ରୁଟି ଓ ପରଟାକୁ ନେଇ ରୋଚକ ଖବର । ରୁଟି ଖାଇଲେ ଗ୍ରାହକ ଦେଉଛନ୍ତି ୫ ପ୍ରତିଶତ ଜିଏସଟି : ହେଲେ ପରଟା ଉପରେ ଲାଗୁଛି ୧୮ ପ୍ରତିଶତ  !

553

କନକ ବ୍ୟୁରୋ : ଏହା ଏମିତି ଏକ ଖବର ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିପାରେ । ତେବେ ହୋଟେଲ, ରେଷ୍ଟୁରାଂଟରେ ଆପଣ ପରଟା ଖାଇଲେ ରୁଟି ଅପେକ୍ଷା ଅଧିକ ଟିକସ ଦେବାକୁ ପଡୁଛି । ହୁଏତ ଆପଣ ଏହା ଉପରେ ସେତେଟା ଧ୍ୟାନ ଦେଇନଥିବେ । କିନ୍ତୁ ଅଟାରୁ ଉଭୟ ରୁଟି ଓ ପରଟା ପ୍ରସ୍ତୁତ ହେଉଥିଲେ ମଧ୍ୟ ରୁଟି କିମ୍ବା ଚପାତି ପାଇଁ ୫ ପ୍ରତିଶତ ଜିଏସଟି ଦେଉଥିବାବେଳେ ପରଟା ପାଇଁ କିନ୍ତୁ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡୁଛି । ବେଙ୍ଗାଳୁରୁ କମ୍ପାନି ଆଇଡି ଫ୍ରେସ ଫୁଡ୍ସ ଏକ ସ୍ୱତନ୍ତ୍ର ଅଦାଲତକୁ ଯିବା ପରେ ରୁଟି ପରଟା ଉପରେ ନିଆଯାଉଥିବା ଏହି ଅଲଗା ଅଲଗା ଜିଏସଟି ବାବଦରେ ଜଣାପଡିଛି । ସ୍ୱତନ୍ତ୍ର ଅଦାଲତ ଅଥରିଟି ଅଫ ଆଡଭାନ୍ସ ରୁଲିଂସ ପକ୍ଷରୁ କୁହାଯାଇଛି- ଅଟା ପରଟା କିମ୍ବା ମାଲାବାର ପରଟା ୩ରୁ ୫ ଦିନ ପର୍ଯ୍ୟନ୍ତ ରଖି ଖିଆ ଯାଇପାରିବ ।

ଏହା ରେଡି-ଟୁ-ଇଟ୍ ଖାଦ୍ୟ ବର୍ଗର ନୁହେଁ । କାରଣ ଖାଇବା ପୂର୍ବରୁ ଏହାର ପୁଣି ଗରମ କରିବାକୁ ପଡିଥାଏ । ତେଣୁ ଏହା ଉପରେ ୧୮ ପ୍ରତିଶତ ହାରରେ ଜିଏସଟି ଆଦାୟ ଜାରି ରହିବ । କିନ୍ତୁ ଖାକ୍ରା କିମ୍ବା ଅଟାରେ ପ୍ରସ୍ତୁତ ସାଦା ରୁଟି ରେଡି-ଟୁ-ଇଟ୍ ବର୍ଗରେ ଆସୁଛି । ଅଧିକାଂଶ ଲୋକ ମଧ୍ୟ ରୁଟି ଖାଇଥାନ୍ତି । ତେଣୁ ଏହା ଉପରେ ୫ ପ୍ରତିଶତ ହାରରେ ଜିଏସଟି ଆଦାୟ ଜାରି ରହିବ । ଅଥରିଟି ଅଫ ଆଡଭାନ୍ସ ରୁଲିଂସର ଏଭଳି ରାୟ ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପରିକି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏଭଳି ରୋଚକ ଖବର ସାମ୍ନାକୁ ଆସିବା ପରେ ହ୍ୟାସଟ୍ୟାଗ ହ୍ୟାଣ୍ଡସଅଫ ପରଟା ଟ୍ରେଣ୍ଡ ହେବାରେ ଲାଗିଛି ।