ବଢିଲା ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ଅଡୁଆ । ଆରୟନଙ୍କୁ ଗିରଫ ମାମଲାରେ ଲାଞ୍ଚ ମାଗିବା ନେଇ ଅଭିଯୋଗ ।

121

କନକ ବ୍ୟୁରୋ: ଆରୟନ ଖାନଙ୍କୁ ଛାଡିବା ପାଇଁ ୨୫ କୋଟିର ଡିମାଣ୍ଡ କରିଥିଲେ ଏନସିବି ଅଧିକାରୀ । ଏଭଳି ଏକ ବଡ ଅଭିଯୋଗ ଲାଗିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନାଲ ଡିରେକ୍ଟର ସମୀର ୱାଙ୍ଖଡେଙ୍କ ବିରୋଧରେ । ଅକ୍ଟୋବର ୨ ତାରିଖରେ ଆରୟନ ଖାନଙ୍କୁ ମୁମ୍ବାଇ କ୍ରୁଜରୁ ଗିରଫ କରିବା ପରେ ତାଙ୍କୁ ଛାଡିବା ପାଇଁ ଏକ ବଡ ଡିଲ୍ ହୋଇଥିଲା ବୋଲି ଚର୍ଚ୍ଚା ହେଉଛି । ମହାରାଷ୍ଟ୍ର ମନ୍ତ୍ରୀଙ୍କ ଅଭିଯୋଗ ପରେ ତଦନ୍ତ ପରିସର ଭୁକ୍ତ ହୋଇଛନ୍ତି ସମୀର ୱାଙ୍ଖଡେ । ସେପଟେ ନିଜ ଜୀବନ ପ୍ରତି ବିପଦ ଥିବା ପାଲଟା ଅଭିଯୋଗ ଆଣିଛନ୍ତି ସମୀର ୱାଙ୍ଖଡେ ।

ଆରୟନ ଖାନ ଡ୍ରଗ୍ସ ମାଲାରେ ତଦନ୍ତ କରୁଥିବା ଏନସିବି ଜୋନାଲ ଡିରେକ୍ଟର ସମୀର ୱାଙ୍ଖଡେଙ୍କୁ କରାଯିବ ଜେରା । ତାଙ୍କ ବିରୋଧରେ ଲାଞ୍ଚ ନେବା ନେଇ ଲାଗିଛି ସାଂଘାତିକ ଅଭିଯୋଗ । ଆରୟନ ଖାନଙ୍କୁ ଛାଡିବା ପାଇଁ ୨୫ କୋଟିର ଲାଞ୍ଚ ମାଗିଥିଲେ ଏନସିବି ଅଧିକାରୀ । ଏହି ଅଭିଯୋଗ ଆଣିଛନ୍ତି ଡ୍ରଗ୍ସ ମାମଲାର ସାକ୍ଷୀ ଥିବା କେପି ଗୋସ୍ୱାମୀଙ୍କ ଅଙ୍ଗରକ୍ଷୀ ପ୍ରଭାକର ଶୈଳ । ଏକ ସତ୍ୟପାଠ ଜରିଆରେ ଆରୟନ ଖାନଙ୍କୁ ଛାଡିବା ପାଇଁ ୱାଙ୍ଖଡେଙ୍କ ତରଫରୁ ଗୋସ୍ୱାମୀ ଏହି ଟଙ୍କା ଦାବି କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ପ୍ରଭାକର ଶୈଳ । ଆଉ ଏହି ସମୟର ଏକ ଭିଡିଓକୁ ଟ୍ୱିଟରରେ ସେୟାର କରି ପ୍ରମାଣ ରଖିଛନ୍ତି ଶିବସେନା ନେତା ସଂଜୟ ରାଉତ ।

ସେପଟେ ସମୀର ୱାଙ୍ଖଡେଙ୍କୁ ଜେରା କରିବା ପାଇଁ ମଙ୍ଗଳବାର ଏନସିବିର ଏକ ଟିମ୍ ଦିଲ୍ଲୀରୁ ମୁମ୍ବାଇ ଆସିବ । ଆରୟନ ଖାନ୍ ଗିରଫଦାରିରେ ସେ ଲାଞ୍ଚ ନେଇଛନ୍ତି କି ନାହିଁ ତାଙ୍କୁ ପ୍ରଶ୍ନ କରାଯିବ । ପ୍ରଭାକର ଶୈଳ କହିଛନ୍ତି – ଆରୟନଙ୍କୁ ଛାଡ ପାଇଁ ୨୫ କୋଟି ଦାବି ହୋଇଥିଲା । ହେଲେ ୧୮ କୋଟିରେ ଛିଡିଥିଲା ଡିଲ୍ । ୮ କୋଟି ନେଇଥାନ୍ତେ ସମୀର ବାକି ୧୦ କୋଟି ଅନ୍ୟମାନଙ୍କ ମଧ୍ୟରେ ବଂଟା ଯାଇଥାନ୍ତା ବୋଲି ଅଭିଯୋଗ କରିଛନ୍ତି ପ୍ରଭାକର । ସମୀର ୱାଙ୍ଖଡେ ଲାଞ୍ଚ ନେଇଛନ୍ତି କି ନାହିଁ ଏନେଇ ସୋମବାର କୋର୍ଟରେ ଏନସିବି ପକ୍ଷରୁ ଏକ ଆଫିଡେଭିଟ୍ ଦାଖଲ କରାଯାଇଛି ।

ସେପଟେ କେପି ଗୋସ୍ୱାମୀ ଅକ୍ଟୋବର ୬ ତାରିଖରୁ ନିଖୋଜ ଅଛନ୍ତି । ଆରୟନ ଗିରଫ ଯେଉଁ ବ୍ୟକ୍ତିଙ୍କ ସହ ଆରୟନଙ୍କ ସେଲଫି ଭାଇରାଲ ହୋଇଥିଲା, ସେହି ବ୍ୟକ୍ତି ହେଉଛନ୍ତି କେପି ଗୋସ୍ୱାମୀ । ଡ୍ରଗ୍ସ ମାମଲା ମଙ୍ଗଳବାର ମୁମ୍ବାଇ ହାଇକୋର୍ଟରେ ଆରୟନ ଖାନଙ୍କ ଜାମିନ ନେଇ ଶୁଣାଣି ହେବ ।