ଡ୍ରଗ୍ସ ମାଫିଆ ସେକ୍ ରାଜାର ବାଲେଶ୍ୱରସ୍ଥିତ ଘରେ ରେଡ୍। ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି କ୍ରାଇମବ୍ରାଂଚର ୫ଜଣିଆ ଏସଟିଏଫ ଟିମ୍

ରାଜ୍ୟବ୍ୟାପି ବ୍ରାଉନସୁଗାର ବେପାର କରୁଥିବା ରାଜା ଭୁବନେଶ୍ୱରରୁ ହୋଇଥିଲା ଗିରଫ

565

କନକ ବ୍ୟୁରୋ: ଡ୍ରଗ୍ସ ମାଫିଆ ସେକ୍ ରାଜାର ବାଲେଶ୍ୱରସ୍ଥିତ ଘରେ ରେଡ୍ । କ୍ରାଇମବ୍ରାଂଚର ସ୍ପେଶାଲ ଟ୍ୟାକ୍ସ ଫୋର୍ସର ୫ଜଣିଆ ଟିମ୍ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି । ବ୍ରାଉନସୁଗାର ବେପାରୀ ରାଜାର ସହଯୋଗୀଙ୍କ ଘରେ ରେଡ୍ କରୁଛନ୍ତି ଏହି ଟିମ୍ । ରାଜ୍ୟବ୍ୟାପି ବ୍ରାଉନସୁଗାର ବେପାର କରୁଥିବା ରାଜାକୁ ଭୁବନେଶ୍ୱର ଖଣ୍ଡଗିରିରୁ ଗିରଫ କରିଥିଲା ଏଟିଏଫ୍ । ଡ୍ରଗ୍ସ ମାଫିଆ ରାଜାର ନେଟୱାର୍କ ସାରା ଓଡିଶା ସମେତ ପଶ୍ଚିମବଙ୍ଗ, ଗୋଆ, ରାଜସ୍ଥାନକୁ ବ୍ୟାପିଥିଲା । ଏପରିକି ନେପାଳ ଓ ବାଂଲାଦେଶର ମାଫିଆଙ୍କ ସହ ରହିଥିଲା ରାଜାର ସମ୍ପର୍କ ।

ଏସଟିଏଫର ସୂଚନା ଅନୁଯାୟୀ ରାଜା ଜଣେ କୁଖ୍ୟାତ ବ୍ରାଉନସୁଗାର ମାଫିଆ । ସେ ଫେସବୁକ୍ ଓ ହ୍ୱାଟସଆପ୍ ମାଧ୍ୟମରେ ରାଜ୍ୟ , ଦେଶ ଓ ଦେଶ ବାହାରର ନିଶା ମାଫିଆଙ୍କ ସହ ଯୋଗାଯୋଗ କରେ । ସିଧା ବାଂଲାଦେଶ ମାଫିଆଙ୍କ ଯୋଗାଯୋଗ କରେ । ସେମାନେ ବାଂଲାଦେଶ ବର୍ଡରରେ ବ୍ରାଉନସୁଗାର ପହଁଚାଇ ଦିଅନ୍ତି । ସେଠାରୁ ରାଜାର ସହଯୋଗୀମାନେ କୋଲାକାତା ଦେଇ ଡ୍ରଗ୍ସକୁ ଜଳେଶ୍ୱରରେ ପହଁଚାଇଥାନ୍ତି । ଜଳେଶ୍ୱରରେ ରାଜାର ଫ୍ୟାନ କ୍ଲବ ଅଛି ।

ଫ୍ୟାନ କ୍ଲବ୍ ପିଲାମାନଙ୍କୁ ଟଙ୍କା ଦେଇ ସାରା ରାଜ୍ୟର ବେପାରୀମାନଙ୍କୁ ସେ ବ୍ରାଉନସୁଗାର ଯୋଗାଇ ଆସୁଥିଲା । ତା ଇଶାରାରେ ସହଯୋଗୀମାନେ ଠିକଣାସ୍ଥାନରେ ବ୍ରାଉନସୁଗାର ପହଁଚାଇ ଦେଇଥାନ୍ତି । ହେଲେ ରାଜା ଅଧିକାଂଶ ସମୟ ରାଜ୍ୟ ବାହାରେ ରହୁଥିଲା । କେତେବେଳେ କୋଲକାତା ତ ଆଉ କେତେବେଳେ ଗୋଆ, ରାଜସ୍ଥାନ, ଏପରିକି ନେପାଳରେ ରାଜା ରହିଥାଏ । ତେଣୁ ରାଜାକୁ ସହଜରେ ଏସଟିଏଫ ଗିରଫ କରିପାରୁ ନଥିଲା । ରାଜାର ଘର ବାଲେଶ୍ୱର ଜିଲ୍ଲାର ସହଦେବଖୁଂଟା ଥାନା ଅନ୍ତର୍ଗତ ଅରଡବଜାର ଗୋଳାପୋଲ ବୋଲି ଜଣାପଡିଛି ।