ଖାଲିସ୍ତାନୀ ଆତଙ୍କବାଦୀ କରଣବୀର ସିଂଙ୍କ ବିରୋଧରେ ଇଣ୍ଟରପୋଲ ଦ୍ୱାରା ଦିଆଯାଇଥିବା ରେଡକର୍ଣ୍ଣର ନୋଟିସ କ’ଣ ?

ଏହି ରେଡକର୍ଣ୍ଣର ନୋଟିସ ଇଣ୍ଟରପୋଲ କାହିଁକି ଜାରି କରିଥାଏ ?

72

ଖାଲିସ୍ତାନୀ ଆତଙ୍କବାଦୀ କରଣବୀର ର ସିଂ ବିରୋଧରେ ଆନ୍ତର୍ଜାତୀୟ ପୋଲିସ ସଂଗଠନ ଇଣ୍ଟରପୋଲ ରେଡକର୍ଣ୍ଣର ନୋଟିସ ଜାରି କରିଛି । କରଣବୀର ସିଂ ପାକିସ୍ତାନରେ ଲୁଚି ରହିଛି ।  ସେ ଖାଲିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ବାବର ଖାଲସା ସହ ଜଡିତ।

ଏହି ରେଡକର୍ଣ୍ଣର ନୋଟିସ୍ କ’ଣ ?  ଏବଂ ଏହା କାହିଁକି ଜାରି କରାଯାଇଛି ?

ଆସନ୍ତୁ ଜାଣିବା ..

ଖାଲିସ୍ତାନୀ ଆତଙ୍କବାଦୀ କରଣବୀର ସିଂ ବିରୋଧରେ ଇଣ୍ଟରପୋଲ ରେଡକର୍ଣ୍ଣର ନୋଟିସ ଜାରି କରିଛି । କରଣବୀର ସିଂ ଆତଙ୍କବାଦୀ ସଂଗଠନ ବାବର ଖାଲସାଙ୍କ ସହ ଜଡିତ। ଆତଙ୍କବାଦୀ କରଣବୀର ସିଂ ପଞ୍ଜାବର କାପୁରଥାଲାର ବାସିନ୍ଦା। କିଛି ବର୍ଷ ପୂର୍ବରୁ ସେ ଲୁଚି ପାକିସ୍ତାନ ପଳାଇଥିଲା । ସେବେଠାରୁ ସେ ସେଇଠି ଅଛି । ସେ ଦୁର୍ଦ୍ଦାନ୍ତ  ବାବର ଖାଲସା ଆତଙ୍କବାଦୀ ୱାଡୱା ସିଂ ଏବଂ ହରବିନ୍ଦର ସିଂ ରିନ୍ଦାର ଡାହାଣ ହାତ ବୋଲି କୁହାଯାଉଛି ।

କରଣବୀର ସିଂ ବିରୋଧରେ ଭାରତରେ ଅନେକ ସଙ୍ଗୀନ ମାମଲା ରୁଜୁ ହୋଇଛି । ତା ବିରୋଧରେ ହତ୍ୟା, ଅପହରଣ, ବିସ୍ଫୋରକ ଆଇନ, ଆତଙ୍କବାଦୀ ଷଡଯନ୍ତ୍ର, ଆତଙ୍କବାଦୀ ପାଣ୍ଠିଯୋଗାଣ  ଏବଂ ଆର୍ମସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି।

ଇଣ୍ଟରପୋଲ ଏପର୍ଯ୍ୟନ୍ତ ୬୯୧୮ ଅପରାଧୀଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିଛି । ସେଥିମଧ୍ୟରୁ ୨୧୩  ଜଣ ଭାରତୀୟ ନାଗରିକ ଅଛନ୍ତି । ଇଣ୍ଟରପୋଲ ହେଉଛି ଆନ୍ତର୍ଜାତୀୟ ପୋଲିସ ସଂଗଠନ । ୧୯୫ ଦେଶ ଏହାର ସଦସ୍ୟ ଅଛନ୍ତି ।

କିନ୍ତୁ ଏହି ରେଡ୍କର୍ଣ୍ଣର ନୋଟିସ୍ କଣ ? 

