ମାଗଣାରେ କରିପାରିବେ ୩ ଓଳି ରୋଷେଇ, ଏହି ଚୁଲା ଉପରେ ସରକାର ବି ଦେଉଛନ୍ତି ରିହାତି

431

କନକ ବ୍ୟୁରୋ : ଦେଶରେ ରୋଷେଇ ଗ୍ୟାସର ଦାମ ଏବେ ଆକାଶଛୁଆଁ ହେବାରେ ଲାଗିଛି । ଭାରତୀୟ ବଜାରରେ ଏବେ ୧୪.୩ ଲିଟର ଗ୍ୟାସ ସିଲିଣ୍ଡରର ଦାମ ୧ ହଜାର ଟଙ୍କା ଉପରେ ରହିଛି । ଏସବୁ ପାଇଁ ଏବେ ଗୃହିଣୀମାନେ ଅଶାନ୍ତିରେ ଅଛନ୍ତି । ହେଲେ ଏସବୁରୁ ମୁକ୍ତି ମିଳିବାକୁ ସରକାର ଏକ ନୂଆ ଚୁଲ୍ଲା ଲଂଚ କରିଛନ୍ତି । ଆଇଓସି ତରଫରୁ ରୋଷେଇ ଗ୍ୟାସ ବଦଳରେ ଏକ ଚୁଲା ପ୍ରସ୍ତୁତ କରିଛି । କମ୍ପାନୀ ତରଫରୁ ଘର ଭିତରେ ରଖି ରୋଷେଇ କରାଯାଇ ପାରୁଥିବା ଏକ ସୌର ଚୁଲା ଲଂଚ କରିଛି । ଏହି ଚୁଲାର ସ୍ୱତନ୍ତ୍ରତା ହେଉଛି ଏହାକୁ ଆପଣ ଘର ଭିତରେ ରଖି ଦିନ ହେଉ କି ରାତି ସବୁବେଳେ ରୋଷେଇ କରିପାରିବେ । ଏଥିପାଇଁ ଆପଣଙ୍କୁ ଗ୍ୟାସ ସିଲିଣ୍ଡରର ଆବଶ୍ୟକତା ପଡିବ ନାହିଁ । ଏଥିପାଇଁ ଉପଭୋକ୍ତାଙ୍କୁ ଘର ବାହାରେ ବା ଛାତ ଉପରେ ଏକ ସୋଲାର ପ୍ୟାନେଲ ଲଗାଇବାକୁ ପଡିବ ।

ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପସିଂ ପୁରୀଙ୍କ ବାସଭବନରେ ଏହି ଚୁଲାର ପ୍ରଦର୍ଶନ କରାଯାଇଛି । ଏନେଇ ପୁରୀ କହିଛନ୍ତି କି ଏହି ଚୁଲା କିଣିବାକୁ କେବଳ ଅର୍ଥ ଦେବାକୁ ପଡିବ ହେଲେ ଏହାର ପରିଚାଳନା ନେଇ ଉପଭୋକ୍ତାଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଫରିଦାବାଦ ଠାରେ ଥିବା ଆଇଓସି ର ଏକ ରିସର୍ଚ୍ଚ ସେଣ୍ଟରରେ ଏହି ଚୁଲା ପ୍ରସ୍ତୁତ କରାଯାଇଥିବା କଥା ପୁରୀ କହିଛନ୍ତି ।

 

ଆଇଓସିର ନିର୍ଦ୍ଦେଶକ ଏସଏସ ବି ରାମକୁମାର କହିଛନ୍ତି କି, ଏହି ଚୁଲାର ନାମ ‘ସୂର୍ଯ୍ୟ ନୂତନ’ ରଖାଯାଇଛି । ଏହି ଚୁଲାରେ ୪ ଜଣିଆ ପରିବାର ପାଇଁ ସହଜରେ ୩ ଓଳି ରୋଷେଇ କରାଯାଇ ପାରିବ ବୋଲି ସେ କହିଛନ୍ତି । ଏବେ ସାରା ଦେଶରେ ୬୦ ଟି ସ୍ଥାନରେ ଏହି ଚୁଲା ଟେଷ୍ଟିଂ କରାଯାଇଛି । ଏହି ଚୁଲାର ମୂଲ୍ୟ ୧୮ ହଜାର ଟଙ୍କାରୁ ୩୦ ହଜାର ଟଙ୍କା ମଧ୍ୟରେ ରହିଛି । ଏହା ଉପରେ ସରକାର ରିହାତି ବି ଦେଉଛନ୍ତି । ରିହାତି ପରେ ଏହି ଚୁଲାକୁ ଆପଣ ୧୦ ରୁ ୧୨ ହଜାର ଟଙ୍କା ମଧ୍ୟରେ କିଣିପାରିବେ ।