ବାଲୁକାକଳାରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

637

କନକ ବ୍ୟୁରୋ : ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । ଆଉ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେ ପୁରୀ ବେଳାଭୂମିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ମୂର୍ତ୍ତି ନିର୍ମାଣ କରିଛନ୍ତି । ୫ ଫୁଟ ଉଚ୍ଚର ଏହି ବାଲୁକା କଳା ନିର୍ମାଣରେ ପ୍ରାୟ ୪ଟନ୍‌ ବାଲି ବ୍ୟବହାର ହୋଇଛି । ସୁଦର୍ଶନ ପଟ୍ଟନାୟକ ନିଜର ସହକର୍ମୀଙ୍କ ସହଯୋଗରେ ଏହାକୁ ନିର୍ମାଣ କରିଛନ୍ତି ।

ବାଲୁକା କଳା ନେଇ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଉଛୁ । ଆମେ ଆମର ବାଲୁକା କଳା ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଉଛୁ । ଏଥିପାଇଁ ଆମେ ୫ ଫୁଟ ଉଚ୍ଚର ବାଲୁକା କଳା ନିର୍ମାଣ କରିଥିବା ବେଳେ ଏଥିରେ ୪ଟନ୍‌ ବାଲି ବ୍ୟବହାର କରିଛୁ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । କିନ୍ତୁ ଚଳିତବର୍ଷ କୋଭିଡ-୧୯ ସଂକ୍ରମଣ ଯୋଗୁଁ ଜନ୍ମଦିନ ପାଳିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଆଜି ୨୨ଟି ଜିଲ୍ଲାର ୪୪ଟି ସ୍ଥାନରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡ଼ିଶା ମୋ ପରିବାର ତରଫରୁ ଏହି ବିଶାଳ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କର ଜନ୍ମଦିନକୁ ନିରାଡମ୍ବର ଭାବେ ପାଳନ କରିବାକୁ ଆହ୍ଵାନ କରିଛନ୍ତି ।