ଆଇପିଏଲକୁ ଆଉ ୪ ଦିନ – ସୁରେଶ ରୈନାଙ୍କ ସ୍ଥାନରେ କାହାକୁ ଖେଳାଇବ ଚେନ୍ନାଇ?

791

କନକ ବ୍ୟୁରୋ : ୧୯ ସେପ୍ଟେମ୍ବର ଅର୍ଥାତ ଆସନ୍ତା ଶନିବାର ଆରମ୍ଭ ହେବ ଆଇପିଏଲର ୧୩ତମ ସଂସ୍କରଣ । ପ୍ରଥମ ମ୍ୟାଚରେ ଡିପେଣ୍ଡିଂ ଚାମ୍ପିୟନ ମୁମ୍ବାଇକୁ ଭେଟିବ ଚେନ୍ନାଇ । ତେବେ ଚେନ୍ନାଇ ପାଇଁ ଏହି ଆଇପିଏଲ ଖାରପ ଯାଇପାରେ । କାରଣ ଏଥର ଆଇପିଏଲରୁ ଦଳର ପ୍ରମୁଖ ଅଲରାଉଣ୍ଡର ସୁରେଶ ରୈନା ବାଦ ପଡିଛନ୍ତି, ଯାହାକି ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ରାଇନା ଯିବା ପରେ ତାଙ୍କ ସ୍ଥାନରେ କାହାକୁ ଖେଳିଯିବ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଛି ଦଳ ।

ତେବେ ସୁରେଶ ରୈନାଙ୍କ ଅନୁପସ୍ଥିତିରେ ଚେନ୍ନାଇ ମଧ୍ୟମକ୍ରମ ଖାଲି ପଡିଯାଇଛି । କୁହାଯାଉଛି ଯେ ଏହି ସ୍ଥାନରେ ଖେଳିବା ପାଇଁ ଅମ୍ବାତି ରାଇଡୁ ହେଉଛନ୍ତି ଉପଯୁକ୍ତ ଖେଳାଳି । ତେବେ ରାଇଡୁ ପୂର୍ବରୁ ଦଳ ପାଇଁ ଓପନିଂ ଓ ମଧ୍ୟମକ୍ରମରେ ଖେଳି ସାରିଛନ୍ତି । ଯଦି ଓପନିଂରେ ୱାଟସନଙ୍କ ସହ ଫାପ ଡୁପ୍ଲେସିସ ଆସନ୍ତି ତେବେ ମଧ୍ୟମକ୍ରମରେ ରାଇଡୁଙ୍କୁ ଦଳ ଖେଳାଇପାରେ ।

ସେହିପରି ଏଥର ଦଳ ମୁରଲୀ ବିଜୟଙ୍କୁ ସୁଯୋଗ ଦେବ ବୋଲି ଚର୍ଚା ହେଉଛି । ମୁରଲୀ ବିଜୟ ପୂର୍ବ ଆଇପିଏଲରେ ମଧ୍ୟ ଦଳରେ ରହିଥିଲେ । ହେଲେ ଖେଲିବାର ସୁଯୋଗ ପାଇନଥିଲେ । ତେଣୁ ସୁରେଶ ରୈନାଙ୍କ ଅନୁପସ୍ଥିତିରେ ଏଥର ମୁରଲୀ ବିଜୟଙ୍କୁ ଦଳ ଖେଳାଇପାରେ ବୋଲି କୁହାଯାଉଛି । ତେବେ ସେନ ୱାଟସନ ମଧ୍ୟ ମୁରଲୀ ବିଜୟଙ୍କୁ ଉପଯୁକ୍ତ ଖେଳାଳି ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ରୁତୁରାଜ ଗାଏକ୍ୱାର୍ଡ ଚେନ୍ନାଇ ପାଇଁ ମଧ୍ୟମକ୍ରମରେ ବ୍ୟାଟିଂ କରିବେ ବୋଲ ଚର୍ଚା ହେଉଛି । ହେଲେ ଏଯାଏଁ ରୁତୁରାଜଙ୍କ କରୋନା ରିପୋର୍ଟ ନେଗେଟିଭ ଆସିନାହିଁ । ତେଣୁ ସେ ଆଇସୋଲେସନରେ ରହିଛନ୍ତି । ଯଦି ସେ ସୁସ୍ଥ ହୋଇ ଦଳରେ ସାମିଲ ହୁଅନ୍ତି ତେବେ ସେ ମଧ୍ୟମକ୍ରମରେ ଖେଳିପାରନ୍ତି ବୋଲି କୁହାଯାଉଛି ।

ତେବେ ଏଥର ଆଇପିଏଲ ଚେନ୍ନାଇ ପାଇଁ ଖରାପ ଯାଇପାରେ । କାରଣ ଦଳରେ ଦୁଇ ପ୍ରମୁଖ ଖେଳାଳି ହରଭଜନ ସିଂ ଓ ସୁରେଶ ରୈନା ଅନୁପସ୍ଥିତ ରହିଛନ୍ତି । ତେବେ ଦଳ ଏହି ଆଇପିଏଲରେ ଭଲ ଖେଳିବା ପାଇଁ କେଉଁ ରଣନୀତି ଆପଣାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।