ଆବୁଧାବିରେ ମୁମ୍ବାଇର ବାଜିମାତ୍: କିଙ୍ଗସ ଇଲେଭେନ୍ ପଂଜାବକୁ ୪୮ ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ; ରୋହିତ ଶର୍ମା, କିରଣ ପୋଲାର୍ଡ ଓ ହାର୍ଦ୍ଦି ପାଣ୍ଡ୍ୟାଙ୍କ ଧୁଆଁଧାର ବ୍ୟାଟିଂ

ବୁମରା, ଚହର ଓ ପାଟିନ୍ସନ୍ଙ୍କ ବୋଲିଂ ଆଗରେ ଫିକା ପଡିଲା ପଂଜାବ

154

କନକ ବ୍ୟୁରୋ: ଆବୁଧାବିରେ ପଂଜାବକୁ ହରାଇ ଦେଇଛି ମୁମ୍ବାଇ । ଆଇପିଏଲର ୧୩ ନମ୍ବର ମ୍ୟାଚରେ ୪୮ ରନ୍ରେ କିଙ୍ଗ୍ସ ଇଲେଭନ୍ ପଂଜାବକୁ ମାତ୍ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଟସ୍ ଜିତି ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ପଂଜାବ । ମୁମ୍ବାଇ ଇଣ୍ଡିଆନ୍ସର ଓପନର୍ ଡି. କକ୍ ବିନା ସ୍କୋରରେ ପ୍ୟାଭିଲିୟନକୁ ଫେରିଥିଲେ । ହେଲେ ପ୍ରଶଂସକକୁ ନିରାଶ କରି ନଥିଲେ କ୍ୟାପଟେନ୍ ରୋହିତ ଶର୍ମା । ମାତ୍ର ୪୫ଟି ବଲରେ ୮ଟି ଚୌକା ଓ ୩ଟି ଛକା ବଳରେ ୭୦ ରନ୍ କରି ଦଳକୁ ଏକ ବଡ଼ ସ୍କୋର ଅଭିମୁଖେ ଆଗେଇ ନେଇଥିଲେ ରୋହିତ୍ । କିରଣ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ୟାଙ୍କ ଦ୍ରୁତ ରନ୍ ଯୋଗୁଁ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୯୧ ରନ୍ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ ।

୨୦ ବଲରେ ପୋଲାର୍ଡ ୪୭ ରନ୍ କରିଥିବା ବେଳେ ମାତ୍ର ୧୧ଟି ବଲରେ ୩୦ ରନ୍ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ୧୯୨ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା କିଙ୍ଗ୍ସ ଇଲେଭେନ୍ ପଂଜାବ । ତେବେ ନିକୋଲାସ୍ ପୁରନ୍ ସର୍ବାଧିକ ୪୪ ରନ୍ କରିଥିବା ବେଳେ ଆଉ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସମର୍ଥ ହୋଇନଥିଲେ । ଓପନର୍ ମୟଙ୍କ ଅଗ୍ରୱାଲ ୨୫ ରନ୍ କରିଥିଲେ । ଏବଂ କ୍ୟାପଟେନ୍ କେ.ଏଲ. ରାହୁଲ ମାତ୍ର ୧୭ ରନ୍ କରି ଆଉଟ୍ ହୋଇଥିଲେ । ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୪୩ ରନ୍ କରିପାରିଥିଲା ପଂଜାବ । ଫଳରେ ସହଜ ବିଜୟ ହାସଲ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ ।