ ପକ୍ରିୟାକୁ ପ୍ରଥମେ ଅକ୍ସନର ହ୍ୟୁଜ୍ ଏଡମୀଡସ ପରିଚାଳନା କରୁଥିଲେ । ହେଲେ ସ୍ୱାସ୍ଥ୍ୟଗତ କାରଣରୁ ସେ ଅସୁସ୍ଥ ହେବା ପରେ ଚାରୁ ଶର୍ମା ଏହାକୁ ପରିଚାଳନା କରିଥିଲେ । ହେଲେ ଏବେ ତାଙ୍କର ଏକ ମସ୍ତବଡ ଭୁଲ ସାମ୍ନାକୁ ଆସିଛି, ବିଶେଷକରି ମୁମ୍ବାଇ ଇଣ୍ଡିଆନ୍ସ ଦଳ ଏହି ଭୁଲ ଦ୍ୱାରା କ୍ଷତିରେ ପଡିଛି ।
ଯେତେବେଳେ ଖେଳାଳି ନିଲାମ ଚାଲିଥିଲା, ସେତେବେଳେ ଦ୍ରୁତ ବୋଲର ଖଲ୍ଲିଲ ଅହମ୍ମଦଙ୍କୁ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଭିତରେ ଲଢେଇ ଚାଲିଥିଲା । ମୁମ୍ବାଇ ଇଣ୍ଡଆନ୍ସ ୫.୨୫ କୋଟି ଟଙ୍କାରେ ନିଲାମ ଡାକିଥିଲା । ହେଲେ ଏହି ସମୟରେ ନିଲାମକୁ ପରିଚାଳନା କରୁଥିବା ଚାରୁ ଶର୍ମାଙ୍କ ଦ୍ୱାରା ବଡ ଭୁଲ ହୋଇଯାଇଥିଲା । ସେ ଏହି ନିଲାମ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଡାକିଥିବା ନେଇ ଧରିନେଇଥିଲେ । ଆଉ ୫.୨୫ କୋଟି ଟଙ୍କାରେ ଖଲିଲ ଅହମ୍ମଦ ଦିଲ୍ଲୀ ଦଳରେ ସାମିଲ ହେଲେ ବୋଲି ଘୋଷଣା କରିଥିଲେ ।
ପ୍ରକୃତରେ କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ୫.୨୫ କୋଟି ଟଙ୍କାରେ ଖଲୀଲ ଅହମ୍ମଦଙ୍କୁ କିଣିବା ପାଇଁ ନିଲାମ ଡାକିଥିଲେ । ହେଲେ ଚାରୁ ଶର୍ମାଙ୍କ ସାମାନ୍ୟ ଭୁଲ କାରଣରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଏକ ବଡ କ୍ଷତି ସହିବାକୁ ପଡିଛି । ସୂଚନାଯୋଗ୍ୟ ଯେ, ଆଇପିଏଲ୍ ଖେଳାଳି ନିଲାମ ପ୍ରକ୍ରିୟା ଶେଷ ହୋଇସାରିଛି । ଦୁଇ ଦିନ ଧରି ଏହି ନିଲାମ ପକ୍ରିୟାରେ ଶତାଧିକ ଖେଳାଳି ୧୦ ଦଳରେ ସାମିଲ ହୋଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ସବୁଠୁ ଅଧିକ ଦାମ ଦେଇ ଇଷାନ କିଷାନଙ୍କୁ ନିଜ ଦଳରେ ସାମିଲ କରିଥିଲା । ସେହିପରି ଦ୍ରୁତ ବୋଲର ଦୀପକ ଚହରଙ୍କୁ ମଧ୍ୟ କୋଟି କୋଟି ଟଙ୍କା ଦେଇ ନିଜ ଦଳରେ ସାମିଲ କରିଥିଲା ଚେନ୍ନାଇ ସୁପରକିଙ୍ଗସ୍ ।
Follow Us