ଦିଲ୍ଲୀରେ ନିବେଶକଙ୍କ ପାଇଁ ରେଡ କାର୍ପେଟ ବିଛାଇଲେ ଓଡିଶା ସରକାର । ନବୀନ କହିଲେ, ପୂର୍ବ ଭାରତରେ ମାନୁଫେକଚରିଂ ହବ୍ ପାଲଟିବ ଓଡିଶା

39

କନକ ବ୍ୟୁରୋ : ନିବେଶକଙ୍କ ପାଇଁ ରେଡ୍ କାର୍ପେଟ୍ ବିଛାଇଲା ଓଡ଼ିଶା । ମେକ୍ ଇନ୍ ଓଡ଼ିଶା ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ପୂର୍ବରୁ ଆଜି ଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଇନଭେଷ୍ଟର ମିଟ୍ । ଏହି ସମ୍ମିଳନୀରେ ଓଡ଼ିଶାରେ ନିବେଶ ପାଇଁ ଥିବା ସୁଯୋଗ ଓ ସମ୍ଭାବନା ନେଇ ବିସ୍ତୃତ ବିବରଣୀ ରଖିିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି- ପୂର୍ବ ଭାରତରେ ଓଡ଼ିଶା, ମାନୁଫେକଚରିଂ ହବ୍ ଭାବେ ଛିଡ଼ା ହେବା ପାଇଁ ଯାଉଛି । ତେଣୁ ପୁଞ୍ଜି ନିବେଶ ପାଇଁ ଓଡ଼ିଶା ଏବେ ଉକ୍ରୃଷ୍ଟ ରାଜ୍ୟ । ଏହି ଇନଭେଷ୍ଟର ମିଟରେ ୩ଶହରୁ ଅଧିକ କଂପାନୀ ଭାଗ ନେଇଥିଲେ ।

ଚଳିତବର୍ଷର ଥିମ୍ ‘ଆଇଏମ୍ ଓଡ଼ିଶା’ର ନାରା ଦେଇ, ନିବେଶକଙ୍କ ପାଇଁ ଓଡ଼ିଶା କେତେ ଉକ୍ରଷ୍ଟ ଏବଂ ଓଡ଼ିଶାରେ ଉଦ୍ୟୋଗୀଙ୍କ ପାଇଁ କେତେ ବଡ ସମ୍ଭାବନା ରହିଛି, ତା’ର ଏକ ବିସ୍ତୃତ ବିବରଣୀ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେକ୍ ଇନ୍ ଓଡ଼ିଶା ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ପୂର୍ବରୁ ଦିଲ୍ଲୀ ଇନଭେଷ୍ଟର ମିଟରେ ଦେଶର ବଡ ବଡ ୩୦୦ଟି କଂପାନୀ ଆଗରେ ଓଡ଼ିଶାର ସାମର୍ଥ୍ୟ ଓ ସମ୍ଭାବନା ସଂପର୍କରେ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଖଣିଜ ଉତ୍ପାଦ, ଷ୍ଟିଲ୍ ଉତ୍ପାଦନ, ବନ୍ଦର ସାମର୍ଥ୍ୟ, ଶକ୍ତି ଉତ୍ପାଦନ, ମାନବ ସମ୍ବଳ ଆଦି କ୍ଷେତ୍ରରେ ଓଡ଼ିଶା ବିଶ୍ୱସ୍ତରୀୟ ପରିଚୟ ସୃଷ୍ଟି କରିଥିବାରୁ ନିବେଶକଙ୍କ ପାଇଁ ଓଡ଼ିଶା ଏକ ବଡ ସୁଯୋଗ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି-
-ଦେଶର ୫୪% ଉତ୍ପାଦନ ସହ ଦକ୍ଷିଣ ଏସିଆର ଆଲୁମିନିୟମ୍ କ୍ୟାପିଟାଲ ଓଡ଼ିଶା
-ଏକ ଚତୁର୍ଥାଂଶ ଷ୍ଟିଲ୍ ଉତ୍ପାଦନ ସହ ଦେଶରେ ଓଡ଼ିଶା ଷ୍ଟିଲ ଉତ୍ପାଦନର ପେଣ୍ଠସ୍ଥଳି
– ଖଣିଜ ଶିଳ୍ପ ଏବଂ ପାରିପାଶ୍ୱିକ ଶିଳ୍ପର ବିକାଶ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହେଉଛି
– ଓଡ଼ିଶାରେ ବନ୍ଦର ଗୁଡ଼ିକର ସାମର୍ଥ୍ୟ ୧୦ ଗୁଣ ବୃଦ୍ଧି ପାଇଛି
– ଶକ୍ତି ଉତ୍ପାଦନ ବଢ଼ିଛି ଏବଂ ୫୦% ରୋଡ୍ ନେଟୱାକ୍ ବୃଦ୍ଧି ପାଇଛି
ଆଉ ଏହି ସବୁ ତଥ୍ୟ ନିବେଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି ।

ବଡ କଥା ହେଉଛି ଗତବର୍ଷ ମାତ୍ର ୯ ମାସ ଭିତରେ ଓଡ଼ିଶା ସରକାର ସଫଳତାର ସହ ୫୦ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଯେଉଁଥିରେ ୧୭ ହଜାର କୋଟି ଟଙ୍କା ନିବେଶ ହୋଇଥିଲା । ଯାହା ରାଜ୍ୟରେ ୨୧ ହଜାର ନିଯୁକ୍ତି ସଂଭାବନା ସୃଷ୍ଟି କରିଛି । ଏପଟେ କିନ୍ତୁ ଏହାକୁ ନେଇ ଓଡ଼ିଶାରେ ରାଜନୀତି ଜୋରଧରିଛି । ବିରୋଧୀ ଅଭିଯୋଗ କହିଛନ୍ତି ଏହା କେବଳ ପ୍ରଚାର ସର୍ବସ୍ୱ । ଯାହାର ଜବାବ୍ ରଖିଛି ବିଜେଡି ।

ରାଜନୀତିର ଏହି ଆରୋପ-ପ୍ରତ୍ୟାରୋପ ଭିତରେ, ୨୦୧୮ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀକୁ ଦୃଷ୍ଟିରେ ରଖି ଆଗେଇ ଚାଲିଛନ୍ତି ରାଜ୍ୟ ସରକାର । ଯାହା ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବ । ଆଉ ପୂର୍ବ ଭାରତରେ ଓଡ଼ିଶାକୁ ମାନୁଫେକଚରିଂ ହବ୍ ଭାବେ ଛିଡ଼ା କରିବାର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।