ଆଇପିଏଲ ବଦଳାଇଦେଲା ଜୀବନ । ବାରିକ ବନିଲେ କୋଟିପତି । ଜିତିଲେ ୧ କୋଟି ଟଙ୍କା।

623

କନକ ବ୍ୟୁରୋ: ବିଶ୍ୱର ସବୁଠୁ ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟ କୁହାଯାଉଥିବା ଆଇପିଏଲରେ ବିଶ୍ୱର ବହୁ ବଡବଡ ଖେଳାଳିଙ୍କୁ ଦେଖିବାକୁ ମିଳେ । ଏହାର କାରଣ ହେଉଛି, ଏହି ଟୁର୍ଣ୍ଣାମେଣ୍ଟରୁ ଖେଳାଳିମାନେ କୋଟି କୋଟି ଟଙ୍କା ଆୟ କରିଥାନ୍ତି । ହେଲେ ଏବେ ଆଇପିଏଲରୁ ଜଣେ ସାଧାରଣ ଲୋକ ହୋଇଛନ୍ତି କୋଟିପତି । ଆଉ ଜିତିଛନ୍ତି ୧ କୋଟି ଟଙ୍କା ।

ବିହାରର ମଧୁବନ ଜିଲ୍ଲାରେ ରହୁଥିବା ଅଶୋକ କୁମାର ବୃତ୍ତିରେ ଜଣେ ବାରିକ । ଚଳିତ ଆଇପିଏଲ ସମୟରେ ସେ ଡ୍ରିମ୍ ଟିମ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ । କେକେଆର୍ ଓ ସିଏସକେ ବିପକ୍ଷ ମ୍ୟାଚରେ ସେ ନିଜର ଟିମ୍ ବାଛିଥିଲେ । ଯାହାକୁ ଚେନ୍ନାଇ ସୁପରକିଙ୍ଗସ ଦୁଇ ୱିକେଟରେ ଜିତିନେଇଥିଲା । ଏହାପରେ ଏହି ଡିମ୍ ଟିମ୍ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଥିଲା, ଯାହାର ବିଜେତା ହୋଇଥିଲେ ଅଶୋକ କୁମାର ।

ମ୍ୟାଚ୍ ପରେ ଏହି ପ୍ରତିଯୋଗିତାର ଅଧିକାରୀଙ୍କ ତରଫରୁ ତାଙ୍କ ପାଖକୁ ଏକ କଲ୍ ଆସିଥିଲା । ଆଉ ତାଙ୍କ ଆକାଉଣ୍ଟକୁ ୨ ଦିନ ଭିତରେ ୭୦ ଲକ୍ଷ ଟଙ୍କା ପଠାଇ ଦିଆଯିବ ବୋଲି କୁହାଯାଇଥିଲା । ତେବେ ସେ ୧ କୋଟି ଟଙ୍କା ଜିିତିଥିବାରୁ ଟ୍ୟାକ୍ସକୁ କାଟି ତାଙ୍କୁ ବାକି ଟଙ୍କା ଦିଆଯିବ ବୋଲି ସେହି ଅଧିକାରୀ ଜଣକ କହିଥିଲେ । ଯାହା ପରେ ସେ ସାରା ରାତି ଶୋଇପାରିନଥିବା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଶୋକ ବିହାରର ମଧୁବନ ଜିଲ୍ଲାରେ ଏକ ସେଲୁନ ଦୋକାନ ଖୋଲିଛନ୍ତି । ଗତ କିଛି ବର୍ଷଧରି ସେ କିନ୍ତୁ ଆଇପିଏଲ ସମୟରେ ଡ୍ରିମ୍ ଟିମ୍ ପ୍ରତିଯୋଗିତାରେ ଭାଗ ନେଉଥିଲେ । ହେଲେ ସେହି ଡ୍ରିମ୍ ଟିମ୍ ଏବେ ତାଙ୍କୁ କରିଛି କୋଟିପତି । ତେବେ ଏହି ମ୍ୟାଚରେ ସେ ୫୦ ଟଙ୍କା ଲଗାଇଥିଲେ, ଆଉ ପୁରସ୍କାର ବାବଦକୁ ତାଙ୍କୁ ମିଳିବ ୭୦ ଲକ୍ଷ ଟଙ୍କା (୧ କୋଟି ବିଜେତା) । ପୁରସ୍କାର ଜିତିବା ପରେ ଅଶୋକ କହିଛନ୍ତି, ସେ ତାଙ୍କ ସେଲୁନରେ କାମକୁ ନେଇ ବେଶ ଖୁସି । ସେ ଏହାକୁ ଆଗକୁ ମଧ୍ୟ ଜାରି ରଖିବେ । ଜିତିଥିବା ଟଙ୍କାରେ ସେ ପ୍ରଥମେ ତାଙ୍କର ଋଣ ଶୁଝିବେ । ତା ପରେ ତାଙ୍କ ପରିବାର ପାଇଁ ଗୋଟିଏ ଭଲ ଘର କରିବେ ବୋଲି କହିଛନ୍ତି । ତେବେ ଇଣ୍ଟରନେଟରେ ଡିମ୍ ଟିମ୍ ବନେଇବା ପାଇଁ ୱେବସାଇଟ୍ ରହିଛି । ଯେଉଁଥିରେ ଲୋକମାନେ ନିଜର ଖେଳାଳି ଚୟନ କରିଥାନ୍ତି । ଖେଳାଳିଙ୍କ ପ୍ରଦର୍ଶନ ଅନୁସାରେ ଏହି ପ୍ରତିଯୋଗିତାର ବିଜେତା ଚୟନ ହୋଇଥାଏ ।