ପୁରୀରେ ହେଉ ଆନ୍ତର୍ଜାତୀୟ ବିମାନ ବନ୍ଦର । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାରିଧାମ ମଧ୍ୟରୁ ପୁରୀ ଅନ୍ୟତମ ଧାମ ଯୋଗୁଁ ବଢୁଛି ପର୍ଯ୍ୟଟକଙ୍କ ଭିଡ

302

କନକ ବ୍ୟୁରୋ : ପୁରୀରେ କରାଯାଉ ଅନ୍ତର୍ଜାତୀୟ ବିମାନ ବନ୍ଦର । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀକ୍ଷେତ୍ରକୁ ଦେଶ ବିଦେଶର ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବାରୁ ଏହି ବିମାନବନ୍ଦରକୁ ଶ୍ରୀ ଜଗନ୍ନାଥ ଇଂଟରନାସନାଲ ଏୟାରପୋର୍ଟ ନାଁରେ ନାମିତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ଚାରି ପ୍ରସିଦ୍ଧ ଧାମ ମଧ୍ୟରୁ ପୁରୀ ହେଉଛି ଗୋଟିଏ ପ୍ରମୁଖ ଧାମ । ସାରା ବିଶ୍ୱର ଶ୍ରଦ୍ଧାଳୁ ପୁରୀ ଶ୍ରୀମନ୍ଦିରଦର୍ଶନ ପାଇଁ ଆସିଥାନ୍ତି । ପୁରୀ ଜିଲ୍ଲାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ମାତ୍ର ୩୫ କିଲୋମିଟର ଦୂରରେ ରହିଛି । ଏହାର ଅତି ନିକଟରେ ରହିଛି ରାମଚଣ୍ଡୀ –ଚନ୍ଦ୍ରଭାଗା ବେଳାଭୂମି । ଯାହାକି ଜାତୀୟ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।

ୟୁନେସ୍କୋର ବିଶ୍ୱ ଐତିହ୍ୟରେ ସ୍ଥାନପାଇଥିବା ରାମସର ସାଇଟ ଚିଲିକା ସହିତ ମଧ୍ୟ ପୁରୀର ସଂପୃକ୍ତି ଅଛି । ଏପଟେ ଭିତରକନିକା , ସେପଟେ ଚିଲିକା , ପୁରୀରେ ଏକ ଭଲ ଇକୋଟୁରିଜିମ୍ ଉନ୍ନତିକରଣ ପାଇଁ ଭଲ ପ୍ଲାଟଫର୍ମ ରହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମୁଖମନ୍ତ୍ରୀ । ସେହିପରି ରାଜ୍ୟର ପ୍ରସିଦ୍ଧ ବୌଦ୍ଧ କୀର୍ତିରାଜି ଧଉଳି, ରତ୍ନଗିରି ପ୍ରଭୃତି ପୁରୀ ଠାରୁ ମାତ୍ର ୩ ଘଂଟାର ଦୂରତାରେ ଅବସ୍ଥିତ । ସାରା ବିଶ୍ୱର ବୌଦ୍ଧ ଧର୍ମ ପର୍ଯ୍ୟଟକଙ୍କୁ ଏହି ପ୍ରସିଦ୍ଧ ପୀଠକୁ ଆକର୍ଷିତ କରିଥାଏ । ସେହିପରି କୋଷ୍ଟାଲ ହାଇୱେ ମଧ୍ୟ ଏହି ପୁରୀ ଦେଇ ଯାଉଛି । ଯାହାକି ପାରାଦୀପ ଠାରୁ ୧୧୪ କିମି ଦୂରରେ । ଏହି ସବୁ କାରଣ ଦେଖାଇ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ମଧ୍ୟ ଅନ୍ୟତମ ଆକର୍ଷଣ ।  ଏହାସହିତ ପୁରୀ ଆଧ୍ୟାତ୍ମିକ, ପର୍ଯ୍ୟଟନ ଏବଂ ଅର୍ଥନୈତିକ ବିକାଶର କ୍ଷେତ୍ର ବନିପାରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ ।