ବୈଜ୍ଞାନିକଙ୍କ ବଡ ସଫଳତା, ଏହି ଚିପ୍ ମାଧ୍ୟମରେ ଏବେ ଦୃଷ୍ଟିହୀନ ବି ଦେଖିବ ଦୁନିଆ

143

କନକ ବ୍ୟୁରୋ : ସାରା ବିଶ୍ୱକୁ ଯଦି କିଛି ବି ସଫଳତା ମିଳିଥାଏ ତେବେ ତାର ଶ୍ରେୟ ନିଶ୍ଚିତ ଭାବେ ବିଜ୍ଞାନ ପାଖକୁ ଯିବ । ସେ ଚିକିତ୍ସା ବିଜ୍ଞାନ ହେଉ କି ଇଣ୍ଟରନେଟର ଯୁଗ । ସବୁ କ୍ଷେତ୍ରରେ ବିଜ୍ଞାନ ହିଁ ମାନବ ସଭ୍ୟତାକୁ ବିକାଶ ଆଡକୁ ଟାଣିନିଏ । ଏହାରି ମଧ୍ୟରେ ବିଜ୍ଞାନ ଆଉ ଏକ ଚମତ୍କାର କରିବାକୁ ଯାଉଛି ।

ସ୍ପେନର ବୈଜ୍ଞାନିକମାନେ ଦୃଷ୍ଟିହୀନ ଲୋକଙ୍କ ପାଇଁ ଏକ ନୂଆ ଟେକ୍ନୋଲୋଜି ପ୍ରସ୍ତୁତ କରିଛନ୍ତି । ଏହି ଟେକ୍ନୋଲୋଜିକୁ ବ୍ୟବହାର କରି ଦୃଷ୍ଟିହୀନ ଲୋକମାନେ ଦୁନିଆ ଦେଖିପାରିବେ ବୋଲି ସ୍ପେନ ବୈଜ୍ଞାନିକମାନେ ଦାବି କରିଛନ୍ତି । ବୈଜ୍ଞାନିକମାନଙ୍କ ଦ୍ୱାରା ଏକ ଚିପ୍ ପ୍ରସ୍ତୁତ କରାଯାଇଛି । ଏହି ଚିପକୁ ଦୃଷ୍ଟିହୀନ ଲୋକଙ୍କ ମସ୍ତିସ୍କରେ ଲଗାଇ ଦିଆଯବା ପରେ ଦୃଷ୍ଟିହୀନ ଲୋକର ଦୃଷ୍ଟିଶକ୍ତି ଫେରି ଆସିବ । ବୈଜ୍ଞାନିକମାନେ ଏହି ଟେକନିକ୍ ଦ୍ୱାରା ମସ୍ତିସ୍କର ଭିଜୁଆଲ କୋରଟେକ୍ସକୁ ଆକ୍ଟିଭ କରିବାକୁ ଏହି ଚିପ୍ କୁ ବ୍ୟବହାର କରୁଛନ୍ତି । ଏହାକୁ ମସ୍ତିସ୍କରେ ଖଞ୍ଜାଯିବା ପରେ ଏହା ମସ୍ତିସ୍କ ସାମ୍ନାରେ ଥିବା ସମସ୍ତ ଜିନିଷର ସ୍ପଷ୍ଟ ଚିତ୍ର ପ୍ରସ୍ତୁତ କରିପାରିବ ।
ଏଭଳି ଚିତ୍ରକୁ ଦେଖିବାକୁ ସ୍ପେନ ବୈଜ୍ଞାନିକମାନେ ଏକ ଚଷମା ବି ପ୍ରସ୍ତୁତ କରିଛନ୍ତି । ଯେଉଁ ଚଷମାରେ ଏକ କୁତ୍ରିମ ରେଟିନା ଲଗାଯାଇଛି । ଏହି ରେଟିନା ମସ୍ତିସ୍କରେ ଲଗାଯାଇଥିବା ଚିପ୍ ସହିତ ସଂଯୋଗ ହୋଇଛି । ଯେତେବେଳେ ଏହି ରେଟନା ଉପରେ ଆଲୋକ ପଡିଥାଏ ସେତେବେଳେ ସେ ଇଲେକ୍ଟ୍ରିକାଲ ସିଗନାଲ ଚିପ୍ ପାଖକୁ ପଠାଇଥାଏ । ଏହି ଚିପ୍ ଆଲୋକର ବିଶ୍ଳେଷଣ କରି ମସ୍ତିସ୍କକୁ ଭିଜୁଆଲ କୋରଟେକ୍ସ ରେଟିନା ସମ୍ନାରେ ଦେଖାଦେଇଥାଏ ।

‘ଦ ଜର୍ନାଲ ଅଫ୍ କ୍ଲିନିକାଲ ଇନଭେଷ୍ଟିଗେସନ’ ରେ ପ୍ରକାଶିତ ଅଧ୍ୟୟନ ମୁତାବକ ବୈଜ୍ଞାନିକମାନେ କହିଛନ୍ତି କି ଏହି ଟେକନିକ୍ ମାଧ୍ୟମରେ ସେମାନେ ମସ୍ତିସ୍କର ସେହି ନ୍ୟୁରନକୁ ସକ୍ରିୟ କରିବା ଦ୍ୱାରା ମସ୍ତିସ୍କରେ କୁତ୍ରିମ ରେଟିନା ସାମ୍ନାରେ ଦେଖାଯାଉଥିବା ଜିନିଷର ବାହାର ଆକୃତି ଦେଖାଯିବାକୁ ଲାଗିଥାଏ ।

ଏନେଇ ଜଣେ ୫୭ ବର୍ଷିୟ ମହିଳାଙ୍କ ଠାରେ ଏହି ଚିପ୍ ଓ କୁତ୍ରିମ ରେଟିନାଯୁକ୍ତ ଚଷମାର ପରୀକ୍ଷଣ କରାଯାଇଥିଲା । ଏହି ମହିଳା ଜଣଙ୍କ ଦୀର୍ଘ ୧୬ ବର୍ଷ ହେବ ଦୃଷ୍ଟିଶକ୍ତି ହରାଇଥିଲେ । ଚିପ୍ ଓ ଚଷମା ଲଗାଇବା ପରେ ମହିଳା ଜଣଙ୍କ ସବୁକିଛି ସ୍ପଷ୍ଟଭାବେ ଦେଖିପାରୁଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି ।