ଆମ ସମାଜରେ ମହିଳାଙ୍କ ସୁରକ୍ଷାକୁ ନେଇ କେତେଗୁଡିଏ ଆଇନ୍ ପ୍ରଣୟନ କରାଯାଇଛି । ଏହି ଧାରାମାନଙ୍କ ମଧ୍ୟରୁ ଏକ ପ୍ରମୁଖ ଧାରା ହେଉଛି ୪୯୮-ଏ । ଏହି ଧାରା ବିଷୟରେ ଜାଣିବାର ସମ୍ପୁର୍ଣ୍ଣ ଅଧିକାର ପ୍ରତ୍ୟେକ ମହିଳାଙ୍କ ମଧ୍ୟରେ ରହିବା ଆବଶ୍ୟକ । ଏହି ଆଇନ୍ କୁ ମହିଳାଙ୍କ ସୁରକ୍ଷା କବଚ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ତେବେ ଆସନ୍ତୁ ଜାଣିବା କ’ଣ ଏହି ଧାରା ୪୯୮-ଏ ?
ଚାରିଆଡେ ମହିଳାଙ୍କ ସୁରକ୍ଷା ଏବଂ ସମ୍ମାନହାନୀକୁ ନେଇ ଚିନ୍ତା ଘାରିଥିବା ବେଳେ ନିଜ ଘରର ଚାରିକାନ୍ଥରେ ମଧ୍ୟ ମହିଳା ନିଜକୁ ଅସହଜ ମନେ କରୁଛନ୍ତି । ଯୌତୁକ ନାମକ ହିଂସାରେ ଦୈନିକ କେତେ ଯେ ମହିଳା ନିଜ ଜୀବନ ହାରୁଛନ୍ତି ସେ ବିଷୟରେ କଳନା କରିହେବ ନାହିଁ । ମହିଳାଙ୍କ ଉପରୁ ଏଭଳି ହିଂସାକୁ ରୋକିବା ପାଇଁ ଭାରତୀୟ ଦଣ୍ଡ ସଂହିତା(ଆଇପିସି)ରେ ‘୪୯୮- ଏ’ ଆଇନରେ ସାମିଲ ହେଲା । ସ୍ୱାମୀ ତଥା ସ୍ୱାମୀଙ୍କ ପରିବାରରୁ ହେଉଥିବା କ୍ରୁରତାରୁ ରକ୍ଷା କରିବାର ଆଇନ୍ ହେଉଛି ଧାରା ‘୪୯୮- ଏ’ । ଯେତେବେଳେ ଆଇପିସିରେ ଧାରା ‘୪୯୮- ଏ’ କୁ ସାମିଲ୍ କରାଗଲା ସେତେବେଳେ ଏହାର ଅଧିକ ଫାଇଦା ସେହି ପରିବାରକୁ ହେଲା ଯେଉଁ ଘରର ଝିଅ ଯୌତୁକ ମାମଲାରେ ଶାଶୁଘରେ ପୀଡିତ ଅବସ୍ଥାରେ ଥିଲେ । ଏହି ଧାରାନୁସାରେ ଯୌତୁକ ପାଇଁ ବୋହୂକୁ ପ୍ରତାଡିତ କରୁଥିବା ପରିବାର ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ପ୍ରଥମେ କିଛି ଲୋକଙ୍କୁ ଏହି ଧାରା ବିଷୟରେ ଜ୍ଞାତ ନଥିଲା । କିନ୍ତୁ ଧିରେ ଧିରେ ଲୋକ ଏହାର ପ୍ରାଧାନ୍ୟତାକୁ ବୁଝିବାରେ ଲାଗିଲେ । କିନ୍ତୁ ବର୍ତ୍ତମାନ ଏହି ଆଇନର ଏଭଳି ବ୍ୟବହାର ହେଉଛି ଯାହା ବରପକ୍ଷଙ୍କ ପାଇଁ ଡରର ବାତାବରଣ ସୃଷ୍ଟି କରୁଛି ।
ଆଇନରେ ଏହି ଧାରାର ପ୍ରାଧାନ୍ୟତା କ’ଣ ?
ଯୌତୁକ ପ୍ରତାଡନାରୁ ମହିଳାଙ୍କୁ ରକ୍ଷା କରିବା ପାଇଁ ୧୯୮୬ ମସିହାରେ ଆଇପିସି ଧାରା ‘୪୯୮- ଏ’ କୁ କାର୍ଯ୍ୟକାରୀ କରାଗଲା । ଯଦି କୌଣସି ମହିଳାଙ୍କୁ ଶାଶୁଘର ଲୋକେ ଅତ୍ୟାଚାର କରନ୍ତି ତେବେ ଉକ୍ତ ମହିଳା ଏହି ଆଇନର ସାହାରା ନେଇପାରିବେ ।
କ’ଣ ରହିଛି ଦଣ୍ଡ ଜାଣନ୍ତୁ ?
ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡିଥାଏ । ଆଉ ଯଦି ମହିଳାଙ୍କ ମୃତ୍ୟୁ ସଦିଗ୍ଧ ଅବସ୍ଥାରେ ହୁଏ ଏବଂ ବିବାହର ୭ ବର୍ଷ ମଧ୍ୟରେ ହୁଏ ତେବେ ଆଇପିସି ଧାରା ‘୩୦୪-ବି’ ଅନୁସାରେ କେସ୍ କରିପାରିବେ । ତେବେ ଉଭୟ ଯୌତୁକ ନେବା ଏବଂ ଦେବା ଅପରାଧ ଅନ୍ତର୍ଭୁକ୍ତ ହୋଇଥାଏ । ଯୌତୁକ ଦେବା ଏବଂ ନେବାର ଅପରାଧ ସତ ସାବ୍ୟସ୍ତ ହେଲେ ଧାରା-୩ ଅନୁସାରେ ଥାନାରେ ମାମଲା ରୁଜୁ ହୋଇପାରିବ । ଯେଉଁଥିରେ ୫ ବର୍ଷର ଜେଲଦଣ୍ଡ ମଧ୍ୟ ଭୋଗିବାକୁ ପଡିବ । ବିବାହ ପୂର୍ବରୁ ବରପକ୍ଷ ଯୌତୁକ ଦାବି କଲେ ମଧ୍ୟ ଏହି ଧାରାନୁସାରେ କେସ୍ ହୋଇପାରିବ । ସ୍ୱାମୀ ହୁଅନ୍ତୁ ଅବା ପରିବାର ଯଦି ମହିଳାଙ୍କ ଉପରେ ନିର୍ଯାତନା ଦିଅନ୍ତି ତେବେ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସମେତ ଜୋରିମାନା ମଧ୍ୟ ଲାଗିପାରେ ।
ତେବେ ୨୦୧୫ ମସିହାରେ ଏକ ରିପୋର୍ଟ ମୁତାବକ ୪୯୮-ଏ ଧାରାରେ ୧୨,୧୦୭ ମାମଲା ସାମ୍ନାକୁ ଆସିଲା ଯେଉଁଥିରେ ୭,୪୫୮ ମାମଲା ମିଥ୍ୟା ଥିଲା । ତେବେ ଏଥିରେ ମିଥ୍ୟା କେସ୍ କଲେ ଏହାର ପରିଣାମ ଉକ୍ତ ମହିଳାଙ୍କୁ ଭୋଗିବାକୁ ପଡିବ ।