ବସରେ କରେଣ୍ଟ ଲାଗି ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ । କହିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ, ସେପଟେ ଦୁଃଖପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ ।

341

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବସ୍ । ବସରେ କରେଣ୍ଟ ଲାଗିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାର ତଦନ୍ତ ହେବ । ଯେଉଁମାନେ ଏଭଳି ଘଟଣା ପାଇଁ ଦାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ତଦନ୍ତ ନିର୍ଦ୍ଦେଶ ଦିଆ ସରିଲାଣି, କାର୍ଯ୍ୟାନୁଷ୍ଠାନ ନିଶ୍ଚୟ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ ଏବଂ ଆଗକୁ ଯେଭଳି ଏମିତି ଘଟଣା ନଘଟେ, ସେନେଇ ମଧ୍ୟ ପଦକ୍ଷେପ ନିଆଯିବ ।

ସେପଟେ ବସରେ କରେଣ୍ଟ ଲାଗି ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସେ ସମବେଦନା ଜଣାଇଛନ୍ତି । ମୃତାହତ ଖବର ଶୁଣି ଗଭୀର ଭାବେ ଦୁଃଖିତ ଥିବା କହିଛନ୍ତି ଧର୍ମେନ୍ଦ୍ର । ଏହା ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ମଧ୍ୟ ସେ କହିଛନ୍ତି ।

ମେଲପତୁ ଗାଁ ନିକଟରେ ବିଦ୍ୟୁତ ତାର ଦୀର୍ଘ ଦିନରୁ ଓହଳି ଥିଲା । ଏନେଇ ଗାଁ ଲୋକେ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ । ମାତ୍ର ବିଦ୍ୟୁତ ବିଭାଗ ଏଥିପ୍ରତି ନଜର ଦେଉନଥିବା ଗାଁ ଲୋକେ ଅଭଯୋଗ କରିଛନ୍ତି । ଯେଉଁଥିପାଇଁ ଆଜି ଏପରି ଦୁର୍ଘଟଣା ଘଟିଛି ।