କରୋନା ମାଡରେ ବୋଲ୍ଡ ହେଲା ଆଇପିଏଲ୍ । ଫଟାଫଟ୍ କ୍ରିକେଟ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସ୍ଥଗିତ, ଜୈବ ବଳୟରେ ଥାଇ ସୁଦ୍ଧା ଖେଳାଳିଙ୍କୁ ଛୁଇଁଲା କରୋନା । 

403

କନକ ବ୍ୟୁରୋ : ଆଇପିଏଲରେ ଲାଗିଛି କରୋନାର କଳା ନଜର । ଖେଳାଳିଙ୍କୁ ଭୂତାଣୁ ଛୁଇଁବା ପରେ ଫଟାଫଟ କ୍ରିକେଟରେ ଲାଗିଗଲା ଫୁଲଷ୍ଟପ । ସ୍ଥଗିତ ରହିଲା ଆଇପିଏଲର ଚଳିତ ସଂସ୍କରଣ । ଏକାଧିକ ଖେଳାଳି କରୋନା ଆକ୍ରାନ୍ତ ହେବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି । ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଓ ବିସିସିଆଇ ଏକ ଜରୁରୀ ବୈଠକରେ ଆଇପିଏଲର ୧୪ ତମ ସଂସ୍କରଣର ବାକି ମ୍ୟାଚକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରଖିବା ପାଇଁ ନିଷ୍ପତି ହୋଇଥିବା ସୂଚନା ଦେଇଛନ୍ତି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ।

ଲକଡାଉନ୍, ସଟଡାଉନ୍ ଭିତରେ ସବୁ କିଛି ତ’ ବନ୍ଦ ହୋଇସାରିଥିଲା, ସିନେମା ହଲ୍, ପାର୍କ, ଗାର୍ଡେନ୍, ଏଂଟରଟେନମେଂଟ ପାର୍କ ଏମିତି ଅନେକ । ହୁଏତ, ଆଇପିଏଲ୍ ହିଁ ଏକମାତ୍ର ବଡ଼ ଇଭେଂଟ ଥିଲା, ଯାହା କରୋନା କାଳରେ ଲୋକଙ୍କୁ ମନୋରଂଜନର ଖୋରାକ୍ ଯୋଗାଇ ଆସୁଥିଲା । ହେଲେ, ଆଇପିଏଲ୍ ଖେଳ ଉପରେ ବି ଲାଗିଗଲା କରୋନାର କଳା ନଜର ।

ଖେଳାଳି ସଂକ୍ରମିତ, ଖେଳ ସ୍ଥଗିତ । ଆଇପିଏଲକୁ ନେଇ ବିସିସିଆର ବଡ଼ ନିଷ୍ପତ୍ତି । ବାୟୋ-ବବଲ୍ ବା ଜୈବ ସୁରକ୍ଷିତ ବାତାବରଣ ଭିତରେ ଆଇପିଏଲ୍ ଖେଳାଯାଉଥିଲେ ସୁଦ୍ଧା କିଛି ଦିନ ହେଲା, ବିଭିନ୍ନ ଦଳରୁ କରୋନା ସଂକ୍ରମିତ ଚିହ୍ନଟ ହେବା ଖବର ଆସିବାରେ ଲାଗିଥିଲା । ଆଉ ଏହାକୁ ଦୃଷ୍ଟିରେ ରଖି ଆଇପିଏଲର ଅବଶିଷ୍ଠ ମ୍ୟାଚକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ।

ଋଦ୍ଧିମାନ ଶାହା, ସନରାଇଜର୍ସ ହାଇଦ୍ରବାଦ । ଲକ୍ଷ୍ମୀପତି ବାଲାଜୀ, ବୋଲିଂ କୋଚ୍, ଚେନ୍ନାଇ ସୁପର କିଙ୍ଗସ । ସନ୍ଦୀପ ୱାରିୟର୍ସ, କୋଲକାତା ନାଇଟ ରାଇଡର୍ସ, ବରୁଣ ଚକ୍ରବର୍ତ୍ତୀ କୋଲକାତା ନାଇଟ ରାଇଡର୍ସ । କ୍ରମାଗତ ଭାବରେ ଜଣେ ପରେ ଜଣେ ଖେଳାଳି ପଜିଟିଜ ଚିହ୍ନଟ ହେବା ପରେ ବିସିସିଆଇକୁ ବାଧ୍ୟ ହୋଇ କଠୋର ନିଷ୍ପତି ନେବାକୁ ପଡ଼ିଛି ।

ଯିବାକୁ ତ’ ବହୁ ବାଟ ଥିଲା । ହେଲେ ଅଧା ବାଟରେ କରୋନା ବାଟ ଓଗାଳି ଦେଲା । ଫଟାଫଟ କ୍ରିକେଟରେ ଲାଗିଗଲା ଫୁଲଷ୍ଟପ୍ । ଚଳିତ ମାସ ୩୦ ତାରିଖରେ ଆଇପିଏଲର ଫାଇନାଲ ଅହମ୍ମଦାବାଦରେ ହେବାକୁ ଥିଲା । ହେଲେ ଏହା ପୂର୍ବରୁ ୩୧ଟି ମ୍ୟାଚ୍ ଖେଳିବାକୁ ବାକିଥିଲା । ଆଉ ଟୁର୍ଣ୍ଣାମେଂଟ ସ୍ଥଗିତ ହେବା ପରେ ଏହା ପୁଣି କେବେ ଖେଳା ହେବ ତାହା ଆକଳନ କରିବା ବି ମୁସ୍କିଲ ।

ଆଇପିଏଲ୍ ଅତୀତରେ ଅନେକ ଝଡ଼ଝଞ୍ଜାକୁ ଅତିକ୍ରମ କରିଛି, କିନ୍ତୁ ଅଧା ମ୍ୟାଚରୁ ଟୁର୍ଣ୍ଣାମେଂଟ ସ୍ଥଗିତ ରଖିବା ଭଳି ସ୍ଥିତି କେବେ ଆସିନଥିଲା । ଦୁଇ ଦୁଇ ଥର ଭାରତ ବାହାରେ ଯାଇ ବିସିସିଆଇ ଆଇପିଏଲ୍ ଆୟୋଜନ କରିଛି । ୨୦୦୯ରେ ଦକ୍ଷିଣ ଆଫ୍ରିକା ଏବଂ ୨୦୧୪ରେ ୟୁଏଇରେ ଆଇପିଏଲ୍ ଆୟୋଜିତ ହୋଇଛି । ୨୦୦୯ରେ ଶ୍ରୀଲଙ୍କା ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ ଭଳି ସାଂଘାତିକ୍ ଅଘଟଣ ପରେ ବି ଆଇପିଏଲ୍ ହୋଇଥିଲା । ନିର୍ବାଚନ ଥିବାରୁ ସୁରକ୍ଷା ଦେବାକୁ ଭାରତ ସରକାର ଅମଙ୍ଗ ହେବାରୁ ଦେଶ ବାହାରେ ଆଇପିଏଲ୍ ହୋଇଥିଲା । ହେଲେ ଏଥର କିନ୍ତୁ ବିସିସିଆଇକୁ କଠୋର ନିଷ୍ପତି ନେବାକୁ ବାଧ୍ୟ କରି ଦେଇଛି ଭୂତାଣୁ ।