ଆଇପିଏଲକୁ ନେଇ ବଢିଲା ଆଶା । ସେପ୍ଟେମ୍ବରରୁ ନଭେମ୍ବର ଭିତରେ ହୋଇପାରେ ଆଇପିଏଲ୍, ଜାଣନ୍ତୁ କେଉଁଠି ଖେଳାଯିବ ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ।

1,050

କନକ ବ୍ୟୁରୋ : ଆଇପିଏଲକୁ ନେଇ ବଡ଼ ଖବର । କ୍ରିକେଟ ଜଗତର ସବୁଠୁ ବଡ଼ ଟୁର୍ଣ୍ଣାମେଂଟକୁ ନେଇ ବଢିଲା ଆଶା । ଚଳିତବର୍ଷ କଟକଣା ସହ ଆୟୋଜିତ ହୋଇପାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଆଇପିଏଲକୁ ନେଇ ଶୁକ୍ରବାର ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ ତଥା ଆପେକ୍ସ କାଉନସିଲ୍ ବୈଠକ ପରେ ଏହି ସମ୍ଭାବନା ସୃଷ୍ଟି ହୋଇଛି । କୁହାଯାଉଛି, ଚଳିତବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ଯଦି ବାତିଲ ହୁଏ, ତେବେ ହୁଏତ ଆଇପିଏଲ୍ ପାଇଁ ବାଟ ଫିଟିଯିବ ।

ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଭିତରେ ଆଇପିଏଲକୁ ନେଇ ସୃଷ୍ଟି ହୋଇଛି ନୂଆ ସମ୍ଭାବନା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ଶେଷ ସପ୍ତାହରୁ ନଭେମ୍ବର ମଧ୍ୟରେ ଆୟୋଜିତ ହୋଇପାରେ ଆଇପିଏଲ । ତେବେ ଭାରତରେ ନୁହେଁ ୟୁଏଇ ଠାରେ ଖେଳାଯିବ ଆଇପିଏଲର ସମସ୍ତ ମ୍ୟାଚ୍ ।

ତେବେ ସୋମବାର ହେବାକୁ ଥିବା ଆଇସିସିର ବୋର୍ଡ ବୈଠକ ପରେ ଆଇପିଏଲକୁ ନେଇ ଚୂଡାନ୍ତ ନିଷ୍ପତି ନିଆଯିବ । ଯଦି ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହୁଏ, ତେବେ ଏହା ୫ରୁ୬ ସପ୍ତାହ ଭିତରେ ହିଁ ଖେଳାଯିବ । କରୋନା କଟକଣା ସହ ବିନା ଦର୍ଶକରେ ଆୟୋଜିତ ହେବ ମ୍ୟାଚ୍ ।

ସବୁଠାରୁ ବଡ କଥା ହେଉଛି, ୟୁଏଇରେ ଉପଯୁକ୍ତ ଉଡାଣ ସୁବିଧାର ଉପଲବ୍ଧ ଏବଂ ଉତମ ଚିକିତ୍ସା ବ୍ୟବସ୍ଥାର ସୁବିଧା ଥିବାରୁ ଏଠାରେ ଆଇପିଏଲ ଆୟୋଜନ କରାଯିବା ନେଇ ଚର୍ଚ୍ଚା ହେଉଛି । କମ୍ ସମୟ ମଧ୍ୟରେ ଅଧିକ ମ୍ୟାଚ୍ ଖେଳାଯିବା ପାଇଁ ଦୁବାଇର ଷ୍ଟାଡିୟମରେ ସମସ୍ତ ସୁବିଧା ରହିଛି । ଏବଂ ୟୁଏଇର ଗୋଟିଏ ଷ୍ଟାଡିୟମରୁ ଅନ୍ୟ ଷ୍ଟାଡିୟମର ଦୂରତା ମଧ୍ୟ ବହୁତ କମ୍ । ଏପରିକି ୨୦୧୪ରେ ଆଇପିଏଲର ଅଧା ମ୍ୟାଚ୍ ୟୁଏଇ ଠାରେ ହିଁ ଖେଳାଯାଇଥିଲା ।

ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ମାସ ୨୯ ତାରିଖରୁ ଆରମ୍ଭ ହୋଇଥାନ୍ତା ଲୋକପ୍ରିୟ ଟି-୨୦ ଲିଗ୍ ଆଇପିଏଲ୍ । କିନ୍ତୁ ସାରା ବିଶ୍ୱରେ କରୋନା ଭାଇରସ କାୟା ମେଲାଇ ଚାଲିଥିବାରୁ ଏହି ଲିଗକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା । ଆଉ ଆସନ୍ତା ସୋମବାର ହେବାକୁ ଥିବା ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚଳିତବର୍ଷ ଆଇପିଏଲକୁ ନେଇ ନିଆଯିବ ଚୂଡାନ୍ତ ନିଷ୍ପତି ।