ବାଲେଶ୍ୱର ସହରରେ ଇଣ୍ଟରନେଟ୍ ସେବା ବନ୍ଦ, ଲାଗୁ ହେଲା କର୍ଫ୍ୟୁ ; ସ୍ଥିତି ଉପରେ ପୁଲିସ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କ ନଜର ।

208

କନକ ବ୍ୟୁରୋ: ବାଲେଶ୍ୱର ସହରରେ ବନ୍ଦ ହେଲା ଇଣ୍ଟରନେଟ ସେବା । ୪୮ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ୍ । ଶାନ୍ତ ଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ଏଭଳି ନିଷ୍ପତ୍ତିି ନେଇଛି । ଗତକାଲିଠାରୁ ଲାଗି ରହିଥିବା ଉତ୍ତେଜନା ପରେ ପୁରା ସହରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି । ଘଟଣାରେ ୩୪ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ୪୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କର୍ଫ୍ୟୁ ସମୟରେ ଘରୁ ନବାହାରି ପୋଲିସକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି । ସହରରେ ସମସ୍ତେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବାଲେଶ୍ୱରକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ କରାଯାଇଛି ।

ବାଲେଶ୍ୱର ସଦର ସୁନହଟ ଅଞ୍ଚଳରେ ଗତକାଲି ସକାଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ବିଳମ୍ବିତ ରାତିରେ ଉତେଜନା ଦେଖାଦେଇଥିଲା । ଦୁଇ ଗୋଷ୍ଠୀ ପରସ୍ପରଙ୍କୁ ଆକ୍ରମଣ କରିଛନ୍ତି । ପରସ୍ପରକୁ ପଥର, କାଚ ବୋତଲ ଫୋପାଡିବାରୁ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇପହିଛନ୍ତି । ବିଶେଷକରି ଗୋଳାପାଖରୀ, ମୋତିଗଞ୍ଜ, ସିନେମାଛକ ଆଦି ଅଂଚଳରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା । ହିଂସାକାରୀମାନେ ବିଭିନ୍ନ ସାହିରେ ପଶି ଲୋକଙ୍କ ଘରକୁ ଢେଲାପଥର ମାଡ କରିଥିଲେ ।

ସେପଟେ ବାଲେଶ୍ୱର ଘଟଣା ଉପରେ ନଜର ରଖିଛନ୍ତି ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । କହିଛନ୍ତି, ଘଟଣା ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଏବେ ସହରରେ ସ୍ଥିତି ସ୍ୱାଭାବିକ ହେଉଛି ।