ରେଡକର୍ଣ୍ଣର ନୋଟିସକୁ ରେଡ୍ ନୋଟିସ୍ ମଧ୍ୟ କୁହାଯାଏ । ଯେ କୌଣସି ଅପରାଧୀ ପୋଲିସ ଏବଂ ଅନୁସନ୍ଧାନକାରୀ ସଂସ୍ଥାଠାରୁ ରକ୍ଷା ପାଇବା ପାଇଁ ଅନ୍ୟ ଦେଶକୁ ଖସି ପଳାଇଥାଏ । ରେଡକର୍ଣ୍ଣର ନୋଟିସ ସାରା ବିଶ୍ୱରେ ପୋଲିସକୁ ଏପରି ଅପରାଧୀଙ୍କ ବିଷୟରେ ସଚେତନ କରାଇଥାଏ ।

କେବଳ ଏହାର ସଦସ୍ୟ ଦେଶମାନେ ଇଣ୍ଟରପୋଲକୁ ଜଣେ ପଳାତକ ଅପରାଧୀ ବିରୋଧରେ ରେଡନୋଟିସ୍ ଜାରି କରିବାକୁ ଅନୁରୋଧ କରିପାରିବେ ।  ଇଣ୍ଟରପୋଲର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଅନୁସନ୍ଧାନ କରି ହୃଦୟଙ୍ଗମ କଲାପରେ ହିଁ ରେଡନୋଟିସ ଜାରି କରିଥାଏ । ରେଡକର୍ଣ୍ଣର ନୋଟିସର  ଅର୍ଥ ନୁହେଁ ଯେ ସେହି ବ୍ୟକ୍ତି ଦୋଷୀ କିମ୍ବା ଏହା ଏକ ଗିରଫ ୱାରେଣ୍ଟ ନୁହେଁ ।  ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି ସେହି ବ୍ୟକ୍ତିଙ୍କ ବିରୋଧରେ ଏହି ବିଜ୍ଞପ୍ତି ଜାରି କରାଯାଏ । ଏହା ସେହି ବ୍ୟକ୍ତିଙ୍କ ଅପରାଧ ବିଷୟରେ ବିଶ୍ବର ଅନ୍ୟଦେଶମାନଙ୍କୁ ସୂଚନା ଦେଇଥାଏ । ଏହି ନୋଟିସ ବଳରେ  ଧରାଯାଇଥିବା ଅପରାଧୀଙ୍କୁ ନିଜ ଦେଶକୁ ପ୍ରତ୍ୟାର୍ପଣ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି ।

ରେଡକର୍ଣ୍ଣର ନୋଟିସରେ କ’ଣ କଣ ଲେଖା ଥାଏ ?

ରେଡକର୍ଣ୍ଣର ନୋଟିସରେ ଚାରି ପ୍ରକାରର ସୂଚନା ଥାଏ ।  ପ୍ରଥମ- ବ୍ୟକ୍ତିର ପରିଚୟ ସହିତ ଜଡିତ ସୂଚନା, ଯେଉଁଥିରେ ତା ନାମ, ଜନ୍ମ ତାରିଖ, ଜନ୍ମ ସ୍ଥାନ ଅନ୍ତର୍ଭୁକ୍ତ । ଦ୍ୱିତୀୟ- ତା’ର  ଶାରୀରିକ ରୂପ, ଯେଉଁଥିରେ ତାର  ଉଚ୍ଚତା, ଓଜନ, କେଶ ଏବଂ ଆଖି ରଙ୍ଗ ଅନ୍ତର୍ଭୁକ୍ତ ।  ତୃତୀୟ- ସୂଚନାରେ ସେ କେଉଁ କେଉଁ ଭାଷା ଜାଣିଛି  ତାହାର ବିବରଣୀ ଅନ୍ତର୍ଭୁକ୍ତ । ଏବଂ ଚତୁର୍ଥ ସୂଚନା ତାର ଅଭିଯୋଗ ସହିତ ଜଡିତ । ଏଥିରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କେଉଁ ମାମଲା ପଞ୍ଜିକୃତ ହୋଇଛି ।

ଯେଉଁ ବ୍ୟକ୍ତିଙ୍କ ବିରୁଦ୍ଧରେ ରେଡକର୍ଣ୍ଣର ନୋଟିସ୍ ଜାରି କରାଯାଇଥାଏ ସେହି ବ୍ୟକ୍ତିର ସ୍ୱାଧୀନତା ସୀମିତ ହୋଇଯାଇଥାଏ ।  ସେ ଅବାଧରେ କୌଣସି ସ୍ଥାନକୁ ଯାଇଆସି ପାରେନାହିଁ ।   କାରଣ ତା ଅପରାଧ ବିଷୟରେ ସାରା ବିଶ୍ୱରେ ପୋଲିସ ଅବଗତ ଥାଏ । ଗିରଫ ହେବାର ସମ୍ଭାବନା ସବୁବେଳେ ଥାଏ ।

ଇଣ୍ଟରପୋଲ୍ ଅନ୍ୟ କେଉଁ କେଉଁ ନୋଟିସ ଜାରି କରିଥାଏ ?

 ବ୍ଲୁ ନୋଟିସ୍: ଜଣେ ବ୍ୟକ୍ତିର ପରିଚୟ, ତା ଅବସ୍ଥାନ କିମ୍ବା ଅପରାଧିକ କାର୍ଯ୍ୟକଳାପ ପରି ଅତିରିକ୍ତ ସୂଚନା ସଂଗ୍ରହ କରିବାକୁ ଏହି ନୋଟିସ ଜାରି କରାଯାଇଥାଏ ।  

ବ୍ଲାକ ନୋଟିସ: ଅଜ୍ଞାତ ମୃତଦେହ ଚିହ୍ନଟ ପାଇଁ ଏହା ଜାରି କରାଯାଇଥାଏ । ଇଣ୍ଟରପୋଲ ପ୍ରତିବର୍ଷ ପ୍ରାୟ ୧୫୦ ବ୍ଲାକ ନୋଟିସ ଜାରି କରିଥାଏ ।  

ଗ୍ରୀନ ନୋଟିସ: ଏହା ଜଣେ ବ୍ୟକ୍ତିଙ୍କ ଦ୍ଵାରା ଅପରାଧିକ କାର୍ଯ୍ୟକଳାପ ଏବଂ ଚେତାବନୀ ସମ୍ବନ୍ଧୀୟ ହୋଇଥାଏ । ଏହି ବ୍ୟକ୍ତି ମାନେ  ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥାନ୍ତି ।  

ଅରେଞ୍ଜ ନୋଟିସ୍: ବ୍ୟକ୍ତିବିଶେଷ  କିମ୍ବା ଅସ୍ତ୍ରଶସ୍ତ୍ର  ବିଷୟରେ ସଚେତନତା ପାଇଁ ଏହି ପ୍ରକାରର ବିଜ୍ଞପ୍ତି ଜାରି କରାଯାଇଥାଏ । ଯାହା ଜନସାଧରଣଙ୍କ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ଥାଏ ।

ପର୍ପଲ ନୋଟିସ : ଅପରାଧୀଙ୍କ ଦ୍ଵାରା କରାଯାଇଥିବା ଅପରାଧର ପଦ୍ଧତି ଏବଂ ସେମାନଙ୍କ ପାଖରେ ଥିବା ଅସ୍ତ୍ର ସମ୍ବନ୍ଧରେ ସୂଚନା ସଂଗ୍ରହ କରିବାକୁ ଏହିପରି ବିଜ୍ଞପ୍ତି ଜାରି କରାଯାଇଥାଏ ।

ୟେଲୋ ନୋଟିସ : ନିଖୋଜ ବ୍ୟକ୍ତିଙ୍କ ବିଷୟରେ ସାରା ବିଶ୍ୱରେ ପୋଲିସକୁ ସଚେତନ କରିବା ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ଅପହରଣ କିମ୍ବା ଅନ୍ୟ କୌଣସି କାରଣରୁ ନିଖୋଜ ଥିବା ଲୋକଙ୍କ ବିଷୟରେ ଜାଣିବା ପାଇଁ ଏହା ଜାରି କରାଯାଇଥାଏ ।