ଆଇପିଏଲ ଲଢେଇ: ଆଜି ମୁହାଁମୁହିଁ ହେବେ କୋଲକାତା-ହାଇଦ୍ରାବାଦ

156

କନକ ବ୍ୟୁରୋ: ଆଜିର ଆଇପିଏଲ୍‌ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ଲଢେଇ ହେବ। ଇଅନ୍ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲକାତା ଗତବର୍ଷ ସ୍ଥିର ପ୍ରଦର୍ଶନ ଦେଇଥିବା ହାଇଦ୍ରାବାଦକୁ ହରାଇ ଭଲରେ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ଗତ ଋତୁରେ ସାଧାରଣ ପ୍ରଦର୍ଶନ କରିଥିବା କୋଲକାତାର ନେତୃତ୍ୱ ମୋର୍ଗା‌ନ ଲିଗ୍‌ ଅଧାରୁ ଦୀନେଶ କାର୍ତିକଙ୍କଠାରୁ ଗ୍ରହଣ କରିଥିଲେ। ଲିଗ୍ ଶେଷରେ କେକେଆର୍‌ ଏବଂ ଆରସିବି ସମାନ ପଏଣ୍ଟରେ ଅଭିଯାନ ଶେଷ କରିବାରୁ ଉନ୍ନତ ରନ୍‌ ହାରରେ ପଛରେ ପଡ଼ିଯାଇ ମୋର୍ଗାନଙ୍କ ଦଳ ପ୍ଲେ ଅଫ୍‌ ଯାଇପାରିନଥିଲା। ପ୍ରଥମ ଥର ଦଳର ନେତୃତ୍ୱ ନେଇଥିବା ବିଶ୍ୱକପ୍‌ ବିଜେତା ଇଂଲଣ୍ଡ ଅଧିନାୟକ ମୋର୍ଗାନ୍‌ ଏଥିରେ ନୂଆ ଉତ୍ସାହ ଭରି ଦେଇଥିଲେ।

ଶୁଭମନ ଗିଲ୍‌ ଶୀର୍ଷକ୍ରମରେ ଭଲ ଖେଳୁଥିବା ବେଳେ ରାହୁଲ ତ୍ରିପାଠୀ, ନୀତୀଶ ରାଣା, ଭେଟେରାନ୍‌ ଦୀନେଶ କାର୍ତିକଙ୍କୁ ନେଇ ଦଳର ବ୍ୟାଟିଂକ୍ରମ ଲମ୍ବା ରହିଛି। ନେତୃତ୍ୱ ବୋଝରୁ ମୁକ୍ତ ହେବା ପରେ କାର୍ତିକ ଦଳ ପାଇଁ ବ୍ୟାଟିଂରେ ଭଲ ଅବଦାନ ରଖିବେ ବୋଲି ମଧ୍ୟ ଆଶାବାଦୀ ରହିଛନ୍ତି। ୨୦୧୯ ମସିହାର ସବୁଠୁ ମୂଲ୍ୟବାନ ଖେଳାଳି ଆନ୍ଦ୍ରେ ରସେଲ ଲୟକୁ ଫେରିବେ ବୋଲି ମୋର୍ଗାନଙ୍କ ଭରସା ରହିଛି। ଗତ ଋତୁରେ ମୋର୍ଗାନ୍‌ ୯ ପାଳିରୁ ୧୩ ହାରରେ ରନ୍‌ ସଂଗ୍ରହ କରି ନିରାଶ କରିଥିଲେ। ଅନ୍ୟତମ ୱେଷ୍ଟଇଣ୍ଡିଆନ୍‌ ଖେଳାଳି ସୁନିଲ ନାରାୟଣ ମଧ୍ୟ ୟୁଏଇରେ ଫ୍ଲପ୍ ହେବାରୁ କେକେଆର୍‌ ପ୍ରଦର୍ଶନ ପ୍ରଭାବିତ ହୋଇଥିଲା। ୨୦୧୨ ଓ ୨୦୧୪ରେ କୋଲକାତା ବିଜେତା ହୋଇଥିବା ବେଳେ ସୁନିଲ ପ୍ରମୁଖ ଅବଦାନ ରଖିଥିଲେ। ତାଙ୍କ ବ୍ୟତୀତ ଏଥର ବାଂଲାଦେଶ ଅଲରାଉଣ୍ଡର୍‌ ସକିବ୍ ଅଲ୍ ହାସନଙ୍କୁ କେକେଆର୍‌ ଆଣିଥିବାରୁ ନୂଆ ଦିଶା ପାଇବ। ନାରାୟଣଙ୍କ ବଦଳରେ ଗତବର୍ଷ ଖେଳିଥିବା ରହସ୍ୟମୟ ସ୍ପିନର୍‌ ବରୁଣ ଚକ୍ରବର୍ତୀଙ୍କ ଫିଟନେସ୍‌ ଏଥର ଚିନ୍ତାର କାରଣ ରହିବ।

