ନିମାପଡାରେ ରୋଚକ ଲଢେଇ: ଅମିତ ଶାହାଙ୍କ ପରେ ମୈଦାନରେ ଧର୍ମେନ୍ଦ୍ର

1,545

କନକ ବ୍ୟୁରୋ: ଶେଷ ପର୍ଯ୍ୟାୟ ନିର୍ବାଚନରେ ହଟ୍ସ୍ପଟ୍ ପାଲଟିଛି ନିମାପଡା ବିଧାନସଭା କ୍ଷେତ୍ର । ବିଜେଡିର ଗଡ ଥିବା ଏହି ଆସନ ବିଜେପି ଫୋକସ୍ରେ । ବିଧାୟକ ସମୀର ଦାସଙ୍କ ଟିକେଟ୍ କଟିବା ପରେ ନିମାପଡାରେ ସମୀକରଣ ବଦଳିପାରେ ବୋଲି ଚର୍ଚ୍ଚା ହେଉଛି । ସେଥିପାଇଁ ତ, ବିଜେପି ଚାଣ୍ୟକ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀଙ୍କ ଭଳି ନେତା ନିମାପଡାରେ ପହଁଚି ଭୋଟ୍ ଅପିଲ କରିଛନ୍ତି ।

ଶେଷ ପର୍ଯ୍ୟାୟ ନିର୍ବାଚନରେ ପିଲିଟିକାଲ ହଟସିଟ ପାଲଟିଛି ପୁରୀର ନିମାପଡା ଆସନ । ଏଠାରେ ଚଳିତ ଥର ରାଜନୈତିକ ସମୀକରଣ ବଦଳିବା ପରେ ବଡ ନେତା ବି ପ୍ରଚାର କରିବାର ମୌକାକୁ ହାତଛଡା କରୁନାହାନ୍ତି । ବିଜେଡି ବି ସ୍ୱତନ୍ତ୍ର ରଣନୀତି କରିଛି ।

ମଙ୍ଗଳବାର ଅମିତ ଶାହାଙ୍କ ପ୍ରଚାର ପରେ ବୁଧବାର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିଜେଡି ଉପରେ ବର୍ଷିଥିଲେ । ଜନସଭାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡା ଓ ଜଗତସିଂହପୁର ସାସଂଦ ପ୍ରାର୍ଥୀ ବିଭୁ ତରାଇଙ୍କ ପାଇଁ ପ୍ରଚାର କରିଛନ୍ତି । ଧେର୍ମେନ୍ଦ୍ର କହିଥିଲେ, ବିଧାୟକ ସମୀର ଦାସ ବିଜେପିକୁ ଆସିଲା ପରେ ଏହି ଆସନ ବିଜେପି ଖାତାକୁ ଆସିସାରିଛି ।

ନିମାପଡାରେ ଏଥର ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ସାରଥୀ ସାଜିଛନ୍ତି ବର୍ତମାନର ବିଧାୟକ ତଥା ପୁରୁଣା ପ୍ରତିଦ୍ୱନ୍ଦୀ ସମୀର ଦାସ । ୨୦୧୪ ଓ ୨୦୧୯ରେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ସାଜିଥିଲେ ବିଜେପିର ପ୍ରଭାତୀ ପରିଡା ଓ ବିଜେଡିର ସମୀର ଦାଶ । ଆଉ ଦୁଇଥର ଯାକ ସମୀର ଦାଶ ଜିତିଥିଲେ । ଏଥର କିନ୍ତୁ ସମୀର ଦାସଙ୍କୁ ବିଜେଡି ଟିକେଟ ନ ଦେବାରୁ ଶିବିର ବଦଳାଇ ବିଜେପିରେ ସାମିଲ ହୋଇଛନ୍ତି ସମୀର । ବିଜେଡିରୁ ଦିଲ୍ଲୀପ ନାୟକ ଟିକେଟ ପାଇଛନ୍ତି । ଫଳରେ ଏଠାରେ ୨୦୦୦ ଓ ୨୦୦୪ ଭଳି ପୁଣି ବିଜେପି ବିଜୟୀ ହେବ ବୋଲି ଆଶା ରଖିଛି । ଆଉ ଅମିତ ଶାହଙ୍କ ପରେ ଧର୍ମେନ୍ଦ୍ରଙ୍କ ପ୍ରଚାର ଏହି ଆସନର ଗୁରୁତ୍ୱକୁ ବଢାଇଦେଇଛି ।

ମଙ୍ଗଳବାରଦିନ ଅମିତ ଶାହା ନିମାପଡାରେ ପ୍ରଚାର କରିଥିଲେ । ଆଜି ଧର୍ମେନ୍ଦ୍ରଙ୍କ ପରେ ଅପରାଜିତା ବି ରୋଡ ଶୋ କରି ପ୍ରଭାତୀ ପରିଡାଙ୍କ ପାଇଁ ପ୍ରଚର କରିଛନ୍ତି ।