ଟିଆରପି ହେରଫେର ନେଇ ରିପବ୍ଲିକ ଟିଭି ସମେତ ୩ ଚ୍ୟାନେଲ ବିରୋଧରେ ତଦନ୍ତ । ମୁମ୍ବାଇ ପୁଲିସ୍ କମିଶନରଙ୍କ ସୂଚନା । ଅଭିଯୋଗକୁ ଖଣ୍ଡନ କଲା ରିପବ୍ଲିକ ଟିଭି । କହିଲା, ପାଲଗଡ଼ ସାଧୁହତ୍ୟା, ସୁଶାନ୍ତ ମୃତ୍ୟୁ ପରି ପ୍ରସଙ୍ଗ ଉଠାଇବାରୂୁ କରାଯାଉଛି ଟାର୍ଗେଟ ।

160

କନକ ବ୍ୟୁରୋ : ଟିଭି ଟିଆରପି ହେରଫେର ନେଇ ୩ଟି ଟିଭି ଚ୍ୟାନେଲ ବିରୋଧରେ ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୁଲିସ୍ । ମୁମ୍ବାଇ ପୁଲିସ୍ କମିଶନର ପରମବୀର ସିଂ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତଦନ୍ତ ପରିସରକୁ ଆସିଥିବା ଏହି ୩ଟି ଚ୍ୟାନେଲ ଭିତରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭି ଅଛି । ଅନ୍ୟ ଦୁଇଟି ଚ୍ୟାନେଲ ହେଲେ ଫକ୍ତ ମରାଠି ଓ ବକ୍ସ ସିନେମା । ଏହି ଚ୍ୟାନେଲ ଗୁଡ଼ିକ ଅସାଧୁ ଉପାୟରେ ନିଜର ଟିଆରପି ଅଧିକ କରି ଦେଖାଉଥିବା ଅଭିଯୋଗ ହୋଇଛି ।

ଟିଆରପି ହେଉଛି ଟେଲିଭିଜନ ରେଟିଂ ପଏଣ୍ଟସ । ଏହା ଜରିଆରେ ଗୋଟିଏ ଚ୍ୟାନେଳକୁ କେତେ ଦର୍ଶକ ଦେଖୁଛନ୍ତି, ତାହା ଜଣାପଡ଼ିଥାଏ । ମୁମ୍ବାଇ ପୁଲିସ୍ କମିଶନର କହିଛନ୍ତି ଯେ, ହଂସ ନାମକ ଗୋଟିଏ ସଂସ୍ଥା ଟିଆରପି ହେରଫେରରେ ଏହି ୩ ଚ୍ୟାନେଲକୁ ସହଯୋଗ କରୁଛି । ମୁମ୍ବାଇରେ ପ୍ରାୟ ୨ ହଜାର ବାରୋମିଟର ଲଗାଯାଇ ଅସାଧୁ ଉପାୟରେ ଟିଆରପି ହେରଫେର କରାଯାଉଥିଲା ବୋଲି କମିଶନର କହିଛନ୍ତି ।

ତଦନ୍ତ ପରିସରକୁ ଆସିଥିବା ୨ ମରାଠୀ ଚ୍ୟାନେଲର ମାଲିକଙ୍କୁ ଗିରଫ କରାଯାଇଛି । ଏହାସହ ଖୁବଶୀଘ୍ର ରିପବ୍ଲିକ ଟିଭିର କର୍ତ୍ତୃପକ୍ଷଙ୍କୁ ସମନ କରାଯିବ ବୋଲି ସେ କହିଛନ୍ତି । ସେପଟେ ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ଟିଆରପି ହେରଫେର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଗୋସ୍ୱାମୀ କହିଛନ୍ତି ଯେ, ପାଲଗଡ଼ ସାଧୁ ହତ୍ୟା ଓ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ପରି ପ୍ରସଙ୍ଗରେ ନିଜ ସ୍ୱର ଉଠାଇଥିବାରୁ ମୁମ୍ବାଇ ପୁଲିସ୍ ତାଙ୍କୁ ଓ ତାଙ୍କ ଚ୍ୟାନେଲକୁ ଟାର୍ଗେଟ୍ କରୁଛି ।