IAS ପାଇଁ ପ୍ରସ୍ତୁତି କରିବା ସହ ଆଇନ ପଢୁଥିଲେ । ହେଲେ ଗୋଟିଏ ଘଟଣା ଯୋଗୁଁ ବନିଗଲେ ଅଣ୍ଡରୱାର୍ଲ୍ଡ ଡନ୍

655

କନକ ବ୍ୟୁରୋ: ପିଲାବେଳୁ ସମାଜ ତଥା ଲୋକ ସେବା କରିବାକୁ ଇଚ୍ଛା ଥିଲା । ତେଣୁ ଆଇଏଏସ୍ ହେବାକୁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ଗୋଟିଏ ଘଟଣା ତାଙ୍କ ଜୀବନର ଗତିପଥ ବଦଳାଇ ଦେଲା । ଆଇ ଏଏସ୍ ହେବାର ଲକ୍ଷ୍ୟରୁ ଓହରିଯାଇ ବନିଗଲେ ଅଣ୍ଡରୱାର୍ଲ୍ଡର ମୋଷ୍ଟ ୱାଣ୍ଟେଡ୍ ଡନ୍ ।

ପ୍ରକୃତ ନାଁ ଥିଲା ଓମ୍ ପ୍ରକାଶ ଶ୍ରୀବାସ୍ତବ । ଉତ୍ତରପ୍ରଦେଶ ଗାଜିପୁର ଆମ୍ ଘାଟ କଲେନୀରେ ପରିବାର ସହ ଖୁସରେ ବିତୁଥିଲା ଜୀବନ । ବାପା ଜଣେ ଶିକ୍ଷକ ଥିଲେ । ବଡଭାଇ ମଧ୍ୟ ଖୁବ୍ ମେଧାବୀ ଥିଲେ । ନିଜେ ଓମ୍ ପକ୍ରାଶ ମଧ୍ୟ ପିଲାବେଳୁ ପଢାରେ ବେଶ୍ ଆଗୁଆ ଥିଲେ । ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦୁଃଖୀରଙ୍କିଙ୍କ ସେବାରେ ନିଜକୁ ସାମିଲ କରିବାକୁ ଚାହୁଁଥିଲେ ସେଥିପାଇଁ ସେ ଆଇଏଏସ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ତେଣୁ ଗ୍ରାଜୁଏସନ୍ ପରେ ଲ ପଢିବାକୁ ବାପା ତାଙ୍କୁ ଲକ୍ଷେ୍ନକ୍ଷ ଲ କଲେଜ ପଠାଇଲେ । ସେଠାରେ ସେ ଲ’ ପଢିବା ସହ ୟୁପିଏଏସସି ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଲେ । ହେଲେ ସେଠିକାର ଗୋଟିଏ ଘଟଣା ତାଙ୍କ ଜୀବନ ପଥ ବଦଳାଇଦେଲା । ଅପରାଧର ଦୁନିଆଁରେ ପଦ ଦେବାକୁ ନିଷ୍ପତ୍ତି ନେଲେ ଆଉ ବନିଗଲେ ଅଣ୍ଡରୱାର୍ଲ୍ଡ ଡନ୍ ବବଲୁ ।

୧୯୮୨-୮୩ର ଘଟଣା ଲ କଲେଜରେ ଛାତ୍ର ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥାଏ । ଏଥିରେ ପ୍ରେସିଡେଣ୍ଟ ପାଇଁ ଛିଡା ହୋଇଥିଲେ ବବଲୁଙ୍କ ସାଙ୍ଗ ନୀରଜ ଜୈନ୍ । ତାଙ୍କ ପାଇଁ ପ୍ରଚାର କରୁଥିଲେ ବବଲୁ । ପ୍ରଚାର ବେଳେ ଦୁଇ ଛାତ୍ର ଦଳ ମଧ୍ୟରେ ମାରପିଟ ବେଳେ ଜଣେ ଛାତ୍ରଙ୍କୁ ଛୁରାରେ ଆକ୍ରମଣ ହୋଇଥିଲା । ଯାହା ବବଲୁଙ୍କ ପାଇଁ କାଳ ହୋଇଗଲା । କିଛି ନକରି ବି ଫଶିଗଲେ ବବଲୁ ।

