ମୋଦୀ ସରକାରକୁ ଆମେରିକାର ଝଟକା, ଅଳ୍ପସଂଖ୍ୟକଙ୍କୁ ନେଇ ଦେଲା ଏଭଳି ଟିପ୍ପଣୀ

224

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ଥିବା ସଂପର୍କରେ କିଛି ତିକ୍ତତା ଦେଖିବାକୁ ମିଳିଛି । ଏହି କ୍ରମରେ ଏବେ ଆମେରିକା ତରଫରୁ ଭାରତ ସରକାରଙ୍କୁ ଏକ ବଡ ଝଟକା ଦିଆଯାଇଛି । ଗୁରୁବାର ଦିନ ଆମେରିକାର ବିଦେଶମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କନ ଅର୍ନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ୱତନ୍ତ୍ରତା ରିପୋର୍ଟ ୨୦୨୧ ପ୍ରକାଶ କରିଛନ୍ତି । ଏହି କ୍ରମରେ ବ୍ଲିଙ୍କନ କହିଥିଲେ କି ଭାରତରେ ଲୋକ ଓ ଧାର୍ମିକ ସ୍ଥାନ ଉପରେ ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାସହ ପ୍ରକାଶିତ ରିପୋର୍ଟରେ ଭାରତକୁ ନେଇ କୁହାଯାଇଛି କି, ଭାରତରେ ଅଳ୍ପସଂଖ୍ୟକଙ୍କ ଉପରେ ବର୍ଷ ତମାମ ଆକ୍ରମଣ ଜାରି ରହିଛି । ଏହି କ୍ରମରେ କିଛି ଲୋକଙ୍କୁ ହତ୍ୟା କରାଯିବା ସହ କିଛି ଲୋକଙ୍କୁ ଡରାଇ ଓ ଧମକାଇ ଭୟଭିତ କରାଯାଉଛି ।

ସେପଟେ ଆମେରିକା ତରଫରୁ ଜାରି କରାଯାଇଥିବା ଧାର୍ମିକ ସ୍ୱତନ୍ତ୍ରତା ରିପୋର୍ଟ ଓ ଏଣ୍ଟୋନି ବ୍ଲିଙ୍କନଙ୍କ ଟିପ୍ପଣୀକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆମେରିକାନ ମୁସଲିମ୍ କାଉଁସିଲ ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇ କହିଛି କି ଭାରତ ଉପରେ ଧାର୍ମିକ ସ୍ୱତନ୍ତ୍ରତା ଉଲଙ୍ଘନ, ମୁସଲିମ ଓ ଇସାଇଙ୍କ ପ୍ରତି ପାୟୋଜିତ ଆକ୍ରମଣକୁ ନଜରରେ ରଖି ଭାରତ ଉପରେ ପ୍ରତିବନ୍ଧକ ଲଗାଯିବା ଦରକାର ।

ଭାରତକୁ ନେଇ ଆଇଆରଏଫ ୨୦୨୧ ରିପୋର୍ଟରେ କୁହାଯାଇଛି କି ‘ଭାରତରେ ଧାର୍ମିକ ଅଳ୍ପସଂଖ୍ୟକ ସମୁଦାୟ ଉପରେ ଆକ୍ରମଣ ଯାହା ମଧ୍ୟରେ ହତ୍ୟା, ମାରପିଟ, ଭୟଭିତ କରାଇବା ସାମିଲ ରହିଛି’ । ବର୍ଷସାରା ଗୋ ହତ୍ୟା ଓ ଗୋମାଂସ ବେପାରକୁ ନେଇ ଅଣ ହିନ୍ଦୁମାନଙ୍କ ବିରୋଧରେ ଆକ୍ରମଣ ବଢିଛି । ସେପଟେ ରିପୋର୍ଟରେ ଭାରତରେ ଧର୍ମାନ୍ତିକରଣ ବିରୋଧୀ ଆଇନକୁ ନେଇ କୁହାଯାଇଛି କି, ଭାରତର ସବୁ ରାଜ୍ୟରେ ଏହି ଆଇନ ଲାଗୁ କରାଯାଇ ଅନେକ ଲୋକଙ୍କୁ ଗିରଫ କରାଯାଇଛି ।