ଆଜି ହାଇଭୋଲଟେଜ୍ ଫାଇଟ୍ । ମୁହାଁମୁହିଁ ହେବେ ଦିଲ୍ଲୀ-ହାଇଦ୍ରାବାଦ ।

98

କନକ ବ୍ୟୁରୋ : ଆଜି ଆଇପିଏଲର ସବୁଠୁ ରୋମାଞ୍ଚକର ଲଢେଇ । ଚଳିତ ଆଇପିଏଲ୍‌ରେ ବୁଧବାର ଏଲିମିନେଟରରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । ଏହି ମ୍ୟାଚ୍‌ରେ ଯିଏ ଜିତିବ ସେ ଫାଇନାଲ୍‌ ଖେଳିବା ଲାଗି ଗୋଟିଏ ପାଦ ଆଗକୁ ବଢ଼ିବ । ହେଲେ ଯେଉଁ ଦଳ ହାରିବ ‌ସେ ପ୍ରତିଯୋଗିତାରୁ ସମ୍ପୂର୍ଣ୍ଣ ବାଦ ପଡ଼ିବ । ଏଭଳି ସ୍ଥିତିରେ ଉଭୟ ଦଳ ଲାଗି ଫାଇନାଲ୍‌ ରାସ୍ତା ବଡ଼ କଷ୍ଟକର ହୋଇପଡ଼ିଛି । ‌‌ଏଲିମିନେଟରରେ ‌‌ଯେଉଁ ଦଳ ଜିତିବ ସେହି ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବାକୁ ଥିବା କ୍ବାଲିଫାୟର-୧ର ପରାଜିତ ଦଳ ସହ କ୍ବାଲିଫାୟାର-୨ ଖେଳିବ । ଏହାର ବିଜେତା ଫାଇନାଲ୍‌କୁ ଉନ୍ନୀତ ହେବ । ଲିଗ୍‌ ପର୍ଯ୍ୟାୟରେ ଦିଲ୍ଲୀ ୧୪ ମ୍ୟାଚ୍‌ରୁ ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ୍‌ ପାଇ ପ୍ଲେଅଫ୍‌ ପହଞ୍ଚିଥିଲା । ତେବେ ହାଇଦ୍ରାବାଦ ସମାନ ମ୍ୟାଚ୍‌ ଖେଳି ୬ ବିଜୟ ଓ ୬ ପରାଜୟ ସହ ୧୨ ପଏଣ୍ଟ୍‌ ପାଇ ଭାଗ୍ୟ ବଳରେ ଏଲିମିନେଟରକୁ ଉନ୍ନୀତ ହୋଇଥିଲା । ଚଳିତ ଋତୁରେ ଉଭୟ ଦଳ ଦୁଇ ଥର ମୁହାଁମୁହିଁ ‌ହୋଇଥିଲା ବେଳେ ଥରେ ଲେଖାଏଁ ବିଜୟ ପାଇଥିଲେ ।

ପ୍ରାୟ ୬ ବର୍ଷର ବ୍ୟା‌ବଧାନ ପରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ୍‌ ଖେଳୁଥିବାରୁ ଉତ୍ସାହିତ ରହିଛି । ଏହି ଦଳ ଚେନ୍ନାଇ ଓ ମୁମ୍ବାଇ ସହ ସମାନ ୧୮ ପଏଣ୍ଟ ପାଇଥିଲେ ମଧ୍ୟ ‌ନେଟ୍‌ ରନ୍‌ ରେଟ୍‌ରେ ପଛୁଆ ରହି ଅଳ୍ପକେ ପ୍ରଥମ ଦୁଇ ସ୍ଥାନରୁ ବଞ୍ଚିତ ହୋଇଥିଲା । ତଥାପି ଦଳ ସଂପ୍ରତି ଯେଉଁ ପ୍ରକାର ପ୍ରଦର୍ଶନ କରୁଛି ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିବା ଲାଗି କଷ୍ଟକର ହେବନି । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନ୍‌ (୪୮୬ ରନ୍‌) ସର୍ବାଧିକ ରନ୍‌ ସଂଗ୍ରହକାରୀ ତାଲିକାର ଷଷ୍ଠରେ ଏବଂ ‌ଅଧିନାୟକ ଶ୍ରେୟସ ଆୟର (୪୪୨) ଦଶମରେ ରହିଛନ୍ତି । ‌ଋଷବ ପନ୍ତ (୪୦୧) ମଧ୍ୟ ବ୍ୟାଟିଂରେ ଭଲ କରିଛନ୍ତି । ଏମାନଙ୍କ ସହ ବୋଲିଂରେ ଦ୍ରୁତ ବୋଲର କାଗି‌‌ସୋ ରବାଦା (୨୫)ଙ୍କ ସଫଳତା ହିଁ ଦିଲ୍ଲୀକୁ ଏହି ସ୍ଥାନରେ ପହଞ୍ଚାଇଥିଲା । ‌ରବାଦା ମଧ୍ୟ ଚଳିତ ଆଇପିଏଲ୍‌ର ସର୍ବାଧିକ ୱିକେଟ୍‌ ଦଖଲକାରୀ ତାଳିକାର ଶୀର୍ଷରେ ରହିଛନ୍ତି । ହେଲେ ରବାଦା ‌ସ୍ବଦେଶ ଫେରି ଯାଇଥିବାରୁ ବୋଲିଂ ଭାର ଦ୍ରୁତ ବୋଲର ଟ୍ରେଣ୍ଟ୍‌ ବୋଲ୍ଟ, ଈଶାନ୍ତ ଶର୍ମା ଓ ସ୍ପିନର ଅମିତ ମିଶ୍ରାଙ୍କ ଉପରେ ରହିବ । ରିକି ପଣ୍ଟିଂ ଓ ସୌରଭ ଗାଙ୍ଗୁଲି ଦଳର ପରାମର୍ଶଦାତା ଥିବାରୁ ଏମାନଙ୍କ ଅଭିଜ୍ଞତାର ଫାଇଦା ଦିଲ୍ଲୀକୁ ମିଳୁଛି ।