ଅନ୍ୟପକ୍ଷରେ ଗତବର୍ଷ ସ୍ଥିର ପ୍ରଦର୍ଶନ ଦେଇଥିଲେ ମଧ୍ୟ ଡେଭିଡ୍ ୱାର୍ନରଙ୍କ ହାଇଦ୍ରାବାଦ କ୍ୱାଲିଫାୟାର୍‌-୨ରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ହାରି ବିଦାୟ ନେଇଥିଲା। ଇଂଲଣ୍ଡ ବିପକ୍ଷ ଧଳାବଲ୍ ଶୃଙ୍ଖଳାରେ ଭଲ‌ ଖେଳିଥିବା ଭୁବନେଶ୍ୱର କୁମାରଙ୍କ ସହିତ ୟର୍କର ସ୍ପେଶାଲିଷ୍ଟ ଟି ନଟରାଜନ ହାଇଦ୍ରାବାଦ ବୋଲିଂ ଆକ୍ରମଣର ଭାର ସମ୍ଭାଳିବେ। ଗତବର୍ଷ ଆହତ କାରଣରୁ ଭୁବି ମାତ୍ର ୪ଟି ମ୍ୟାଚ୍‌ ଖେଳିପାରିଥିଲେ। ଅରେଞ୍ଚ୍‌ ଆର୍ମି ମଧ୍ୟ ଆଫଗାନିସ୍ତାନ ସ୍ପିନର୍‌ ରସିଦ୍‌ ଖାନଙ୍କୁ ନେଇ ସନ୍ତୁଳିତ ରହିଛି। ଦଳର ମୁଖ୍ୟ ଶକ୍ତି କିନ୍ତୁ ରହିଛି ପ୍ରାରମ୍ଭିକ ଯୋଡ଼ି। ଡେଭିଡ୍‌ ୱାର୍ନର ଏବଂ ଜନି ବେୟାରଷ୍ଟୋ ଉଭୟ ଫର୍ମରେ ରହିଲେ ପ୍ରତିପକ୍ଷ ଦଳ ପାଇଁ ସବୁବେଳେ ବିପଦର ଘଣ୍ଟି ବାଜିଥାଏ। କେନ୍‌ ୱିଲିୟମସନ୍, ମନୀଷ ପାଣ୍ଡେ, ଋଦ୍ଧିମାନ ସାହାଙ୍କୁ ନେଇ ଦଳର ମଧ୍ୟକ୍ରମ ମଧ୍ୟ ଦୃଢ଼ ରହିଛି। କିନ୍ତୁ ଦଳର ଫିନିସର୍‌ ଭୂମିକା କିଏ ତୁଲାଇବ ଦେଖିବାର ଅଛି। ଦୁଇ ଦଳ ମଧ୍ୟରେ ହୋଇଥିବା ଅତୀତ ମୁକାବିଲାରେ ପର୍ପଲ ବ୍ରିଗେଡ୍‌ କେକେଆର୍‌ ୧୨-୭ରେ ଆଗୁଆ ରହିଥିବାରୁ ମନୋବଳ ଦୃଢ଼ ରଖିଛି। ଏପରିକି ଗତବର୍ଷର ଉଭୟ ଲିଗ୍‌ ମୁକାବିଲାରେ କେକେଆର୍‌ ଜିତିଥିଲା। ୱାର୍ନର କିନ୍ତୁ ଏହାୟର ପ୍ରତି‌ଶୋଧ ନେବା ଯୋଜନାରେ ରହିଛନ୍ତି।

କୋଲକାତା ନାଇଟ୍‌ ରାଇଡର୍ସ ଦଳ: ଇଅନ୍ ମୋର୍ଗାନ୍ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ୍‌, ନୀତିଶ ରାଣା, ଟିମ୍ ସିଫର୍ଟ, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, କୁଲଦୀପ ଯାଦବ, ଶିଭମ ମାଭି, ଲୋକି ଫର୍ଗୁସନ୍, ପ୍ୟାଟ୍ କମିନ୍ସ, କମଲେଶ ନାଗରକୋଟି, ସନ୍ଦୀପ ୱାରିୟର୍, ପ୍ରସିଦ୍ଧ କୃଷ୍ଣ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସକିବ୍ ଅଲ୍ ହାସନ୍‌, ସେଲଡନ୍‌ ଜ୍ୟାକସନ୍‌, ‌ବୈଭବ ଆରୋରା, ହରଭଜନ ସିଂହ, କରୁଣ ନାୟାର୍‌, ବେନ୍‌ କଟିଂ, ଭେଙ୍କଟେଶ ଆୟର୍‌, ପବନ ନେଗି।

ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳ: ଡେଭିଡ୍ ୱାର୍ନର (ଅଧିନାୟକ), କେନ୍ ୱିଲିୟମସନ୍, ବିରାଟ ସିଂହ, ମନୀଷ ପା‌ଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ ସ୍କିଟ୍, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ଅବଦୁଲ ସମଦ, ଭୁବନେଶ୍ବର କୁମାର, ରସିଦ ଖାନ୍, ଟି ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ ‌‌କୌଲ, ବାସିଲ ଥମ୍ପି, ଶାହବାଜ ନଦୀମ, ମୁଜିବ ଉର ରହମାନ।