ୟୁଏଇରେ ଆୟୋଜିତ ହେବ ଆଇପିଏଲ: ବିସିସିଆଇର ସୂଚନା ସରକାର ଅନୁମତି ଦେଲ, ସେପ୍ଟେମ୍ବର ୨୬ ରୁ ନଭେମ୍ବର ୮ ମଧ୍ୟରେ ହେବ ପ୍ରତିଯୋଗିତା; ୪୪ ଦିନରେ ୬୦ ମ୍ୟାଚ୍

କରୋନା ସଂକ୍ରମଣ ଯୋଗୁଁ ବିଦେଶରେ ଆୟୋଜନ ପାଇଁ ନିଷ୍ପତି

321

କନକ ବ୍ୟୁରୋ: ୟୁଏଇରେ ଆୟୋଜିତ ହେବ ଆଇପିଏଲ । ଆଇସିସି ଦ୍ୱାରା ଟି-୨୦ ବିଶ୍ୱକପକୁ ସ୍ଥଗିତ ରଖାଯିବା ପରେ ଆଇପିଏଲ ପାଇଁ ପଥ ପରିଷ୍କାର ହୋଇଛି ।ୟୁନାଇଟେଡ୍ ଆରବ ଏମିରେଟସ ବା ୟୁଏଇରେ ଆସନ୍ତା ସେପ୍ଟେମ୍ବର ୨୬ ରୁ ନଭେମ୍ବର ୮ ମଧ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ କରିବାକୁ ନିଷ୍ପତି ନେଇଛି ବିସିସିଆଇ । ଅର୍ଥାତ ୪୪ ଦିନରେ ମୋଟ ୬୦ଟି ମ୍ୟାଚ ଖେଳାଯିବ । ଏନେଇ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ୟୁଏଇରେ ଆଇପିଏଲ ଆୟୋଜନ କରିବାକୁ ସରକାରଙ୍କୁ ଅନୁମତି ମଗାଯାଇଛି । ଅନୁମତି ମିଳିବା ପରେ ଆନୁଷ୍ଠାନିକ ଘୋଷଣା କରାଯିବ । ଆଇପିଏଲ ସାଧାରଣତଃ ଏପ୍ରିଲ ମାସରେ ହୋଇଥାଏ । କିନ୍ତୁ ଭାରତରେ କରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ଆଇପିଏଲ ସ୍ଥଗିତ ରହିଛି । ଭାରତରେ ନିକଟ ଭବିଷ୍ୟତରେ କରୋନା ସ୍ଥିତି ସୁଧୁରୁବି ଭଳି ଲାଗୁ ନାହିଁ । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ବିଦେଶରେ ଏହାକୁ ଆୟୋଜନ କରିବା ଲାଗି ନିଷ୍ପତି ନେଇଛି । ୨୦୧୪ରେ ଭାରତରେ ନିର୍ବାଚନ ଥିବାରୁ ଆଇପିଏଲର କେତେକ ମ୍ୟାଚ ୟୁଏଇରେ ଆୟୋଜିତ ହୋଇଥିଲା ।