କନକ ବ୍ୟୁରୋ : ଅଡ଼ୁଆରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ସାଂସଦଙ୍କ ଆଡକୁ ମାଡ଼ି ଆସୁଛି ଗୋଟିଏ ପରେ ଗୋଟିଏ ବଡ଼ ବିପଦ । ସାଂସଦ ବୈଜୟନ୍ତ ପଣ୍ଡା ନିର୍ବାଚନ ସମୟରେ କରିଥିବା ମିଥ୍ୟା ସତ୍ୟପାଠର ହେବ ତଦନ୍ତ । ଏନେଇ କେନ୍ଦ୍ରାପଡା ଏସଡ଼ିଜିଏମ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ସରିବା ପରେ ମେ ୨୫ ସୁଦ୍ଧା ରିପୋର୍ଟ ଦେବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଏସଡ଼ିଜିଏମ କୋର୍ଟ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୁଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ କେନ୍ଦ୍ରାପଡା ଏସଡ଼ିଜିଏମ କୋର୍ଟରେ ମାମଲା ଦାୟର କରାଯାଇଥିଲା । ଅଭିଯୋଗ ଅନୁସାରେ, ସାଂସଦ ହେବା ସହ ଇମ୍ଫାର ଉପସଭାପତି ପଦବୀରେ ରହି କୋଟି କୋଟି ଟଙ୍କା ଦରମା ନେଇଥିଲେ ବୈଜୟନ୍ତ । ତେବେ ନିର୍ବାଚନ ସତ୍ୟପାଠରେ ଏହି ସୂଚନା ଦେଇନଥିଲେ । ଏହି ତଥ୍ୟ ଲୁଚାଇ ସେ କେନ୍ଦ୍ରାପଡ଼ା ଲୋକସଭାମଣ୍ଡଳୀର ଲୋକଙ୍କୁ ଠକିଥିବା ଅଭିଯୋଗ କରିଥିଲେ ଦିଲ୍ଲୀପ କୁମାର ଦାସ ନାମକ ଜଣେ ବ୍ୟକ୍ତି ।ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏପରି କାର୍ୟ୍ୟ ଲୋକ ପ୍ରତିନିଧି ଆଇନର ଧାରା ୧୨୫(କ)ର ଉଲଂଘନ କରୁଥିବା ସେ ଅଭିଯୋଗ କରିଥିଲେ ।
ଜିଲ୍ଲା ବିଜେଡ଼ି ନେତା ମଧ୍ୟ ସାଂସଦଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ । ବୈଜୟନ୍ତ ଇମ୍ଫାରେ ଉପସଭାପତି ପଦରେ ରହିବା ସହ କୋଟି କୋଟି ଟଙ୍କା ଦରମା ନେଉଥିବା ଅଭିଯୋଗ ଆଣିଥିଲେ । ତେଣୁ ଲୋକଙ୍କୁ ସତ ଲୁଚାଇଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ ।
ବୈଜୟନ୍ତଙ୍କୁ ଏବେ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ପ୍ରଥମେ ବୈଜୟନ୍ତଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଥିଲା ବିଜେଡ଼ି । ଏହାପରେ ବୈଜୟନ୍ତଙ୍କ ସମର୍ଥକ ଜଣ ଜଣ କରି ସାଂସଦଙ୍କ ହାତ ଛାଡ଼ିଥିଲେ । ଏପରିକି କିଛି ଦିନ ପୂର୍ବେ ବୈଜୟନ୍ତଙ୍କ ରାଜନୈତିକ ସଂଯୋଜକ ଦେବାଶିଷ ମଲ୍ଲିକ ନିଜ ପଦରୁ ଇସ୍ତଫା ଦେବା ସହ ସାଂସଦଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ଯାହା ପୂରା ରାଜ୍ୟ ରାଜ୍ୟନୀତିରେ ଝଡ଼ ସୃଷ୍ଟି କରିଥିଲା ।