କନକ ବ୍ୟୁରୋ : ସିଏମସିର ଫୁଡ୍ ସେଫ୍ଟି ଅଫିସରଙ୍କ ହାତରେ ଲାଗିଲା ଚାଞ୍ଚଲ୍ୟକର ତଥ୍ୟ । ସିଏମସି ଫୁଡ ସେଫଟି ଅଫିସର ପ୍ରତୀକ୍ଷା ଦାସ ମହାପାତ୍ର କହିଛନ୍ତି ଯେ ପୂଜା ଘିଅ ନାଁରେ ସେଭଳି କୌଣସି ସାମଗ୍ରୀ ବିକ୍ରି ଅନୁମତି ପ୍ରଦାନ କରାଯାଇନାହିଁ। ଏହା ସମ୍ପୂର୍ଣ୍ଣ ବେଆଇନ। ଲୋକେ ଏଥିପ୍ରତି ସଚେତନ ହେବା ଆବଶ୍ୟକ । କୌଣସି ସଂସ୍ଥାର ନାହିଁ ‘ପୂଜା ଘିଅ’ ଲାଇସେନ୍ସ । ପୂଜା ଘିଅ ନାଁରେ କୌଣସି ଲାଇସେନ୍ସ ଏଫ୍ଏସ୍ଏସ୍ଏଆଇ(ଫୁଡ୍ ସେଫ୍ଟି ଆଣ୍ତ ଷ୍ଟାଣ୍ତାର୍ଡସ୍ ଅଥରିଟି ଅଫ୍ ଇଣ୍ତିଆ) ପକ୍ଷରୁ କୌଣସି କମ୍ପାନିକୁ ପ୍ରଦାନ କରାଯାଏ ନାହିଁ । ଘିଅର ଶ୍ରେଣୀଭୁକ୍ତ କେବଳ ଗାଈ ଘିଅ ଓ ବନସ୍ପତ୍ତି ଘିଅ ନାଁରେ କରାଯାଇଛି । ଚେନ୍ନାଇରୁ ଆମଦାନୀ ହେଉଥିବା ସୋୟାବିନ୍ ତେଲ ଅସଲି ଗାଈ ଘିଅ ଭଳି ବାସ୍ନା ହେଉଛି । ଏଥିରୁ ହିଁ ପୂଜା ଘିଅ ପ୍ରସ୍ତୁତ କରାଯାଉଛି । ଏହି ଦୃଷ୍ଟିରୁ କଟକ ସହରରେ ବର୍ତ୍ତମାନ ସୁଦ୍ଧା ଯେଉଁ ପୂଜା ଘିଅ ବିକ୍ରି କରାଯାଉଛି ଏଗୁଡ଼ିକ ସମ୍ପୂର୍ଣ୍ଣ ବେଆଇନ ।
ତେବେ ଜଗତପୁରର ସୁବାସ ଘିଅ ୨୦୧୭ରେ ଗାଈ ଘିଅ ବିକ୍ରି କରିବାକୁ ଲାଇସେନ୍ସ ଆଣିଥିଲା । ସୁବାସ ବ୍ୟତୀତ ଅନ୍ୟ କାହାର ବି ଘିଅ ଲାଇସେନ୍ସ ନାହିଁ । ଏମାନେ କେବଳ ଡବାରେ ପୂଜା ଘିଅ ଲେଖି ବିକ୍ରି କରୁଥିଲେ । ସିଏମ୍ସିର ଫୁଡ୍ ସେଫ୍ଟି ଅଫିସରଙ୍କ ହାତରେ ଏଭଳି ତଥ୍ୟ ହସ୍ତଗତ ହୋଇଛି । କଟକ କମିସନରେଟ୍ ପୁଲିସ ନିୟମିତ ଘିଅ ୟୁନିଟ୍ ଉପରେ ଚଢ଼ଉ କରିବାରୁ ଏବେ ସହରରେ ପୂଜା ଘିଅର ସ˚କଟ ଦେଖାଦେଇଛି । ଏଭଳି ସ୍ଥିତିରେ ରାୟପୁରରୁ କଟକକୁ ଏକ ନିର୍ଦ୍ଦିଷ୍ଟ କମ୍ପାନିର ପୂଜା ଘିଅ ଚାଲାଣ ହେଉଥିବା କୁହାଯାଉଛି । କଟକ ସହରରେ ମର୍କତନଗର ଥାନା ପୁଲିସ ଜାନୁଆରି ୩୦ ତାରିଖରେ ସିଡିଏ ସେକ୍ଟର ୯ରୁ ପୂଜା ଘିଅ ପ୍ରସ୍ତୁତ କରୁଥିବା ଏକ ଫ୍ୟାକ୍ଟ୍ରିରେ ଚଢ଼ଉ କରି ୧ ଲକ୍ଷ ଟଙ୍କାର ଘିଅ ଜବତ କରିଥିଲା । ସେହିଭଳି ପୂର୍ବରୁ ଗବଗସ୍ତ, ନୂଆବଜାର ସମେତ ୫ଟି ୟୁନିଟ୍ରୁ ବର୍ତ୍ତମାନ ସୁଦ୍ଧା ନକଲି ଘିଅ କମିସନରେଟ୍ ପୁଲିସ ଜବତ କରିସାରିଲାଣି । ପାଖାପାଖି ଏକ କୁଇଣ୍ଟାଲ୍ ଘିଅ ପୁଲିସ ନଷ୍ଟ କରିସାରିଲାଣି । ଗୋଟିଏ ପଟେ ପୁଲିସ ଘିଅ ନଷ୍ଟ କରି ଚାଲିଥିବା ବେଳେ ଏବେ ରାୟପୁର ଲିଙ୍କ୍ ସାମନାକୁ ଆସିଲାଣି ।
ରାୟପୁରରୁ ଆସୁଥିବା ପୂଜା ଘିଅ ଜଗତପୁରରେ ଅନଲୋଡି˚ କରାଯାଉଛି । ଜଗତପୁରରୁ ଛୋଟ ଗାଡ଼ିରେ ପ୍ରଫେସର ପଡ଼ା ଚାଲାଣ ହେଉଛି । ଏଠାରେ ପୂଜା ଘିଅ ଗଚ୍ଛିତ ରହୁଥିବା କୁହାଯାଉଛି । ମାଲଗୋଦାମ ବ୍ୟବସାୟୀମାନେ ନକଲି ଘିଅ ବିକ୍ରି ପାଇଁ ଅନୁମତି ଦେଉନଥିବାରୁ ଘିଅ ମାଫିଆମାନେ ଏବେ ମାଲଗୋଦାମ ବାହାରେ ଘିଅ ଗଚ୍ଛିତ କରିବା ଆରମ୍ଭ କରିଦେଲେଣି । କଟକରେ ୫ଟି ପ୍ରମୁଖ ଘିଅ ୟୁନିଟ୍ କମିସନରେଟ୍ ପୁଲିସ ବନ୍ଦ କରିଦେବା ପରେ ଏବେ ପୂଜା ଘିଅର ଚାହିଦା ବଢ଼ିଯାଇଛି । ପ୍ରତି ମାସରେ ହାରାହାରି ୧୫ ଥର ରାୟପୁରରୁ ପୂଜା ଘିଅ କଟକକୁ ଚାଲାଣ ହେଉଛି। ପ୍ରତି ଥରରେ ୫ଟନ୍ ଲେଖାଏ ଘିଅ ଆସୁଥିବା କୁହାଯାଉଛି । ଏହି ଘିଅ ଚୌଦ୍ବାର, ଆଠଗଡ଼, ନିଆଳି, ଅଡ଼ଶପୁର, ଜଗତସି˚ହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଇତ୍ୟାଦି ଅଞ୍ଚଳକୁ ଚାଲାଣ କରାଯାଉଛି।