ରୋଚକ ହେଉଛି ଦଶପଲ୍ଲାର ରାଜନୀତି । ବିଜେଡି ବିଜେପି ଆଉ ସ୍ୱାଭିମାନ ମଞ୍ଚ ଭିତରେ ଟଣା ଓଟରା

172

କନକ ବ୍ୟୁରୋ: ରୋଚକ ହେଉଛି ଦଶପଲ୍ଲାର ରାଜନୀତି । ବିଜେଡି ବିଜେପି ଆଉ ସ୍ୱାଭିମାନ ମଞ୍ଚର ଟଣା ଓଟରା ଭିତରେ ଲୋକଙ୍କ ଚର୍ଚ୍ଚା ବଢିବାରେ ଲାଗିଛି । ଗତ ୨୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ବିଧାୟକ ରମେଶ ବେହେରାଙ୍କୁ ରିପିଟ କରିଛି ବିଜେଡି । ବିଭିନ୍ନ ଦଳୀୟ ଅସନ୍ତୋଷ ଭିତରେ ଅସନ୍ତୁଷ୍ଟଙ୍କୁ ଦଳକୁ ଫେରାଇ ଆଣିବା ପ୍ରୟାସ ଜାରି ରଖିଛନ୍ତି ବିଧାୟକ ।

ବିଜୁ ଜନତା ଦଳର ୨୫ ବର୍ଷର ସ୍ଥିର ସରକାର ସହ ଲୋକେ ରହିବେ ବୋଲି ଦଳୀୟ କର୍ମକର୍ତ୍ତା କହିଛନ୍ତି । ସେପଟେ ଦୀର୍ଘ ବର୍ଷ ଧରି ସଂଗଠନ ସହ ଜଡିତ ଥିବା ରାଘବ ମଲ୍ଲିକଙ୍କୁ ବିଜେପି ଏଥର ପ୍ରାର୍ଥୀ କରିଛି । ଆଉ ଟିକେଟ ମିଳିବା ଦିନଠାରୁ ପ୍ରଚାର ମୈଦାନକୁ ଓହ୍ଲାଇ ସାରିଛନ୍ତି ରାଘବ । ନାହିଁ ନାହିଁର ୨୫ ବର୍ଷର ବିଜେଡି ସରକାର ବିରୁଦ୍ଧରେ ତାଙ୍କ ଲଢେଇକୁ ଲୋକେ ସମର୍ଥନ କରିବେ ବୋଲି ସେ କହିଛନ୍ତି ।

ବିଜେଡି ବ୍ୟାନରରେ ରହି ବିଧାୟକଙ୍କୁ ବିରୋଧ କରିଆସୁଥିବା ଦଶପଲ୍ଲା ସ୍ୱାଭିମାନ ମଞ୍ଚ ବିଗତ ଦିନରେ ରାଲି ସମାବେଶ ଇତ୍ୟାଦି କରାଇ ବିଧାୟକଙ୍କ ବହିସ୍କାର ଦାବି କରି ଆସୁଥିଲେ । ଏବେ ପୁଣିଥରେ ବିଧାୟକଙ୍କ ପ୍ରାର୍ଥୀତ୍ୱ ଫଳରେ ଅସନ୍ତୁଷ୍ଟ ସ୍ୱାଭିମାନ ମଞ୍ଚ ବିଜେପିରେ ଯୋଗ ଦେଇଛି । ଫଳରେ ବିଜେପି ଶକ୍ତିଶାଳୀ ହେବା ସହ ଜିତିବାକୁ ଦାବି କରିଛି । ତେବେ ସ୍ୱାଭିମାନ ମଂଚରୁ ଆସିଥିବା ଡାକ୍ତର ରବିନ୍ଦ୍ର ସେଠୀଙ୍କୁ ଟିକେଟ ଦେବା ପାଇଁ ରାଜ୍ୟ ନେତୃତ୍ୱଙ୍କଠାରେ ଦାବି କରିଛି ସ୍ୱାଭିମାନ ମଞ୍ଚ ।

ଏ ପର୍ଯ୍ୟନ୍ତ ତାର ପ୍ରାର୍ଥୀ ଘୋଷଣା କରିନଥିବା କଂଗ୍ରେସ ଏଠାରେ ପ୍ରଭାବ ଶୂନ୍ୟ ରହିଥିବା ବେଳେ ବିଜେପି ର ଚୂଡାନ୍ତ ନିଷ୍ପତିକୁ ଅପେକ୍ଷା କରାଯାଇଛି । ତେବେ ନିର୍ବାଚନୀ ମଇଦାନରେ ଏଥର ତ୍ରିମୁଖୀ ଲଢେଇ ଜୋରଦାର ହେବାର ଜଣାପଡିଛି ।