କନକ ବ୍ୟୁରୋ: ସୁନ୍ଦରଗଡର ଜନଗହଳି ପୂର୍ଣ୍ଣ ରାସ୍ତାରେ ୨ ମହିଳା ଉଲଘ୍ନ ହୋଇ ଚାଲିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଦୁଇ ମହିଳାଙ୍କ ପରିଚୟ କଣ? ସେମାନେ କେମିତି ଓ କେଉଁଭଳି ପରିସ୍ଥିତିରେ ଏମିତି ଉଲଘ୍ନ ହୋଇ ସେହି ସ୍ଥାନକୁ ଆସିଲେ, ତାର ତଦନ୍ତ କରୁଛି ସୁନ୍ଦରଗଡ ସଦର ପୋଲିସ । ଜଣେ ମହିଳା ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଏହି ମାମଲାର ତଦନ୍ତ କରୁଛି । ଗତକାଲି ପୋଲିସର ଏକ ଟିମ୍ ଦୁଇ ପୀଡିତଙ୍କୁ ରଖାଯାଇଥିବା ଆସ୍ଥା ଗୃହକୁ ଯାଇ ଜଣଙ୍କର ବୟାନ ରେକର୍ଡ କରିଛନ୍ତି ।

Advertisment

ଶୁକ୍ରବାର ଦିନ ସୁନ୍ଦରଗଡ ରାସ୍ତାରେ ଦୁଇ ମହିଳା ଉଲଗ୍ନ ହୋଇ ରାସ୍ତାରେ ଚାଲି ଚାଲି ଆସୁଥିଲେ । ମଧ୍ୟାହ୍ନ ୧୨ଟାରେ ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ପୂରା କ୍ଲାନ୍ତ ଓ ମାନସିକ ଭାବେ ସାମାନ୍ୟ ଦୁର୍ବଳ ୨ ମହିଳା ପୂରା ଉଲଘ୍ନ ହୋଇ ଚାଲିଥିଲେ । ରାସ୍ତାରେ ଶହ ଶହ ଲୋକ ଯାତାୟତ କରୁଥିଲେ । ସମସ୍ତେ ଦୁଇ ମହିଳାଙ୍କୁ ଏଭଳି ଅବସ୍ଥାରେ ଦେଖୁଥିଲେ । କିନ୍ତୁ କେହି ବି ସହାୟତାର ହାତ ବଢ଼ାଇନଥିଲେ । ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଲୁଗା କି ଗାମୁଛା ଖଣ୍ଡିଏ ଘୋଡାଇ ଦେବାକୁ ଆଗକୁ ଆସିନଥିଲେ । ଏହି ସମୟରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଚାଲିଥିବା ଆଦିବାସୀ ମେଳିରେ ସାମିଲ ହେବାକୁ ସେହି ବାଟ ଦେଇ, ନିଜ ଗାଁ ତସଲାଡିହିରୁ ଆସୁଥିବା ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଦୁଇ ମହିଳାଙ୍କୁ ଦେଖି ଅଟକି ଯାଇଥିଲେ । ଗାଡିରେ ଥିବା ଉତରୀୟରେ ଦୁଇ ମହିଳାଙ୍କୁ ଘୋଡାଇ ଦେଇ, ସେମାନଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣା ସାରାରାଜ୍ୟରେ ଆଲୋଡନ ସୃଷ୍ଟି କରିଛି ।