ନକ୍ସଲଙ୍କ ମୁହଁରେ ଲାଲଗଡର କାହାଣୀ ! କହିଲେ ମାଓ ସଙ୍ଗଠନକୁ ଚାରିଆଡୁ ଘେରିଛନ୍ତି ସୁରକ୍ଷାକର୍ମୀ , କଠିନ ପରିସ୍ଥିତି ଦେଇ ଗତି କରୁଛି ନକ୍ସଲ ଆନ୍ଦୋଳନ

48

କନକ ବ୍ୟୁରୋ : କଠିନ ପରିସ୍ଥିତି ଦେଇ ଗତି କରୁଛି ଲାଲବାହିନୀ । ଏହାକୁ କ୍ୟାମେରା ସାମନାରେ ସ୍ୱୀକାର କରିଛନ୍ତି ବାଂଶଧାର ଘୁମୁସର ନାଗାବଳୀ ଡିଭିଜନର ଟପ୍ ମାଓନେତା ଉମାକାନ୍ତ । ହେଲେ ଦେଖାଇଛନ୍ତି ଦମ୍ଭୋକ୍ତି । କହିଛନ୍ତି ସରକାରଙ୍କ ଫାଶିବାଦୀ ଦମନ ଯୋଗୁଁ କଠିନ ପରିସ୍ଥିତି ସୃଷ୍ଟି ହୋଇଛି । ଏହାସହ ନିୟମଗିରି ଆନ୍ଦୋଳନରେ ମାଓବାଦୀଙ୍କ ସଂପୃକ୍ତି ପ୍ରସଙ୍ଗରେ ଉତର ରଖି ମାଓନେତା କହିଛନ୍ତି, ଖଣିଜ ସଂପଦ ଲୁଟ୍ ପାଇଁ ଉଦ୍ୟମ କରୁଥିବା ସରକାର ମିଛରେ ଲାଲ ସଂଗଠନକୁ ନିୟମଗିରି ସହ ଯୋଡି ବଦନାମ୍ କରୁଛି ।

ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ମାଓବାଦୀ ମାନେ ବିରୋଧ କରୁଥିବା ନେଇ ଟପ ମାଓନେତା ଉମାକାନ୍ତ କହିଛନ୍ତି, ମାଓବାଦୀ କେବେ ବି ବିକାଶ ବିରୋଧୀ ନୁହନ୍ତି । ଯେଉଁ ବିକାଶ କଥା କହି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଣ୍ଠ ଫଟେଇ ଚିକ୍ରାର କରୁଛନ୍ତି, ଆଜି ଯାଏଁ, ସ୍ୱାଧୀନାତାର ୭୨ ବର୍ଷ ପରେ ମଧ୍ୟ କାହିଁକି ଲୋକଙ୍କ ବିକାଶ ହୋଇପାରି ନାହିଁ । ସରକାର ଉଦାସୀନ ରହି, ପ୍ରତାରଣା କରି, ଲୋକଙ୍କୁ ଧୋକ୍କା ଦେଇ ଆଜି ବିକାଶର ବାହାନା ଦେଖାଉଛି । ମାଓବାଦୀ ଓ ଲୋକଙ୍କ ଚିନ୍ତା କରିବା ବିକାଶ ଓ ସରକାରଙ୍କ ଚିନ୍ତା ବିକାଶ କରିବା ଅବଧାରଣା ଭିତରେ ଆକାଶ ପାତାଳ ଫରକ ରହିଛି ବୋଲି କହିଛନ୍ତି ଏହି ମାଓ ନେତା ।

