କନକ ବ୍ୟୁରୋ : ଏବେ ଭାରତରେ କରୋନାର ନୂଆ ଭରିଆଣ୍ଟ ଓମିକ୍ରନର ପ୍ରଭାବ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ଅର୍ନ୍ତରାଷ୍ଟ୍ରୀୟ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ବେସାମରିକ ବିମାନ ଚଳାଚଳ ବିଭାଗ (ଡିଜିସିଏ) ପକ୍ଷରୁ ଆଜି ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି କି ଏବେ ପୁଣି କରୋନାର ନୂଆ ଭାରିଆଣ୍ଟକୁ ନେଇ ଦେଖାଦେଇଥିବା ବିପଦ କାରଣରୁ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ଅର୍ନ୍ତରାଷ୍ଟ୍ରୀୟ ଉଡାଣ ଉପରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ରୋକ ଲଗାଯାଇଛି ।

Advertisment

କହିରଖୁ କି ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ କି କରୋନାର ନୂଆ ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଅର୍ନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ହୋଇଥିବା ନିଷ୍ପତ୍ତିକୁ ପୁଣିଥରେ ବିଚାର କରାଯାଉ । ଟିକାକରଣ ବାବଦରେ ସମୀକ୍ଷା ପାଇଁ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଏଭଳି କହିଥିଲେ । ଏହାସହ ପ୍ରଧାନମନ୍ତ୍ରୀ ବିଦେଶରୁ ଆସୁଥିବା ନାଗରିକଙ୍କ ଉପରେ ନଜର ରଖିବା ଓ ବିପଦ ଥିବା ଦେଶରୁ ଆସୁଥିବା ନାଗରିକମାନଙ୍କ କୋଭିଡ ଟେଷ୍ଟ କରିବାକୁ ପରାମର୍ଶ ଦେଇଥିଲେ ।

କହିରଖୁ କି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପ୍ରଥମେ ଦକ୍ଷୀଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା । ଏବେ ଏହା ୧୫ ଟି ଦେଶକୁ ବ୍ୟାପିଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି । ତେଣୁ ଏହାକୁ ନଜରରେ ରଖି ସରକାର ପୁଣିଥରେ ଦେଶରେ ଲକଡାଉନ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।