କରୋନା କଟକଣା ସତ୍ତ୍ୱେ ପୂର୍ବ ନିର୍ଦ୍ଧାରିତ ୬ଟି ସହରରେ ହିଁ ଖେଳାଯିବ ଆଇପିଏଲ । ଦର୍ଶକଙ୍କୁ ଷ୍ଟାଡିୟମ ହେବ ମନା, କେବଳ ସିଧାପ୍ରସାରଣରେ ମ୍ୟାଚ୍ ଦେଖିବେ ଦର୍ଶକ ।

140

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣର ୨ୟ ଲହରୀ ଦେଖାଦେଇଥିବାରୁ ଆଇପିଏଲ ଆୟୋଜନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶେଷକରି ମୁମ୍ବାଇରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଦେଖାଦେଇଥିବାରୁ ସେଠାରେ ଆଇପିଏଲ କିପରି ଆୟୋଜନ ହେବ ତାହା ବିସିସିଆଇ ପାଇଁ ଚିନ୍ତାର ବିଷୟ ହୋଇଛି । ତେବେ କରୋନା ମହାମାରୀ ସତ୍ତ୍ବେ ପୂର୍ବରୁ ସ୍ଥିର ହୋଇଥିବା ୬ଟି ସହରରେ ଆଇପିଏଲ ମ୍ୟାଚ ଖେଳାଯିବ । ପୂର୍ବ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ହୋଇନଥିବା ବିସିସିଆଇ ସୂତ୍ରରୁ  ଜଣାପଡ଼ିଛି ।

ଏହି ୬ଟି ସହର ହେଲେ ମୁମ୍ବାଇ, ଚେନ୍ନାଇ, ଅହମଦାବାଦ, ବାଙ୍ଗାଲୁରୁ, ଦିଲ୍ଲୀ ଓ କୋଲକତା । ତେବେ କରୋନା କଟକଣା ଦୃଷ୍ଟିରୁ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳ ହେବ । କେବଳ ସିଧାପ୍ରସାରଣ ମାଧ୍ୟମରେ ଦର୍ଶକମାନେ ଟେଲିଭିଜନରେ ଖେଳ ଦେଖିପାରିବେ । ଗତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ଆଇପିଏଲ ସ୍ବାଭାବିକ ସମୟରେ ହୋଇପାରିନଥିଲା । ପରେ ସେପ୍ଟେମ୍ବର ମାସରେ ଆଇପିଏଲ ଦୁବାଇରେ ଖେଳାଯାଇଥିଲା ।

ସେପଟେ ପୂର୍ବତନ ଭାରତୀୟ ଖେଳାଳୀ ତଥା ମୁମ୍ବାଇ ଇଣ୍ଡିଆନ୍ସର ସ୍କାଉଟ ଓ ପରାମର୍ଶଦାତା କିରନ ମୋରେ କରୋନା ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ଷର ପଟେଲ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ ।