ସେନସେକ୍ସ ବଜାଇଲା ସତର୍କଘଣ୍ଟି । ସେୟାର ବଜାରରେ ବଡ ହଲଚଲ୍ । ଗୋଟିଏ ଦିନରେ ଅଢ଼େଇ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକାରୀ ।

352

କନକ ବ୍ୟୁରୋ : ମାନ୍ଦାବସ୍ଥା ନେଇ ଚିନ୍ତା ବଢ଼ୁଥିବା ବେଳେ ଗତକାଲି ସେୟାର ମାର୍କେଟରେ ଏପରି ମାଡ଼ ପଡ଼ିଛି, ଯାହା ସମସ୍ତଙ୍କ ଉଦବେଗକୁ ଆହୁରି ବଢ଼ାଇ ଦେଇଛି । ଗୋଟିଏ ଦିନର ଟ୍ରେଡିଂରେ ୨ ଲକ୍ଷ ୫୫ ହଜାର କୋଟି ଟଙ୍କା ହରାଇଛନ୍ତି ନିବେଶକ । ୧୩୮ ଲକ୍ଷ ୪୨ ହଜାର କୋଟି ଟଙ୍କାର ସେୟାର ଚାହୁଁ ଚାହୁଁ ବଜାରରୁ ଗାଏବ ହୋଇ ଯାଇଥିଲା ୨ ଲକ୍ଷ ୫୫ ହଜାର କୋଟି ଟଙ୍କା । ଗତକାଲିର କାରବାରରେ ୫୨ ସପ୍ତାହର ରେକର୍ଡ ଭାଙ୍ଗି ସର୍ବନିମ୍ନ ସ୍ତର ଛୁଇଁଥିଲା ୨୦୦ଟି କଂପାନୀର ସେୟାର ।

କାରବାର ଶେଷ ବେଳକୁ ୭୭୦ ପଏଂଟ ହ୍ରାସ ପାଇ ୩୬ ହଜାର ୫୬୩ ପଏଂଟରେ ବନ୍ଦ ହୋଇଥିଲା ସେନସେକ୍ସ । ସେହିପରି ୨୨୫ ପଏଂଟ ହ୍ରାସ ପାଇ ନିଫ୍ଟି ୧୦ ହଜାର ୭୯୮ ପଏଂଟରେ ବନ୍ଦ ହୋଇଛି । ସେପଟେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ମଧ୍ୟ ଗୋଟିଏ ଦିନରେ ୬୪ ପଇସା ହ୍ରାସ ପାଇଛି । ଜିଡିପି ଅଭିବୃଦ୍ଧି ହାର ହ୍ରାସ ପାଇବା, ଉତ୍ପାଦନ କ୍ଷେତ୍ର ଗଭୀର ଭାବେ ପ୍ରଭାବିତ ହେବା, ବିଶେଷ କରି ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଜାରି ରହିବା ଯୋଗୁଁ ସେୟାର ବଜାର ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି ।

ସେୟାର ବଜାରରେ ବଡ଼ ହଲଚଲ । ୭୭୦ ପଏଣ୍ଟ ଖସିଲା ସେନସେକ୍ସ । ୨୨୫ ପଏଣ୍ଟ ହ୍ରାସ ପାଇଲା ନିଫ୍ଟି । ଗଣେଶ ପୂଜାରେ ସେୟାର ବଜାର ବନ୍ଦ ରହିବା ପରେ ଗତକାଲି ଯେତେବେଳେ କାରବାର ଆରମ୍ଭ ହେଲା, ନିବେଶକଙ୍କ ମୁଣ୍ଡ ଉପରେ ଚଡ଼କ ପଡିଗଲା । ପ୍ରାୟ ୨ ମାସର ରେକର୍ଡ ଭାଙ୍ଗି ଗୋଟିଏ ଦିନରେ ୭୭୦ ପଏଣ୍ଟ ଖସିଗଲା ସେନସେକ୍ସ ।

ବମ୍ବେ ଷ୍ଟକ୍ ଏକ୍ସଚେଂଜରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଟାଟା ଷ୍ଟିଲ୍, ଟାଟା ମୋଟର୍ସ, ଇଣ୍ଡସଇଣ୍ଡ ବ୍ୟାଙ୍କ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର । ସେହିପରି ଏନଏସଇ ଅନ୍ତର୍ଭୁକ୍ତ ସରକାରୀ ବ୍ୟାଙ୍କ ଓ ମେଟାଲ୍ ଶିଳ୍ପର ସେୟାରରେ ବିପୁଳ କ୍ଷତି ସହିଛନ୍ତି ନିବେଶକ ।

କାହିଁକି ବଜାର ଉପରେ କମୁଛି ନିବେଶକଙ୍କ ଆସ୍ଥା ?

– ଜୁଲାଇ ମାସରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ରିଫାଇନାରୀ, ସାର, ଇସ୍ପାତ, ସିମେଂଟ, ବିଦ୍ୟୁତ ଭଳି ୮ଟି କୋର୍ ସେକ୍ଟରରେ ଅଭିବୃଦ୍ଧି ମାତ୍ର ୨.୧ ପ୍ରତିଶତ ହୋଇଥିବା ନେଇ ସରକାରଙ୍କ ରିପୋର୍ଟ । ଗତବର୍ଷ ଏହି ସମୟରେ ୭.୩ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟିଥିଲା ।

– ଚଳିତ ଆର୍ଥିକ ବର୍ଷ ପ୍ରଥମ ତିନି ମାସରେ ୫ ପ୍ରତିଶତକୁ ଖସି ଆସିଲା ଜିଡିପି ଅଭିବୃଦ୍ଧି ହାର । ଉତ୍ପାଦନ କ୍ଷେତ୍ରରେ ନିରାଶାଜନକ ପ୍ରଦର୍ଶନ ।

– ଅଗଷ୍ଟ ମାସରେ ଅଟୋ ସେକ୍ଟରରେ ସାଂଘାତିକ ମାନ୍ଦାବସ୍ଥା । ବିକ୍ରି କମିଯିବାରୁ ଉତ୍ପାଦନ କମ୍ କଲେ ମାରୁତି ଓ ଟାଟା ମୋଟର ଭଳି ବଡ଼ ବଡ଼ କଂପାନୀ ।

– ୧୦ଟି ବ୍ୟାଙ୍କକୁ ମିଶାଇ ୪ଟି ବଡ଼ ବ୍ୟାଙ୍କ ଘୋଷଣା ପରେ ସରକାରୀ ବ୍ୟାଙ୍କ ସେୟାରରେ ବଡ଼ ହ୍ରାସ ।

– ଦିନକୁ ଦିନ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ । ଗୋଟିଏ ଦିନରେ ୬୪ ପଇସା ବଢ଼ି ୧ ଡଲାରର ମୂଲ୍ୟ ହେଲା ୭୨ଟଙ୍କା ୩ପଇସା । ଅଗଷ୍ଟ ମାସରେ ଭାରତୀୟ ସେୟାର ବଜାରରୁ ୬୦୦୦ କୋଟି ଟଙ୍କା ଉଠାଇ ନେଇଛନ୍ତି ବିଦେଶୀ ନିବେଶକ ।

– ଆମେରିକା-ଚୀନ ବାଣିଜ୍ୟିକ ଲଢ଼େଇ ମଧ୍ୟ ସେୟାର ବଜାରକୁ ପ୍ରଭାବିତ କରୁଛି ।