ସରକାରଙ୍କ ଗୋଟିଏ ଉଦ୍ଦେଶ୍ୟ ହେଲା ଏଠାରେ ଥିବା ଖଣିଜ ପଦାର୍ଥକୁ ଲୁଟ୍ କରି ବିଦେଶୀ କମ୍ପାନୀକୁ ପୋତ୍ସାହନ ଦେବା ସହ ସେମାନଙ୍କ ବଜାରକୁ ବିସ୍ତାର କରିବା । ଯାହାକୁ ସାଧାରଣ ଲୋକ ବିରୋଧ କରୁଛନ୍ତି । କିନ୍ତୁ ସରକାର ଏହାକୁ ବିକାଶ କହୁଛନ୍ତି । ବିକାଶ ନାଁରେ ରାଜ୍ୟ ଓ କେନ୍ଦ୍ର ସରକାର ରାଜ୍ୟକୁ ବିକ୍ରି କରି ଚାଲିଛନ୍ତି । ବିକାଶ ନାଁରେ ବିନାଶ କରୁଛନ୍ତି ସରକାର ଯାହାକୁ ବନ୍ଦ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଏହାଛଡା ମାଓ ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହେଉଯାଉଥିବା ପ୍ରଶ୍ନର ଉତ୍ତରରେ ମାଓନେତା ଉମାକାନ୍ତ କହିଛନ୍ତି, ଗୋଟିଏ ପଟେ ମାଓବାଦୀ ସଙ୍ଗଠନ ଦୁର୍ବଳ ହୋଇଗଲାଣି ବୋଲି ସରକାର କହୁଛନ୍ତି କିନ୍ତୁ ଅନ୍ୟପଟେ ହଜାର ହଜାର ବିଏସଏଫ, ସିଆରପିଏଫ ଏବଂ ଅର୍ଦ୍ଧସାମରିକ ଯବାନ ଓ ସ୍ୱତନ୍ତ୍ର କମାଣ୍ଡୋଙ୍କୁ ଆଣି ମୁତୟନ କରୁଛନ୍ତି । ଆଜି ଫାଶୀବାଦୀ ଦମନ ଯୋଗୁଁ କ୍ରାନ୍ତିକାରୀ ଆନ୍ଦୋଳନ ଏବେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି ସତ । କିନ୍ତୁ ସରକାର ଯେଉଁ ଦାବି କରୁଛନ୍ତି ତାହା କେବଳ ମନବୈଜ୍ଞାନିକ ଯୁଦ୍ଧ । ମାଓ ଆନ୍ଦୋଳନକୁ ଶେଷ କରିବାକୁ ସରକାର ଯେଉଁ ଯୋଜନା ପ୍ରସ୍ତୁତ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ବିଫଳ ହେବ ବୋଲି ସେ କହିଛନ୍ତି ।

ଏହାଛଡା ଫାଶୀବାଦୀ ମୋଦି ସରକାର ସାମ୍ରାଜ୍ୟବାଦର ହିତ ପାଇଁ ମେକ ଇନ୍ ଇଣ୍ଡିଆ ନାଁରେ ଦେଶର ପ୍ରାକୃତିକ ସମ୍ପତିକୁ ବିଦେଶୀ ଲୋକଙ୍କ ହାତରେ ଟେକି ଦେବା ପାଇଁ ବସିଛନ୍ତି । ସ୍କିଲ ଇଣ୍ଡିଆ ନାଁରେ ଭାରତ ବର୍ଷର ଶସ୍ତା ଶ୍ରମକୁ ବହୁ ରାଷ୍ଟ୍ର କମ୍ପାନୀ ହାତରେ ଟେକି ଦେବା ପାଇଁ ବସିଛନ୍ତି । ଆଉ ବିମୁଦ୍ରୀକରଣ ଓ ଜନଧନ ଯୋଜନା ନାଁରେ ଲୋକ ନିଜର ପେଟ କାଟି ସଂଚୟ କରିଥିବା ଟଙ୍କାକୁ ବ୍ୟାଙ୍କକୁ ନେଇ ସେହି ବ୍ୟାଙ୍କ ଟଙ୍କାକୁ ବଡବଡ ପୁଂଜିପତିଙ୍କ ହାତକୁ ଟେକିଦେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି । ତେବେ ଏସବୁ ଭିତରେ ସୁରକ୍ଷାକର୍ମୀଙ୍କ ମୁକାବିଲା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା ମାଓନେତା ଉମାକାନ୍ତ କହିଛନ୍ତି ।