ସେ ସମୟରେ ଲକ୍ଷେ୍ନøରେ ଚରମ ସୀମାରେ ଥାଏ ଅରୁଣ ଶଙ୍କର ଶୁକ୍ଳା ଓରଫ୍ ଆନ୍ନାଙ୍କ ରାଜ୍ ଏବଂ ଦୁର୍ଭାଗ୍ୟକୁ ଆହତ ହୋଇଥିବା ଛାତ୍ର ଜଣକ ଥିଲା ଆନ୍ନାର ସମ୍ପର୍କୀୟ । ତେଣୁ ଏହି ଘଟଣାରେ ରାଗିଯାଇ ଆନ୍ନା ଏକ ମିଛ କେସରେ ବବଲୁ ଶ୍ରୀବାସ୍ତବଙ୍କୁ ଫଶାଇଲା ଏବଂ ଜେଲ ପଠାଇଦେଲା । ଜେଲରେ କିଛି ଦିନ ରହି ଜାମିନରେ ମୁକୁଳିଥିଲେ ବି ଆନ୍ନାର ରାଗ ଶାନ୍ତ ହୋଇନଥିଲା । ଆଉ ଏକ ଚୋରୀ କେସରେ ପକାଇ ବବଲୁକୁ ପୁଣିଥରେ ଜେଲ ପଠାଇଦେଲା । ଏହି ଘଟଣା ପରେ ପ୍ରତିଶୋଧ ପରାୟଣ ହୋଇଉଠିଲା ବବଲୁର ଶତ୍ରୁ କୁହାଯାଉଥିବା ରାମଗୋପାଳ ମିଶ୍ରାଙ୍କୁ ଭେଟିଲା ଏବଂ ତାଙ୍କ ପାଇଁ କାମ କଲା । ଅବଶ୍ୟ ଏହାପରେ ଆନ୍ନା ଓ ରାମଗୋପାଳଙ୍କ ମଧ୍ୟରେ ଶତ୍ରୁତାରେ ଭଟ୍ଟା ପଡିଥିଲା । ତେଣୁ ରାମଗୋପାଳ ଗ୍ୟାଙ୍ଗ ଛାଡିଦେଇ ଅନ୍ୟ ବାଟ ଖୋଜିଥିଲା ବବଲୁ ।

ସେତେବେଳକୁ ଅପରାଧର ସବୁ ତରିକା ଶିଖିଯାଇଥିଲା ବବଲୁ ଶ୍ରୀବାସ୍ତବ । ଏବଂ ନିଜର ଏକ ଗ୍ୟାଙ୍ଗ ବନାଇ କିଡନ୍ୟାପ କରିବାକୁ ଲାଗିଲା । ୟୁପିଠାରୁ ବିହାର ମହାରାଷ୍ଟ୍ର ଚାରିଆଡେ କିଡନାପିଙ୍ଗ ଘଟାଇ ହଇଚଇ ସୃଷ୍ଟି କଲା । ଫଳରେ ସାରା ଦେଶରେ କିଡନ୍ୟାପିଙ୍ଗ କିଙ୍ଗ ଭାବେ ଭୟ ସୃଷ୍ଟିକଲା । ତାକୁ ଧରିବାକୁ ୟୁପି ପୁଲିସ ତନାଘନା କରିବାରୁ ଲୁଚି ନେପାଳ ପଳାଇଲା ବବଲୁ । ସେଠାରେ ତା’ର ଭେଟ ମାଫିଆ ଡନ୍ ଦିଲସାଦ୍ ବେଗ୍ ସହ ହେଲା ଏବଂ ୧୯୯୨ରେ ଦିଲସାଦ୍ ସହାୟତାରେ ଦୁବାଇ ଯାଇ କୁଖ୍ୟାତ ଅଣ୍ଡରୱାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ସହ ମିଶି କାମ କଲା । ବିଦେଶକୁ ହତିଆର ଓ ଡ୍ରଗ୍ସ ସପ୍ଲାଏ କଲା । କିନ୍ତୁ ୧୯୯୩ରେ ମୁମ୍ବାଇରେ ସିରିଜ ବିସ୍ଫୋରଣ ତାଙ୍କ ବିବେକକୁ ଦୋହଲାଇ ଦେଇଥିଲା । ଏହା ଦାଉଦର କାରସାଦି ଜଣାପଡିବା ପରେ ଦାଉଦ ଠାରୁ ଦୂରେଇ ଯାଇଥିଲା ବବଲୁ । ହେଲେ ଦାଉଦ ବି ଛାଡିନଥିଲା । ବାରମ୍ବାର ହତ୍ୟା ଉଦ୍ୟମ କରିଥିଲେ ବି ବଞ୍ଚିଯାଇଥିଲା ବବଲୁ ଶ୍ରୀବାସ୍ତବ ।

ସରାଫ୍ ଅପହରଣ ଓ ହତ୍ୟା ମାମଲାରେ ବବଲୁ ଶ୍ରୀବାସ୍ତବ ଏବେ ଜେଲରେ । ହେଲେ ଜୀବନକୁ ଭାରୀ ଭୟ । କାଳେ ଦାଉଦର ଲୋକେ ତାକୁ ମାରିଦେବେ ସେହି ଭୟରେ ବିତୁଛି ଓମ ପ୍ରକାଶ ଓରଫ୍ ବବଲୁ ଶ୍ରୀବାସ୍ତବଙ୍କ ଜୀବନ । ଜୀବନର କିଛି ଘଟଣା ଜୀବନକୁ କିଭଳି ନର୍କ କରିଦିଏ ତାହାର ଜ୍ୱଳନ୍ତ ପ୍ରମାଣ ବବଲୁ ଶ୍ରୀବାସ୍ତବ ।