ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହୋଇଛି ୧୪ଟି ବାୟୋ ବବଲ । ଟୁର୍ଣ୍ଣାମେଣ୍ଟରେ ହେବ ମୋଟ୍ ୨୫ ହଜାର କୋଭିଡ୍ ଟେଷ୍ଟ ।
କନକ ବ୍ୟୁରୋ: ଆସନ୍ତା ରବିବାରଠାରୁ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । କରୋନା କାରଣରୁ ଆଇପିଏଲ ସ୍ଥଗିତ ରହିବା ପରେ ଏବେ କଡା ନିୟମ ସହିତ, ପୁଣି ଏହି ଟୁର୍ଣ୍ଣାମେଣ୍ଟକୁ ଆରମ୍ଭ କରୁଛି ବିସିସିଆଇ । ତେବେ ଏଥିପାଇଁ ଖେଳାଳିଙ୍କ ସ୍ୱାସ୍ଥ୍ୟ ଓ ବାୟୋ ବବଲ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ନଜର ପକାନ୍ତୁ, ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ କେମିତି ରହିବ ଖେଳାଳିଙ୍କ ସ୍ୱାସ୍ଥ୍ୟ ଉପରେ ନଜର…
Kanak News is now on WhatsApp
Join and get latest news updates delivered to you via WhatsApp
ଆଇପିଏଲରେ ଏବେ ୩୧ଟି ମ୍ୟାଚ୍ ହେବାକୁ ଅଛି । ଏଥିପାଇଁ ଖେଳାଳିମାନଙ୍କୁ ବାୟୋ ବବଲ ଭିତରେ ରହି ମ୍ୟାଚ୍ ଖେଳିବାକୁ ପଡିବ । ସମସ୍ତ ଆଠଟି ଟିମର ଖେଳାଳି, ସପୋର୍ଟ ଷ୍ଟାଫ୍, କୋଚ୍ ଓ ବିସିସିଆଇ ସଦସ୍ୟଙ୍କ ପାଇଁ ମୋଟ ୧୪ଟି ବାୟୋ ବବଲ ପ୍ରସ୍ତୁତ କରାଯାଇଛି । ଯେଉଁ ୧୪ଟି ହୋଟେଲ, ରିସୋର୍ଟରେ ଖେଳାଳିମାନେ ରହିବେ ସେଠାରେ ଏହି ବାୟୋ ବବଲକୁ ପ୍ରସ୍ତୁତ କରାଯାଇଛି । ଆଉ ଏଥିସହିତ ଖେଳାଳିଙ୍କୁ ବାୟୋ ବବଲ ବାହାରକୁ ବାହାରିବା ମନା ହୋଇଛି ।
ଖେଳାଳିମାନଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ଏକ ସ୍ପେଶାଲ ଟିମ୍ ମଧ୍ୟ ଗଠନ କରାଯାଇଛି । ୧୦୦ ସଦସ୍ୟ ବିଶିଷ୍ଟ ଏହି ଟିମ୍ ଖେଳାଳିଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷଣ ନଜର ରଖିବ । ଖାଲି ଖେଳାଳି ନୁହେଁ, ସପୋର୍ଟ ଷ୍ଟାଫ୍, କୋଚ୍ ଓ ବିସିସିଆଇ ଅଧିକାରୀଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହି ଟିମ୍ ନଜର ରଖିବ । ଏଙି ଟିମରେ ଡାକ୍ତର, ନର୍ସଙ୍କ ସହିତ ଲ୍ୟାବ୍ ଟେକ୍ନିସିଆନ୍ ମଧ୍ୟ ରହିଛନ୍ତି ।ଆଇପିଏଲରେ ସାମିଲ ହେବାକୁ ଥିବା ପ୍ରତିଟି ଖେଳାଳିଙ୍କର କରୋନା ଟେଷ୍ଟ କରାଯାଇଛି ।
ତେବେ ମିଳିଥିବା ସୂଚନା ମୁତାବକ ଟୁର୍ଣ୍ଣାମେଣ୍ଟ ମଝିରେ ପ୍ରତି ତିନି ଦିନରେ ଥରେ ପ୍ରତି ଖେଳାଳିଙ୍କର କରୋନା ଟେଷ୍ଟ କରାଯିବ । ଟୁର୍ଣ୍ଣାମେଣ୍ଟ ମଧ୍ୟରେ ମୋଟ ୨୫ ହଜାର କରୋନା ଟେଷ୍ଟ ହେବା ନେଇ ସୂଚନା ମିଳିଛି । ସେହିପରି ଯଦି କୌଣସି ଖେଳାଳି କୋଭିଡରେ ସଂକ୍ରମିତ ବୋଲି ଜଣାପଡନ୍ତି, ତେବେ ତାଙ୍କୁ ଅତିକମରେ ୧୦ ଦିନ ପାଇଁ ଆଇସୋଲେସନରେ ଯିବାକୁ ପଡିବ । ତା ସହିତ ତାଙ୍କ ସଂସ୍ପର୍ଶରେ ଥିବା ଖେଳାଳିମାନେ ମଧ୍ୟ ନିଜର କୋଭିଡ୍ ଟେଷ୍ଟ କରାଇବେ । ଖୁସିର କଥା ହେଉଛି, ଏଥର ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବାର ମଜା ଉଠାଇପାରିବେ ଦର୍ଶକ । ୟୁଏଇରେ ଆୟୋଜିତ ଆଇପିଏଲର ଏହି ଦ୍ୱିତୀୟ ପର୍ଯ୍ୟାୟରେ ଦର୍ଶକଙ୍କୁ ଷ୍ଟାଡିୟମକୁ ଯିବାକୁ ଅନୁମତି ମିଳିଛି । ଷ୍ଟାଡିୟମରେ ୫୦ ପ୍ରତିଶତ ଦର୍ଶକ ମ୍ୟାଚକୁ ଉପଭୋଗ କରିପାରିବେ ।