ଆଇପିଏଲ୍ ଟ୍ରଫି ଜିତିଲା ଚେନ୍ନାଇ ସୁପର କିଙ୍ଗସ୍ । କେକେଆରକୁ ହରାଇ ଚତୁର୍ଥ ଥର ପାଇଁ ଟ୍ରଫି ହାତେଇଲେ ଧୋନୀ ।

341

କନକ ବ୍ୟୁରୋ: ଚେନ୍ନାଇ ହେଲା ଆଇପିଏଲ୍ ଚାମ୍ପିୟନ । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ୍ ପୁଣି ହୋଇଛି ଆଇପିଏଲ୍ ଚାମ୍ପିୟନ । ଆଜି ଫାଇନାଲ ମ୍ୟାଚରେ କୋଲକାତାକୁ ହରାଇ ଦଳ ଚତୁର୍ଥ ଥର ପାଇଁ ଦଳ ଆଇପିଏଲ୍ ଟାଇଟଲ ଜିତିଛି ।

ଶୁକ୍ରବାର କେକେଆର-ସିଏସକେ ଭିତରେ ଚଳିତ ଆଇପିଏଲ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ କେକେଆରର ଅଧିନାୟକ ଇଆନ୍ ମୋର୍ଗାନ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ସିଏସକେ । ଦଳର ଦୁଇ ଓପନର ଦଳକୁ ଜବରଦସ୍ତ ଆରମ୍ଭ ଦେଇଥିଲେ । ଦୁହେଁ ପ୍ରଥମ ୱିକେଟରେ ୬୧ ରନ୍ କରିଥିଲେ । ଏହାପରେ ଉଥାପା ମଧ୍ୟ ଡୁ ପ୍ଲେସିସଙ୍କ ସହ ମିଶି ରନର ଗତିକୁ ଆଗକୁ ବଢାଇଥିଲେ । ଡୁ ପ୍ଲେସିସ୍ ୭ଟି ଚୌକା ଓ ୩ଟି ଛକା ସହ ୮୬ ରନର ଦମଦାର ଇଂନିସ ଖେଳିଥିଲେ । ଯାହା ଫଳରେ ଚେନ୍ନଆଇ ୨୦ ଓଭରରେ ୩ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ୧୯୨ ରନ୍ କରିଥିଲା ।

ଏହାପରେ ୧୯୩ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା କେକେଆର୍ । ଦଳକୁ ଆରମ୍ଭରୁ ଭଲ ରନ୍ ମିଳିଥିଲେ ବି ଦଳ ମଧ୍ୟକ୍ରମରେ ଲଗାତାର ଝଟକା ପାଇଥିଲା । ଗିଲ୍ ଓ ଭେଙ୍କଟେଶ ଆୟାରଙ୍କୁ ଛାଡିଦେଲେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସଠିକ୍ ଢଙ୍ଗରେ ବ୍ୟାଟିଂ କରିପାରିନଥିଲେ ଫଳରେ ଦଳ ଫାଇନାଲ ମ୍ୟାଚରେ ଶୋଚନୀୟ ପରାଜୟ ବରଣ କରିଛି । ଆଉ କୋଲକାତାର ପରାଜୟ ସହ ଚତୁର୍ଥ ଥର ପାଇଁ ଆଇପିଏଲ ଚାମ୍ପିୟନ ହୋଇଛି ଚେନ୍ନାଇ ସୁପର କିଙ୍ଗସ୍ ।