ଅନ୍ୟପକ୍ଷରେ ହାଇଦ୍ରାବାଦ ଆଇପିଏଲ୍‌ ଇତିହାସରେ ପ୍ରଥମ ଦଳ ଭାବେ ୧୨ ପଏଣ୍ଟ୍‌ ପାଇ ପ୍ଲେ ଅଫ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । କୋଲ୍‌କାତା ନାଇଟ୍‌ ରାଇଡର୍ସ ଏବଂ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ସମାନ ୧୨ ପଏଣ୍ଟ୍‌ ଲେଖାଏଁ ପାଇଥିଲେ ମଧ୍ୟ ‌ଏନ୍‌ଆର୍‌ଆର୍‌ ଆଧା‌ରରେ ହାଇଦ୍ରାବାଦଠୁ ପଛରେ ପଡ଼ିଯାଇଥିଲେ । ‌ବିଶ୍ବକପ୍‌ ଦଳରେ ସ୍ଥାନ ପାଇଥିବାରୁ ଦୁଇ ବିଦେଶୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ୱାର୍ନର (୬୯୨) ଏବଂ ଜନି ବେୟାରଷ୍ଟୋ (୪୪୫) ଦଳ ଛାଡ଼ିସାରିଛନ୍ତି । ଫଳରେ ଦଳ ଟିକେ ଚାପରେ ରହିବ । ମନୀଷ ପ‌ାଣ୍ଡେ (୩୧୪) ଏବଂ ବିଜୟ ଶଙ୍କର (୨୧୯) ଭଲ ଖେଳୁଥିବାରୁ ଦଳ ଏମାନଙ୍କ ଉପରେ ଭରସା କରିବ । ଏଥିସହ ଦଳରେ ଅଧିନାୟକ କେନ୍‌ ୱିଲିୟମସନ୍‌ ନିଜ ଦେଶୀୟ ‌ସାଥୀ ମାର୍ଟିନ ଗପ୍ଟିଲଙ୍କ ଉପରେ ମଧ୍ୟ ଭରସା କରିବେ । ବୋଲିଂରେ ରସିଦ ଖାନ୍‌, ଭୁବନେଶ୍ବର କୁମାର ଏବଂ ଖଲିଲ ଅହମ୍ମଦ ଭଲ କରୁଥିବାରୁ ହାଇଦ୍ରାବାଦ ପୁରା ମାତ୍ରରେ ଦିଲ୍ଲୀକୁ ଦାବିବା ଲକ୍ଷ୍ୟରେ ରହିଛି ।

ସମ୍ଭାବ୍ୟ ଦଳ (ଦିଲ୍ଲୀ) : ପୃଥ୍ବୀ ସ, ଶିଖର ଧାୱନ୍‌, ଶ୍ରେୟସ ଆୟର (ଅଧିନାୟକ), ଋଷବ ପନ୍ତ, କଲିନ୍‌ ଇନ୍‌ଗ୍ରାମ, ସେରଫାନ୍‌ ରଦରଫୋର୍ଡ, କିମୋ ପଲ୍‌, ଅକ୍ଷର ପଟେଲ, ଅମିତ ମିଶ୍ର, ଈଶାନ୍ତ ଶର୍ମା, ଟ୍ରେଣ୍ଟ୍‌ ବୋଲ୍ଟ।

ସମ୍ଭାବ୍ୟ ଦଳ (ହାଇଦ୍ରାବାଦ) : ରିଦ୍ଧିମାନ ସାହା, ମାର୍ଟିନ ଗପ୍ଟିଲ, ମନୀଷ ପାଣ୍ଡେ, କେନ୍‌ ୱିଲିୟମସନ୍‌ (ଅଧିନାୟକ), ବିଜୟ ଶଙ୍କର, ୟୁସୁଫ ପଠାନ, ମହମ୍ମଦ ନବି, ରସିଦ ଖାନ୍‌, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ।