ଆଜି ସାରା ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ । ହିମାଳୟର ୧୮ ହଜାର ଫୁଟ ଉପରେ ବରଫ ଉପରେ ଯୋଗ କରୁଛନ୍ତି ଭାରତର ବୀରପୁତ୍ର । ସେପଟେ ଜାମ୍ମୁରେ ସିଆରପିଏଫ ଯବାନ ବି କଲେ ଯୋଗ

ଯୋଗ ଦିବସରେ ଦେଶବାସୀଙ୍କୁ ମୋଦିଙ୍କ ବାର୍ତ୍ତା । କହିଲେ, ଯୋଗ ଆମ ଭିତରେ ଏକତା ଆଣେ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ

335

କନକ ବ୍ୟୁରୋ: ଆଜି ସାରା ବିଶ୍ୱ ପାଳନ କରୁଛି ଅନ୍ତର୍ଜାତୀୟ ଯୋଗ ଦିବସ । କରୋନା ସଂକଟ ଯୋଗୁଁ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜନ ଭିନ୍ନ ଭାବେ କରାଯାଉଛି । ଆୟୁଷ ମନ୍ତ୍ରାଳୟ ଅନୁସାରେ ଇଲୋକ୍ଟ୍ରୋନିକ୍ସ ଓ ଡିଜିଟାଲ ପ୍ଲାଟଫର୍ମରେ ପାଳନ ହେଉଛି ବିଶ୍ୱ ଯୋଗ ଦିବସ । ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ଯୋଗ ଆମ ମଧ୍ୟରେ ଏକତା ଆଣିଥାଏ । ଯୋଗର ମହତ୍ୱ ବୁଝାଇବାକୁ ଯାଇ ମୋଦି କହିଛନ୍ତି, ଯୋଗ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ସଂପ୍ରତି କରୋନା ଭୂତାଣୁ ମୁକାବିଲା ପାଇଁ ମଣିଷ ଶରୀରରେ ଯେଉଁ ପ୍ରତିରୋଧକ ଶକ୍ତିର ଆବଶ୍ୟକ ତାହା ଯୋଗ ଦ୍ୱାରା ମିଳିପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଚଳିତ ବର୍ଷ ଯୋଗର ଥିମ୍ ‘ଯୋଗ ଆଟ ହୋମ, ଯୋଗ ଆଟ ଫ୍ୟାମଲି’ । ମଣିଷ ମନରେ ଏକାଗ୍ରତା ଆଣିବାରେ ଯୋଗ ସହାୟକ ହୋଇଥାଏ । ଆଜି ସାରା ବିଶ୍ୱର ଲୋକ ଯୋଗର ଏହି ମହାନତାକୁ ଉପଲବ୍ଧି କରି ଆପଣେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହିପରି ହିମାଳୟର ଉଚ୍ଚ ପାହାଡ ଘାଟି ଉପରେ ଦେଶର ବୀର ଜବାନ କରିଛନ୍ତି ଯୋଗ । ବିଶ୍ୱ ଯୋଗ ଦିବସ ଅବସରରେ ଲଦାଖର ଉଚ୍ଚ ପାହାଡ ଉପରେ ଏକାଠି ହୋଇ ଯୋଗ କରିଛନ୍ତି ଆଇଟିବିପି ଜବାନ । ଦେଶର ସୁରକ୍ଷା ସହ ନିଜକୁ ସୁସ୍ଥ ଓ ନିରୋଗ ରହିବାର ବାର୍ତା ପ୍ରଦାନ କରିଛି ଏହି ଜବାନଙ୍କ ଯୋଗ । ସମୁଦ୍ର ପତ୍ତନରୁ ୧୮ ହଜାର ଫୁଟ ଉପରେ ଏହି ଯୋଗ କରାଯାଇଛି । ମାଇନସ୍ ୫ ଡିଗ୍ରୀ ତାପମାତ୍ରାରେ ଜବାନମାନେ ଯୋଗ କରିଛନ୍ତି ।

ବିଶ୍ୱ ଯୋଗ ଦିବସରେ ଜାମ୍ମୁକାଶ୍ମୀରରେ ଯୋଗ କରିଛନ୍ତି ସିଆରପିଏଫ୍ ଜବାନ । ଏକାଠି ସାମାଜିକ ଦୂରତା ରକ୍ଷା କରି ଜବାନମାନେ ଯୋଗ କରିଛନ୍ତି । ସେହିପରି ଚଳିତ ଥର ବିଶ୍ୱ ଯୋଗ ଦିବସରେ ଘରେ ରହି ଯୋଗ ଦିବସ ପାଳନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାମାଜିକ ଦୂରତା ରକ୍ଷା କରି ପୁରା ପରିବାର ସହ ଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ସାମାଜିକ ଦୂରତା ରକ୍ଷା କରି ବିଶ୍ୱ ଯୋଗ ଦିବସରେ ଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି ।