ଅନଲାଇନରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଭାଷା ସମ୍ମିଳନୀ । ୧୫ ଶହ ହାଇସ୍କୁଲରେ ନିଯୁକ୍ତ ହେବେ ଓଡିଆ ଶିକ୍ଷକ । ଦେଖନ୍ତୁ, ଓଡିଆ ଭାଷାର ଉନ୍ନତି ପାଇଁ ବିଧାନସଭାରେ କଣ କହିଲେ ମନ୍ତ୍ରୀ…

77

କନକ ବ୍ୟୁରୋ: ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଗ୍ରହଣ କରାଯାଇଛି ଅନେକ ନିଷ୍ପତ୍ତି । ୫ଟି ଅଧ୍ୟକ୍ଷଙ୍କ ଆଲୋଚନାରେ ଗ୍ରହଣ କରାଯାଇଥିବା ଏହି ସବୁ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୫ଟି ପଦକ୍ଷେପ ଅଧୀନରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ନଜର ପକାନ୍ତୁ, ଏଥର ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଗୁଡିକ ଉପରେ…

ଓଡିଆ ଭାଷାରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଗବେଷଣା ନିମନ୍ତେ ୧୦ କୋଟି ଟଙ୍କା ଅନୁଦାନରେ ଏକ କର୍ପସ ପାଣ୍ଠି ଗଠନ କରାଯିବ । ସତ୍ୟବାଦୀରେ ପ୍ରତିଷ୍ଠିତ ଓଡିଆ ବିଶ୍ୱ ବିଦ୍ୟାଳୟ ଜରିଆରେ ଏହା କାର୍ଯ୍ୟକାରୀ କରାଯିବ । ଏହା ସହ ଓଡିଆ ଭାଷାକୁ ଡିଜିଟାଲ ପଦ୍ଧତି ସହ ସମନ୍ୱିତ କରିବା ପାଇଁ ପ୍ରତିବର୍ଷ ଏକ ଅନ୍ତର୍ଜାତୀୟ ଡିଜିଟାଲ ଓଡିଆ ସମ୍ମିଳନୀ ଆୟୋଜନ ମାଧ୍ୟମରେ ବିଶେଷଜ୍ଞ ଓ ଭାଷାବିତ୍ ମାନଙ୍କୁ ଏକାଠି କରାଯିବ ।

ସେହିପରି କମ୍ପ୍ୟୁଟର କି-ବୋର୍ଡ ଏବଂ ଫଣ୍ଟରେ ବ୍ୟବହୃତ ଲିପିର ମାନକୀକରଣ ନିମନ୍ତେ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ । ଏହି କମିଟି ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟକାରିତା ନିମନ୍ତେ ପ୍ରସ୍ତାବ ଦେବେ । ଏହାବାଦ୍ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୫୦୦ ହାଇସ୍କୁଲରେ ସ୍ୱତନ୍ତ୍ର ଭାବେ ଓଡିଆ ଶିକ୍ଷକ ନିଯୁକ୍ତି ଦେବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ହାଇସ୍କୁଲ ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ହେବେ ।

୧୦୦ ବର୍ଷରୁ ଅଧିକ ସ୍କୁଲ ଓ କଲେଜ ଗୁଡିକୁ ୧ କୋଟି ଟଙ୍କା ଓ ସ୍ୱାଧୀନତା ପୂର୍ବର ବିଶ୍ୱବିଦ୍ୟାଳୟକୁ ୨ କୋଟି ଟଙ୍କାର ଐତିହ୍ୟ ଅନୁଦାନ ଯୋଗାଇ ଦିଆଯିବ । ଏହା ଆମ ଓଡିଆ ମାଧ୍ୟମ ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ବ୍ୟବହୃତ ହେବ । ଅନ୍ୟପଟେ ଏକ ଅନୁବାଦ ନୀତି ପ୍ରଣୟନ କରି ଭାରତ ବର୍ଷ ତଥା ବିଶ୍ୱର ଅନ୍ୟାନ୍ୟ ଭାଷାରେ ଓଡିଆ ପୁସ୍ତକର ଅନୁବାଦ ପାଇଁ ବ୍ୟବସ୍ଥା କରାଯିବ । ବିଭିନ୍ନ ବିଷୟରେ ଓଡିଆ ଭାଷାର ବ୍ୟବହାରକୁ ସରଳ ଓ ସୁଗମ କରିବା ପାଇଁ ଏକ ସଂଶୋଧିତ ଶବ୍ଦାବଳୀ ଓ ଶବ୍ଦକୋଷ ପ୍ରସ୍ତୁତ କରିବା ନିମନ୍ତେ ଓଡିଆ ଶବ୍ଦକୋଷ କମିଟି ଗଠନ କରାଯିବ ।

ଓଡିଆ ଭାଷାରେ ବିଜ୍ଞାନ, ବୈଷୟିକ ଶିକ୍ଷା ଓ ଡାକ୍ତରୀ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ମଧ୍ୟବର୍ତ୍ତୀକାଳୀନ ନୀତି ପ୍ରଣୟନ କରାଯିବ । ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡିଆ ଭାଷାରେ ପୟୋଜନ ଥିବା ପ୍ରାସଙ୍ଗିକ ପୁସ୍ତକ ପ୍ରକାଶ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେବେ । ଅନ୍ୟପଟେ କଟକ ସ୍ଥିତ ପ୍ରିଂଟି ମ୍ୟୁଜିୟମକୁ ଜାତୀୟ ମ୍ୟୁଜିୟମ ରୂପେ ପରିବର୍ଦ୍ଧିତ କରାଯିବ । ଏହାସହ ଓଡିଆ ଭାଷାରେ ଶିଶୁ ସାହିତ୍ୟର ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦେବେ ।