କାହାକୁ ଦିଲ୍ଲୀ ପଠାଇବେ ନବୀନ, ସସପେନ୍ସରେ ନେତା? ବିଜେଡି ସୁପ୍ରିମୋଙ୍କ କୋର୍ଟକୁ ବଲ ଫିଙ୍ଗିଲେ ପ୍ରସନ୍ନ ଓ ରମେଶ ।

425

କନକ ବ୍ୟୁରୋ : ରାଜ୍ୟର ଖାଲି ଥିବା ୪ଟି ରାଜ୍ୟସଭା ଆସନ ପାଇଁ ଆରମ୍ଭ ହୋଇଯାଇଛି ରେସ୍ । ଗତକାଲି ୩ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି ଖାଲି ପଡିଥିବା ଆଉ ଗୋଟିଏ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପଟେ ୨୦୧୯ ସାଧାରଣ ନିର୍ବାଚନରେ ଟିକେଟରୁ ବଞ୍ଚିତ ହୋଇଥିବା ଭେଟେରାନ ନେତା ରମେଶ ଚ୍ୟାଉ ପଟ୍ଟନାୟକ ଓ ପ୍ରସନ୍ନ ପାଟ୍ଟଶାଣୀ ପ୍ରତିଶ୍ରୁତିର କଥା କହି ରାଜ୍ୟସଭା ପାଇଁ ଲବି ଆରମ୍ଭ କରିସାରିଛନ୍ତି । ଏହାସହ ବିଜେଡିର ଅନେକ ନେତା ଏବେ ଏହି ତାଲିକାରେ ଅଛନ୍ତି । ତେବେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବାରୁ ସଂଖ୍ୟା ଦୃଷ୍ଟିରୁ ସମସ୍ତ ଆସନ ବିଜେଡି ହାତକୁ ଯିବା ଏକପ୍ରକାର ସ୍ପଷ୍ଟ । ତେଣୁ ବିରୋଧୀଙ୍କ ପାଇଁ କୌଣସି ସୁଯୋଗ ହିଁ ନାହିଁ ।

ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର, ଏନ ଭାସ୍କର ରାଓ ଓ ସୁବାସ ସିଂହଙ୍କ ଆସନରେ ହେବାକୁ ଯାଉଛି ନିର୍ବାଚନ । କିନ୍ତୁ ଏହି ରାଜ୍ୟସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହେବାକୁ ଯାଉଛି । ୧୦ ଜୁନରେ ହେବ ୩ଟି ସିଟ୍ ପାଇଁ ଓ ୧୩ ଜୁନରେ ଗୋଟିଏ ଆସନ ପାଇଁ ନିର୍ବାଚନ ହେବ । ଏସବୁ ଭିତରେ ୨୦୧୯ ସାଧାରଣ ନିର୍ବାଚନରେ ଟିକେଟରୁ ବଂଚିତ ହୋଇଥିବା ଭେଟେରାନ ନେତା ରମେଶ ଚ୍ୟାଉ ପଟ୍ଟନାୟକ ଓ ପ୍ରସନ୍ନ ପାଟ୍ଟଶାଣୀ ପ୍ରତିଶ୍ରୁତିର କଥା କହି ରାଜ୍ୟସଭା ପାଇଁ ଲବି ଆରମ୍ଭ କରିସାରିଛନ୍ତି । ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ଯେ, ଭରସା ଓ ବିଶ୍ୱାସ ରହିଛି ବିଜେଡି ସୁପ୍ରିମୋ ଏଥର ତାଙ୍କୁ ରାଜ୍ୟସଭା ପଠାଇ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବେ । ନବୀନ ଯାହା କୁହନ୍ତି ତାହା କରନ୍ତି ବୋଲି କହି ସମ୍ବେଦନ କାର୍ଡ ଖେଳିଛନ୍ତି । ଚ୍ୟାଉ ପଟ୍ଟନାୟକ ମଧ୍ୟ ସୁପ୍ରିମୋଙ୍କ କୋର୍ଟକୁ ବଲ ଠେଲି, ବୟସ ଅଧିକ ହେଲେ ବି ଦିଲ୍ଲୀ ରାଜନୀତିରେ ଦଳ ପାଇଁ ସବୁକିଛି କରିପାରିବେ ବୋଲି ଦମ୍ଭ ଦେଖାଇଛନ୍ତି ।

ବିଜେଡିର ଏହି ଦୁଇ ଭେଟେରାନ ନେତାଙ୍କ ବାଦ ଆହୁରି ଅନେକ ଆଶାୟୀ ଦିଲ୍ଲୀ ଯିବାକୁ କ୍ଷମତା କେନ୍ଦ୍ରରେ ନିଜନିଜ ପାଇଁ ଲବି ଚଳାଇଛନ୍ତି । ଏହି ଚେହେରା ଭିତରେ ରହିଛନ୍ତି, ପ୍ରଦୀପ ମାଝୀ, ମାନସ ମଙ୍ଗରାଜ, ସସ୍ମିତ ପାତ. ପ୍ରସନ୍ନ ଆଚାର୍ଯ୍ୟ, ଅସିତ ତ୍ରିପାଠୀ, ପୁଷ୍ପେନ୍ଦ୍ର ସିଂଦେଓ, ଶ୍ରୀମୟୀ ମିଶ୍ରଙ୍କ ଭଳି ନାଁକୁ ନେଇ ବିଜେଡି ଅନ୍ଦର ମହଲରେ ଚର୍ଚ୍ଚା ହେଉଛି । ବିଜେଡି ରାଜନୀତିକୁ ପାଖରୁ ଦେଖୁଥିବା ଲୋକେ ଭଲଭାବେ ଜାଣନ୍ତି ଯେ, ଶେଷ ମୁହୂର୍ତରେ ଅନେକ ସରପ୍ରାଇଜ ଦିଅନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେତେବେଳେ ଅଶ୍ୱିନୀ ବୈଷ୍ଣବଙ୍କ ଭଳି ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଛି ତ ପୁଣି କେତେବେଳେ ମହିଳା କାର୍ଡ ଖେଳି ସମସ୍ତଙ୍କୁ ଚକିତ କରିଛନ୍ତି ।