କନକ ବ୍ୟୁରୋ : ଏଣିକି ଟିଭିରେ ଦର୍ଶକ ଦେଖିପାରିବେନି ଆଲିଙ୍ଗନ ଦୃଶ୍ୟ । ପ୍ରେମର ଦୁର୍ବଳ ମୁହୂର୍ତ୍ତ ହେଉ କି ବେଡ଼ରୁମର ମୁହୂର୍ତ୍ତ ଦର୍ଶକ ଦେଖିବାକୁ ପାଇବେ ନାହିଁ । ତେବେ ଏଭଳି ନିୟମ ପାକିସ୍ତାନରେ ଲାଗୁ ହୋଇଛି । ମିଳିଥିବା ସୂଚନା ମୁତାବକ ପାକିସ୍ତାନର ଟିଭି ଚ୍ୟାନେଲମାନଙ୍କରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମରେ ଅଶ୍ଳୀଳତା ବଢୁଥିବାବେଳେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏବାବଦରେ ଦର୍ଶକମାନେ ବାରମ୍ବାର ଅଭିଯୋଗ କରିବା ପରେ ପାକିସ୍ତାନ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ରେଗୁଲେଟରି ଅଥରିଟି ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।
ତେବେ ନିର୍ଦ୍ଦେଶାବଳୀକୁ କିଛି ଲୋକ ବିରୋଧ କରିଥିବାବେଳେ କିଛି ଲୋକ ସମର୍ଥନ କରିଛନ୍ତି । ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଟିଭି ଚ୍ୟାନେଲମାନେ ପ୍ରସାରିତ କରୁଥିବା ଧାରାବାହିକରେ ଆଲିଙ୍ଗନ ଦୃଶ୍ୟ ଦେଖାଇବେ ନାହିଁ । ଅଥରିଟି ପକ୍ଷରୁ କୁହାଯାଇଛି ଯେ ଧାରାବାହିକରେ ଦିନକୁ ଦିନ ଅଶ୍ଳୀଳତା ବଢୁଥିବା ଯୋଗୁଁ ଦେଶସାରା ଅଭିଯୋଗ ଆସିବାରେ ଲାଗିଛି । ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଅଥରିଟି ପକ୍ଷରୁ କୁହାଯାଇଛି ଯେ ଟିଭିରେ ଦେଖାଯାଉଥିବା ଧାରାବାହିକମାନଙ୍କରେ ପାକିସ୍ତାନ ସମାଜର ପ୍ରକୃତ ଚିତ୍ର ଦେଖିବାକୁ ମିଳୁନାହିଁ ।
ନୂଆ ଆଦେଶ ମୁତାବକ ଆଲିଙ୍ଗନ, ସମ୍ପର୍କ ରଖିବାର ଦୃଶ୍ୟ, ଉତ୍ତେଜକ ପୋଷାକ, ବେଡ଼ରୁମ ଦୃଶ୍ୟ ପାକିସ୍ତାନ ସମାଜ ତଥା ଇସଲାମ ଶିକ୍ଷା ଓ ସଂସ୍କୃତିର ଆଦର୍ଶକୁ ପରୋକ୍ଷରେ ବିରୋଧ କରୁଥିବାରୁ ଏଗୁଡିକ ପ୍ରସାରିତ ହେବ ନାହିଁ ।କୌଣସି ଧାରାବାହିକ ପ୍ରସାରିତ କରିବା ପୂର୍ବରୁ ଟିଭି ଚ୍ୟାନେଲର ମନିଟରିଂ କମିଟି ମାଧ୍ୟମରେ ପ୍ରସାରଣ ଯୋଗ୍ୟ ବୋଲି ଅନୁମୋଦନ କରିବାକୁ ପଡିବ । ଏହା ସହ ମନିଟରିଂ କମିଟି ଯଦି କୌଣସି ପରିବର୍ତ୍ତନ କରିବାକୁ କହିବେ, ତାହାକୁ ଏଡିଟିଂ କରାଯାଇ ହିଁ ପ୍ରସାରଣ କରାଯିବ ।