ରାଜଧାନୀରେ ପୁଣି ଚାକିରୀ ନାଁରେ ବଡ ଠକେଇ । IOCLରେ ଚାକିରୀ କରାଇଦେବାକୁ କହି ଯୁବକଙ୍କଠାରୁ ୧୫ ଲକ୍ଷ ଟଙ୍କା ଲୁଟିନେଲେ ଠକ

ଖଣ୍ଡଗିରି ଥାନାରେ ଏତଲା; ମାମଲା ରୁଜୁକରି ଚୁପ ବସିଛି ପୁଲିସ

415

କନକ ବ୍ୟୁରୋ: ଆଇଓସିଏଲରେ ଚାକିରି କରାଇ ଦେବାକୁ କହି ୧୫ଲକ୍ଷ ଟଙ୍କା ଠକେଇ । ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଏନେଇ ଅଭିଯୋଗ ହୋଇଛି । ଖଣ୍ଡଗିରିରେ ଅଂଚଳରେ ରହୁଥିବା ବାଲେଶ୍ୱରର ସାଗର କୁମାର ପାଢୀ ନାମକ ଜଣେ ଯୁବକ ଏପରି ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ସୁରେଶ ବାରିକ ଓ ବିଜେନ୍ଦ୍ର ସିଂ ନାମକ ଦୁଇ ବ୍ୟକ୍ତି ସାଗରଙ୍କୁ ଆଇଓସିଏଲରେ ଚାକିରୀ କରାଇ ଦେବେ କହି ୧୫ ଲକ୍ଷ ଟଙ୍କା ଠକି ନେଇଛନ୍ତି ।

ସବୁଠାରୁ ବଡ କଥା ହେଉଛି  ସାଗରକୁ ନେଇ ସେମାନେ ଆଇଓସିଏଲ ଅଫିସ ଭିତରକୁ ଯାଇଥିଲେ । ସବୁ ବିଭାଗରେ ବୁଲାଇ କେଉଁଠାରେ ପୋଷ୍ଟିଂ ହେବ ତାହା ବି ଦେଖାଇ ଥିଲେ । ସାଗର ମନରେ ବିଶ୍ୱାସ ହେବା ପରେ ଦୁଇ ଠକଙ୍କୁ ବ୍ୟାଙ୍କ ଯୋଗେ ୧୦ଲକ୍ଷ ଆଉ ନଗଦ ୫ଲକ୍ଷ ଟଙ୍କା ଦେଇଥିଲେ । ହେଲେ ଟଙ୍କା ପାଇବା ପରେ ସୁରେଶ ଓ ବିଜେନ୍ଦ୍ର ଧରାଛୁଆଁ ଦେଉ ନାହାନ୍ତି । ଠକାମିର ଶିକାର ହୋଇଥିବା ଜାଣିବା ପରେ ସାଗର ଏବେ ସାଗର ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି । ଅନ୍ୟପଟେ ପୋଲିସ କେବଳ ମାମଲା ରୁଜୁ କରି ଚୁପ ବସିଥିବା ଅଭିଯୋଗ ହୋଇଛି ।