ବର୍ଡର-ଗାଭାସ୍କର ଟ୍ରଫି ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ । ଦଳକୁ ପ୍ରଂଶସା କଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇଂଜମାମ୍-ଉଲ୍-ହକ୍ 

466

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ ଏବେ ବି ଚର୍ଚ୍ଚାରେ ରହିଛି । ଏହି ବିଜୟ ପାଇଁ ପାକିସ୍ତାନର ପୂର୍ବତନ ଅଧିନାୟକ ଇଂଜମାମ-ଉଲ-ହକ ୩ଜଣ ବ୍ୟକ୍ତିଙ୍କୁ ଶ୍ରେୟ ଦେଇଛନ୍ତି । ଇଂଜାମାମ ନିଜର ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଭାରତର ବିଜୟର ପ୍ରଶଂସା କରିଛନ୍ତି । ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇବା ବଡ କଥା ଏବଂ ଯେଉଁ ସମୟରେ ଦଳରେ ବରିଷ୍ଠ ଖେଳାଳି ନାହାନ୍ତି ସେପରି ସମୟରେ ବିଜୟର ଶ୍ରେୟ କୋଚ୍ ରବି ଶାସ୍ତ୍ରୀ, କ୍ୟାପଟେନ ବିରାଟ କୋହଲି ଓ ରାହୁଲ ଦ୍ରାବିଡଙ୍କୁ ଦେଇଛନ୍ତି ।

ଭାରତୀୟ କ୍ରିକେଟରେ ଦ୍ରାବିଡଙ୍କ ଭୂମିକାକୁ ପ୍ରଶଂସା କରିବା ସହ ଖେଳାଳିଙ୍କୁ ମାନସିକ ସ୍ତରରେ ମଜଭୁତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି  ଇଂଜାମାମ । ରାହୁଲ ଦ୍ରାବିଡ ୨୦୧୬ରୁ ୨୦୧୯ ଯାଏଁ ୪ ବର୍ଷ ପର୍ଯ୍ୟନ୍ତ ଭାରତୀୟ ‘ଏ’ ଟିମ ଓ ଅଣ୍ଡର ୧୯ ଟିମକୁ କୋଚିଂ ଦେଉଥିଲେ । ପ୍ରାୟ ୩୨ ବର୍ଷ ପରେ ଗାବାରେ ମ୍ୟାଚ୍ ଜିତି ଭାରତ ଐତିହାସିକ ସଫଳତା ହାସଲ କରିବା ପରେ ଭାରତୀୟ ଦଳକୁ ନେଇ କେବଳ ଭାରତ ନୁହଁ ବିଶ୍ୱ କ୍ରିକେଟ୍ ମଧ୍ୟ ପ୍ରଶଂସା କରୁଛି ।