ଆଇପିଏଲ ଟକ୍କର: ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ-ରାଜସ୍ଥାନ

260

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ରାଜସ୍ଥାନ ଓ ମୁମ୍ବାଇ । ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ଉଭୟ ଦଳ ପ୍ଲେ ଅଫରେ ପ୍ରବେଶ କରିବା ପାଇଁ ଆଜି ଜୋରଦାର ଲଢେଇ କରିବେ । ଉଭୟ ଦଳ ପାଇଁ ଆଜିର ମ୍ୟାଚ ଶେଷ ବିକଳ୍ପ ରହିବ । ଆଜିର ମ୍ୟାଚରେ ଯେଉଁ ଦଳ ବାଦ ପଡିବ ସେ ପ୍ଲେ ଅଫ ରେସ ରୁ ବାଦ ପଡିବ । ଉଭୟ ଦଳ ଚଳିତ ଆଇପିଏଲରେ ୧୨ ଲେଖାଏଁ ମ୍ୟାଚ ଖେଳିଛନ୍ତି ୫ଟି ବିଜୟ ଓ ୭ଟି ପରାଜୟ ସହ ୧୦ ପଏଣ୍ଟ ଲେଖାଏଁ ପାଇ ପଏଣ୍ଟ ଟେବୁଲର ଷଷ୍ଠ ଓ ସପ୍ତମ ସ୍ଥାନରେ ରହିଛନ୍ତି । ତେବେ ଆଜିର ମୟାଚ ଉଭୟ ଦଳଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।

ମୁମ୍ବାଇକୁ ତା ବ୍ୟାଟିଂ ବାହିନୀ ହିଁ ଏଥର ନିରାଶ କରି ଚାଲିଛି । ସୂର୍ଯ୍ୟକୁମାର ଯାଦବ ନିଜ ପୁରୁଣା ଯାଦୁ ଦେଖାଇ ପାରୁ ନାହାନ୍ତି । କ୍ବିଣ୍ଟନ୍ ଡି’କକ୍ ଓ ନିଜେ ରୋହିତ ମଧ୍ୟ ବଡ଼ ପାଳି ଖେଳିପାରୁ ନାହାନ୍ତି । ସେପଟେ ରାଜସ୍ଥାନ ପାଇଁ ତାର ଅନଭିଜ୍ଞ ବୋଲିଂ ବାହିନୀ ହିଁ ମୁଖ୍ୟ ଚିନ୍ତାର କାରଣ ହୋଇଛି । ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ହିଁ ଏହି ଦଳର ସବୁଠାରୁ ଅଭିଜ୍ଞ ବୋଲର । ଚେତନ ସାକାରିଆ, ରାହୁଲ ତିୱାତିଆ ପ୍ରମୁଖ ଆଶାଜନକ ସଫଳତା ପାଇ ନାହାନ୍ତି। ମୁମ୍ବାଇ ବୋଲିଂ ବାହିନୀ କିନ୍ତୁ ବେଶ୍ ଶକ୍ତିଶାଳୀ । ଯଶପ୍ରିତ ବୁମ୍‌ରା, ଟ୍ରେଣ୍ଟ ବୋଲ୍ଟ, ରାହୁଲ ଚହରଙ୍କ ଭଳି ବୋଲର ଭଲ ଫର୍ମରେ ଅଛନ୍ତି ।

ତେବେ ଚେନ୍ନାଇ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଥିବା ରାଜସ୍ଥାନର ଦୁଇ ଯୁବ ତାରକା ଶିବମ୍ ଦୁବେ ଓ ଯଶସ୍ବୀ ଜୟସ୍ବାଲଙ୍କୁ ରୋକିବା ଲାଗି ସେମାନଙ୍କୁ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ । ଅଧିନାୟକ ସଞ୍ଜୁ ସାମସନଙ୍କ ପ୍ରଦର୍ଶନ ମଧ୍ୟ ରାଜସ୍ଥାନ ପାଇଁ ଢେର ମହତ୍ବ ରଖିବ । ସେହିଭଳି ଅଧିନାୟକ ରୋହିତ ଶର୍ମା ଓ କ୍ବିଣ୍ଟନ୍ ଡି’କକ୍‌ କିଭଳି ଆରମ୍ଭ ହେଉଛନ୍ତି, ତା ଉପରେ ମୁମ୍ବାଇର ସଫଳତା ଅନେକାଂଶରେ ନିର୍ଭର କରିବ। ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ୨୪ ମ୍ୟାଚ୍‌ରେ ପରସ୍ପରକୁ ଭେଟିଛନ୍ତି। ସେଥିମଧ୍ୟରୁ ମୁମ୍ବାଇ ୧୨ ମ୍ୟାଚ୍ ଜିତିଥିଲା ବେଳେ ରାଜସ୍ଥାନ ୧୧ ମ୍ୟାଚ୍‌ରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍‌ର କୌଣସି ଫଳାଫଳ ମିଳିନି ।