ଆଫଗାନିସ୍ତାନ ସ୍ଥିତି ନେଇ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଲେ ସମସାଦ ଟିଭିର ରିପୋର୍ଟର । କହିଲେ,ଧୀରେ ଧୀରେ ସୁଧରୁଛି ଆଫଗାନିସ୍ତାନର ସ୍ଥିତି ।

323

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନିଙ୍କ କବଜା ପରେ ଏବେ କେମିତି ଅଛି ଦେଶର ସ୍ଥିତି । ସେନେଇ କନକ ନ୍ୟୁଜକୁ ଫୋନ ଯୋଗେ ସୂଚନା ଦେଇଛନ୍ତି କାବୁଲରେ ଥିବା ସମସାଦ ଟିଭିର ସାମ୍ବାଦିକ ସମିଉଲ୍ଲା ହିଲାଲ । ଆମ ପ୍ରତିନିଧି କଳିଙ୍ଗଶ୍ରୀ ପଣ୍ଡାଙ୍କ ସହ କଥା ହୋଇ ସମିଉଲ୍ଲା କହିଛନ୍ତି, ଆଫଗାନିସ୍ତାନରେ ଏବେ ପରିସ୍ଥିତି ସୁଧୁରିବାରେ ଲାଗିଛି । ଲୋକେ କାମରେ ଯୋଗ ଦେଉଛନ୍ତି । କରୋନା ପରେ ସ୍କୁଲ ଓ ବିଶ୍ୱ ବିଦ୍ୟାଳୟ ସବୁ ଖୋଲିବାରେ ଲାଗିଛି । ତେବେ ଆଗକୁ କ’ଣ ହେବ ତାଲିବାନର ରଣନୀତି ତାକୁ ନେଇ ବଡ଼ ସନ୍ଦେହ ରହିଛି । ସମସ୍ତଙ୍କୁ ସାଙ୍ଗରେ ନେଇ ତାଲିବାନ, ସରକାର ଗଠନର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଏହା ଉପରେ ବଡ଼ ସନ୍ଦେହ ରହିଥିବା କହିଛନ୍ତି ସାମ୍ବାଦିକ ସମିଉଲ୍ଲା ।

ଆମେରିକାକୁ ତାଲିବାନିମାନେ ୩୧ ଅଗଷ୍ଟ ଯାଏଁ ଡେଡଲାଇନ ଦେଇଛନ୍ତି । ହେଲେ ଜି-୭ ରାଷ୍ଟ୍ରଗୁଡ଼ିକ ଏହି ଡେଡଲାଇନ ଅବଧି ବଢ଼ାଇବା ପାଇଁ ଅପିଲ କରିଛନ୍ତି । ସେପଟେ ଆଫଗାନିସ୍ତାନ ଅଭେଦଗଡ଼ ପଞ୍ଜଶୀରରେ ତାଲିବାନିମାନେ ପଶି ପାରୁନଥିବା କହିଛନ୍ତି କାବୁଲ ସାମ୍ବାଦିକ । ଚୀନ, ଆମେରିକା,ପାକିସ୍ତାନ ଓ ଋଷିଆ ସହ ତାଲିବାନିମାନେ ଭଲ ସମ୍ପର୍କ ଚାହୁଁଥିବା ସେ ସୂଚନା ଦେଇଛନ୍ତି ।

ଏସବୁ ଭିତରେ ତାଲିବାନ ସହ ପାକିସ୍ତାନର ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ଆଫଗାନିସ୍ତାନ ପପ୍ ଷ୍ଟାର ଆରିୟାନ୍ ସଇଦ ନେଇ ତାଲିବାନଙ୍କ ପଛରେ ରହିଛି ପାକିସ୍ତାନର ପୂର୍ଣ୍ଣ ସମର୍ଥନ । ତାଲିବାନୀଙ୍କୁ ଟ୍ରେନିଂ ଦେଉଛି ପାକିସ୍ତାନ । ପାକିସ୍ତାନରେ ରହିଛି ତାଲିବାନଙ୍କ ବେସ୍ କ୍ୟାମ୍ପ । ଏହା କହିଛନ୍ତି ଆଫଗାନିସ୍ତାନ ପପ୍ ଷ୍ଟାର ଆରିୟାନ୍ ସଇଦ । ପାକିସ୍ତାନର ଫଣ୍ଡିଂ ବନ୍ଦ କରିବା ପାଇଁ ବିଶ୍ୱର ଶକ୍ତିଶାଳୀ ଦେଶଙ୍କୁ ସେ ଅପିଲ କରିଛନ୍ତି । କାରଣ ପାକିସ୍ତାନ ସେହି ଅର୍ଥରେ ଆତଙ୍କବାଦ ଓ ତାଲିବାନକୁ ସାହାଯ୍ୟ କରୁଛି । ସେ କହିଛନ୍ତି ଗତ କିଛି ବର୍ଷ ହେବ ଏପରି ଭିଡିଓ ଆସିଛି ଯେଉଁଥିରେ ପାକିସ୍ତାନରେ ତାଲିବାନଙ୍କୁ ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାଇବାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଆଫଗାନବାସୀଙ୍କୁ ତାଲିବାନ ଓ ପାକିସ୍ତାନ ସହ ଛାଡି ପଳାଇ ଯାଇଥିବା କହିଛନ୍ତି ଆରିୟାନ୍ ସଇଦ ।