ଚୀନକୁ ଝଟକା ଦେଲା ଆପଲ, ଭାରତରେ ନିର୍ମାଣ ହେବ ଆଇଫୋନ-୧୨

208

ଦୀର୍ଘ ଦିନ ଧରି ଘରୋଇ ସ୍ମାର୍ଟଫୋନ୍ ଉତ୍ପାଦନ ଉପରେ ଭାରତ ସରକାର ଗୁରୁତ୍ୱାରୋପ କରିଆସୁଛନ୍ତି। ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ସ୍ମାର୍ଟଫୋନ୍, କମ୍ପ୍ୟୁଟର ଲାପଟପ୍ ର ଘରୋଇ ଉତ୍ପାଦନ ଉପରେ ମଧ୍ୟ ରିହାତି ଦିଆଯାଉଛି। ଯାହାଦ୍ୱାରା ସ୍ମାର୍ଟଫୋନ ଉତ୍ପାଦନକାରୀ କମ୍ପାନୀଗୁଡିକ ଚୀନରୁ ଭାରତକୁ ସ୍ଥାନାନ୍ତର ହୋଇପାରିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି | ଆଉ ସରକାରଙ୍କ ଏହି ପ୍ରୟାସ ମଧ୍ୟ ସଫଳ ହେଉଥିବାର ଦେଖିବାକୁ ମିଳିଛି |

ବର୍ତ୍ତମାନ ଆପଲ୍ ପରି ବଡ ଟେକ୍ କମ୍ପାନୀ ଏହାର ଲୋକପ୍ରିୟ ସ୍ମାର୍ଟଫୋନ୍ ଆଇଫୋନ୍ ୧୨କୁ ଭାରତରେ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି | କମ୍ପାନୀ ଖୁବ ଶୀଘ୍ର ଭାରତରେ ଏହାର ଲୋକପ୍ରିୟ ଆଇଫୋନ୍ ୧୨ ସ୍ମାର୍ଟଫୋନ୍ ଉତ୍ପାଦନ କରିବ ବୋଲି ଆପଲ୍ ମଙ୍ଗଳବାର ଘୋଷଣା କରିଛି। ଆଇଫୋନ୍ ୧୨ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ ହେବ | ଆଇଫୋନ୍ ୧୨ ର ଘରୋଇ ନିର୍ମାଣ ଖବର ଏଭଳି ଏକ ସମୟରେ ଆସିଛି ଯେତେବେଳେ ଦେଶରେ ଆଇଫୋନ୍ ୧୨ ସିରିଜ୍ ସ୍ମାର୍ଟଫୋନର ଚାହିଦା ବହୁତ ଅଧିକ ରହିଛି | ଆପଲ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ଗ୍ରାହକଙ୍କ ପାଇଁ ଘରୋଇ ଭାବରେ ଆଇଫୋନ୍ ୧୨ ଉତ୍ପାଦନ କରି ଆମେ ଗର୍ବିତ ଅନୁଭବ କରୁଛୁ ।

ସାଇବର ମିଡିଆ ରିସର୍ଚ୍ଚ (ସିଏମଆର) ର ଏକ ରିପୋର୍ଟ ଅନୁଯାୟୀ ଅକ୍ଟୋବରରେ ଆଇଫୋନ୍ ୧୨ ସିରିଜ୍ ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ୨୦୨୦ ମସିହାରେ ଆପଲ୍ ଏହାର ବ୍ୟବସାୟରେ ୬୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ଆପଲ ପ୍ରାୟ ୧୦୦ ପ୍ରତିଶତ ଅଭିବୃଦ୍ଧି କରିଛି | ଏହାର ଅନ୍ୟତମ କାରଣ ହେଉଛି ଭାରତୀୟ ସ୍ମାର୍ଟଫୋନ୍ ଇଣ୍ଡଷ୍ଟ୍ରିରେ ଆଇଫୋନ୍ ପାଇଁ ଚାହିଦା ବଢୁଛି । ସୂଚନା ଥାଉ କି ଆପଲ ଆଇଫୋନ-୧୨ ସିରିଜ ୫ଜି ବୈଶିଷ୍ଟ୍ୟ ହୋଇଥିବାବେଳେ ୬୬ ହଜାର ଟଙ୍କାରୁ ଆରମ୍ଭ କରି ଦେଢ଼ ଲକ୍ଷ ଟଙ୍କା ମୂଲ୍ୟ ଯାଏଁ ରହିଛି |