କନକ ବ୍ୟୁରୋ : ଅଭିଜ୍ଞତା ନିକଟରେ ଯୁବବାହିନୀ ପରାଜୟ ସ୍ବୀକାର କରିଛି । ଶୁକ୍ରବାର ଦ୍ବିତୀୟ କ୍ବାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍ରେ ହରାଇ ଚେନ୍ନାଇ ସୁପର୍ କିଙ୍ଗସ ଆଇପିଏଲ୍-୧୨ର ଫାଇନାଲରେ ସ୍ଥାନ ପକ୍କା କରି ନେଇଛି । ରବିବାର ଫାଇନାଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ ଭେଟିବ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ । ଅଷ୍ଟମ ଥର ପାଇଁ ଚେନ୍ନାଇ ଫାଇନାଲକୁ ଉଠିଛି । ଉଭୟ ଦଳ ୩ ଥର ଲେଖାଏଁ ଆଇପିଏଲ୍ ମୁକୁଟ ଜିତି ସାରିଛନ୍ତି । ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ରେ ଏବଂ ମୁମ୍ବାଇ ୨୦୧୩, ୨୦୧୫, ୨୦୧୭ରେ ଟ୍ରଫି ଜିତିଥିଲା । ଚତୁର୍ଥ ଥର ପାଇଁ ଫାଇନାଲରେ ପରସ୍ପରକୁ ଭେଟିବେ । ପୂର୍ବ ୩ ଥର ମଧ୍ୟରୁ ମୁମ୍ବାଇ ୨ ଥର ଜିତିଛି ।
ଶୁକ୍ରବାର ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟ୍ ବିନିମୟରେ ୧୪୭ ରନ୍ କରିଥିଲା । ଚେନ୍ନାଇ ପକ୍ଷରୁ ଦୀପକ ଚହର, ହରଭଜନ ସିଂହ, ରବୀନ୍ଦ୍ର ଜାଦେଜା ଓ ଡ୍ବେନ୍ ବ୍ରାଭୋ ୨ ଲେଖାଏଁ ୱିକେଟ୍ ପାଇଥିଲେ ।ଜବାବରେ ବିଦେଶୀ ପ୍ରାରମ୍ଭିକ ଯୋଡ଼ି ଫାପ୍ ଡୁ ପ୍ଲେସିସ୍ (୫୦, ୩୯ ବଲ୍, ୭ ଚୌକା, ୧ ଛକା) ଏବଂ ସେନ୍ ୱାଟସନ୍ (୫୦, ୩୨ ବଲ୍, ୩ ଚୌକା, ୪ ଛକା) ଦୃଢ଼ ମୂଳଦୁଆ ପକାଇବା ପରେ ଅମ୍ବାତି ରାୟୁଡୁ (୨୦*, ୨୦ ବଲ୍, ୩ ଚୌକା)ଙ୍କ ପାଳି ଚେନ୍ନାଇ ପାଇଁ ଯଥେଷ୍ଟ ହୋଇଥିଲା । ମଝିରେ ସୁରେଶ ରାଇନା (୧୧) ଏବଂ ମହେନ୍ଦ୍ର ସିଂହ ଧୋନି (୯) ଆଉଟ୍ ହୋଇଥିଲେ ମଧ୍ୟ ଏହାର କୌଣସି କୁପ୍ରଭାବ ପଡ଼ିନଥିଲା । ଫାପ୍ ଡୁ ପ୍ଲେସିସ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
ସଂକ୍ଷିପ୍ତ ସ୍କୋର୍: ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୪୭/୯ (ଋଷବ ପନ୍ତ୍-୩୮, କଲିନ ମୁନ୍ରୋ-୨୭, ଶିଖର ଧାୱନ୍-୧୮, ଦୀପକ ଚହର-୨/୨୮, ହରଭଜନ ସିଂହ-୨/୩୧, ରବୀନ୍ଦ୍ର ଜାଦେଜା-୨/୨୩, ଡ୍ବେନ୍ ବ୍ରଭୋ-୨/୧୯)।
ଚେନ୍ନାଇ ସୁପର କିଙ୍ଗ୍ସ ୧୯ ଓଭରରେ ୧୫୧/୪ (ସେନ୍ ୱାଟ୍ସନ୍-୫୦, ଫାଫ୍ ଡୁ’ପ୍ଲେସିସ୍-୫୦, ଅମ୍ବାତି ରାୟୁଡୁ-୨୦*, ଟ୍ରେଣ୍ଟ୍ ବୋଲଟ୍-୧/୨୦, ଅମିତ ମିଶ୍ରା-୧/୨୧, ଈଶାନ୍ତ ଶର୍ମା-୧/୨୪, ଅକ୍ଷର ପଟେଲ୍-୧/୩୨)।