ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍ । ପ୍ରଭାବିତ ଅଂଚଳ ଗସ୍ତ ପୂର୍ବରୁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା

ଆଜି ପୁରୀ, ଖୋର୍ଦ୍ଧାରେ ଅନୁଧ୍ୟାନ; କାଲି କଟକ ଓ ୧୫ ତାରିଖରେ ବୁଲିବେ ଭୁବନେଶ୍ୱର

99

କନକ ବ୍ୟୁରୋ: ବାତ୍ୟାର କ୍ଷୟକ୍ଷତି ଆକଳନ ଆରମ୍ଭ କରିବାକୁ ଭୁବନେଶ୍ୱରରେ ପହଂଚିଛନ୍ତି କେନ୍ଦ୍ରୀୟ ଟିମ୍ । ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଏକ ୧୧ ଜଣିଆ ଟିମ୍ ଫୋନି ବାତ୍ୟାର କ୍ଷୟକ୍ଷତି ନେଇ ଆକଳନ କରିବେ । ପ୍ରଭାବିତ ଅଂଚଳକୁ ଯିବା ପୂର୍ବରୁ କେନ୍ଦ୍ରୀୟ ଟିମ୍ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଓ ପ୍ରଶାସନିକ ଅଧିକାରୀ କିଷନ କୁମାର ଉପସ୍ଥିତ ଥିଲେ । ପରେ କେନ୍ଦ୍ରୀୟ ଟିମ ଦୁଇ ଭାଗ ହୋଇ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ।

ସେହିପରି ଆସନ୍ତାକାଲି ଗୋଟିଏ ଟିମ କଟକର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିବାକୁ ଥିବା ବେଳେ ଅନ୍ୟ ଟିମ୍ ପୁରୀର ବାତ୍ୟା ଅଂଚଳ ବୁଲିବା କାର୍ଯ୍ୟସୂଚୀ ରହିଛି । ଆସନ୍ତା ୧୫ ତାରିଖରେ କେନ୍ଦ୍ରୀୟ ଟିମର ୧୧ ଜଣ ସଦସ୍ୟ ଭୁବନେଶ୍ୱର ମହାନଗର ନିଗମ ଅଂଚଳ ପରିଦର୍ଶନ କରିବା ସହ ପୂର୍ବାହ୍ନ ୧୧ଟାରେ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିବେ । ସେହିଦିନ ଅପରାହ୍ନରେ କେନ୍ଦ୍ରୀୟ ଟିମ୍ ଦିଲ୍ଲୀ ଫେରିଯିବେ ।