କନକ ବ୍ୟୁରୋ : ଆସନ୍ତା ୨୦୨୨ ମାର୍ଚ୍ଚ-ଏପ୍ରିଲ ମାସରେ ଟି-୨୦ ଫର୍ମାଟର ସବୁଠୁ ବ୍ୟୟବହୁଳ କ୍ରିକେଟ ଲିଗ୍ ଆଇପିଏଲ ଖେଳାଯିବ । ୨୦୨୨ ଆଇପିଏଲରେ ୨ଟି ନୂଆ ଟିମ୍ ମୈଦାନକୁ ଓହ୍ଳାଇବେ । ତେବେ ଏହାପୂର୍ବରୁ ମହାନିଲାମୀ ଆସନ୍ତା ଫେବ୍ରୁଆରୀରେ ହୋଇପାରେ । ଯେଉଁଥିପାଇଁ ଅଧିକାଂଶ ଟିମ୍ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି । ଖେଳାଳୀଙ୍କୁ ରିଟେନ ପରେ ଏବେ କୋଚ ଏବଂ ସପୋର୍ଟ ଷ୍ଟାଫଙ୍କ ଉପରେ ଫ୍ରାଞ୍ଚାଇଜ ମାନଙ୍କର ନଜର ରହିଛି । ପୂର୍ବରୁ ଲକ୍ଷ୍ନୋ ଟିମ୍ ଜିମ୍ବାୱେର ପୂର୍ବତନ କ୍ରିକେଟର ଆଣ୍ଡି ଫ୍ଲାୱାରଙ୍କୁ ଦଳର ମୁଖ୍ୟ କୋଚ ନିଯୁକ୍ତ କରିଥିବା ବେଳେ ଏବେ ସନରାଇଜର୍ସ ହାଇଦ୍ରାବାଦ ନିଜ ଟିମ୍ ସହ ଦୁଇ ପୂର୍ବତନ ଷ୍ଟାର ଖେଳାଳୀଙ୍କୁ ସାମିଲ କରିଛି ।

Advertisment

ସନରାଇଜର୍ସ ହାଇଦ୍ରାବାଦ ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ବ୍ରାଏନ ଲାରାଙ୍କୁ ଦଳରେ ସାମିଲ କରିଛି । ଲାରାଙ୍କୁ ଦଳର ରଣନୀତିକାର ଭାବେ ହାଇଦ୍ରାବାଦ ଦାୟିତ୍ୱ ଦେଇଛି । ଏନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ସେୟାର କରି ସୂଚନା ଦେଇଛି ହାଇଦ୍ରାବାଦ । ଲାରାଙ୍କ ବ୍ୟତୀତ ସନରାଇଜର୍ସ ହାଇଦ୍ରାବାଦ ଦଳରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଟମ୍ ମୁଡି ମୁଖ୍ୟ କୋଚ୍, ସାଇମାନ କାଟିଚଙ୍କୁ ସହ-କୋଚ ନିଯୁକ୍ତ କରାଯାଇଛି । ସେହିଭଳି ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଡେଲ ଷ୍ଟେନଙ୍କୁ ପେସ୍ ବୋଲିଂ କୋଚ ଭାବେ ଦାୟିତ୍ୱ ମିଳିଥିବା ବେଳେ ମୁରଲୀଧରନଙ୍କୁ ସ୍ପିନ୍ ବୋଲିଂ କୋଚ୍ ଭାବେ ଗୁରୁଦାୟିତ୍ୱ ଦେଇଛି ହାଇଦ୍ରାବାଦ । ସେହିଭଳି ଭାରତୀୟ କ୍ରିକେଟର ହେମଙ୍ଗ ବଦାନୀଙ୍କୁ ଫିଲ୍ଡିଂ କୋଚ୍ ଭାବେ ନିଯୁକ୍ତ କରିଛି ହାଇଦ୍ରାବାଦ ଦଳ ।

ଆଇପିଏଲ ଇତିହାସରେ ୨୦୧୬ରେ ସନରାଇଜର୍ସ ହାଇଦ୍ରାବାଦ ଚାମ୍ପିୟନ ହୋଇଛି । ଆଉ ସେତେବେଳେ ଡେଭିଡ ୱାର୍ଣ୍ଣର ଓ ଟମ୍ ମୁଡି ଦଳରେ ଥିଲେ ।୨୦୧୩ରୁ ୨୦୧୯ ଯାଏଁ ଟମ୍ ମୁଡି ଦଳର ମୁଖ୍ୟ କୋଚ ରହିଥିଲେ ।୨୦୨୦ରେ ମୁଡିଙ୍କୁ ଦଳର ଡାଇରେକ୍ଟର ଅଫ୍ କ୍ରିକେଠ ଦାୟିତ୍ୱ ଦେଇଥିଲା ସନରାଇଜର୍ସ ହାଇଦ୍ରାବାଦ । ତେବେ ୨୦୨୨ରେ ପୁଣିଥରେ ଦଳକୁ ଚାମ୍ପିୟନ କରିବାକୁ ଟମ୍ ମୁଡିଙ୍କୁ ମୁଖ୍ୟ କୋଚ୍ ଦାୟିତ୍ୱ ଦେଇଛି ହାଇଦ୍ରାବାଦ ।