ଗୁପ୍ତଚରଙ୍କ ଗୁମର ଏମିତି ଫିଟାଇଲା ଗୁଇନ୍ଦା: ବର୍ଷେ ଧରି ଚାଲିଥିଲା ସର୍ଭିଲାନ୍ସ

220

କନକ ବ୍ୟୁରୋ: ଠିକା କର୍ମଚାରୀ ବସନ୍ତ ବେହେରା, ହେମନ୍ତ ମିସ୍ତ୍ରୀ, ତାପସ ନାୟକ, ସେକ୍ ମୁସାଫିର ଏବଂ ଡ୍ରାଇଭର ସଚିନ୍ ଛେଟା । ଏମାନଙ୍କ ନିକଟକୁ ବାରମ୍ବାର ଆସୁଥିଲା ଆଇଏସଡି କଲ୍ । ସର୍ଭିଲାନ୍ସରୁ ଏହା ଜଣାପଡିବା ପରେ ସତର୍କ ହୋଇଯାଇଥିଲା ଦେଶର ଗୁଇନ୍ଦା ବିଭାଗ ବା ଇଂଟେଲିଜେନ୍ସ ବ୍ୟୁରୋ । କ୍ଷେପଣାସ୍ତ୍ର ଘାଟି ଥିବାରୁ ବାଲେଶ୍ୱରକୁ ଆସୁଥିବା କଲ୍ ଉପରେ ନଜର ରଖାଯାଇଥିଲା । ବାଲେଶ୍ୱର ପୁଲିସକୁ ବି ସତର୍କ କରିଥିଲା ଇଂଟେଲିଜେନ୍ସ ବ୍ୟୁରୋ ।

୨୦୧୯ ହନି-ଟ୍ରାପ ହବ ପାଲଟିଥିବା ଆଇଏସଆଇ ଦ୍ୱାରା ପରିଚାଳିତ ପାକିସ୍ତାନର ଏକ କଲ୍ ସେଂଟରର ପର୍ଦାଫାଶ କରିଥିଲା ଇଂଟେଲିଜେନ୍ସ ବ୍ୟୁରୋ । ସେଥିରୁ ପ୍ରମାଣିତ ହୋଇଥିଲା, ସେନା ଅଧିକାରୀ ଏବଂ ପ୍ରତିରକ୍ଷା ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ଟାର୍ଗେଟ କରି ଗୁରୁତ୍ୱପୂର୍ଣ୍ଣ ହାସଲ ପାଇଁ ଚାଲ କରିଆସୁଛି ପାକିସ୍ତାନ ।

ଟେଲିଫୋନ ଓ ସୋସିଆଲ ମିଡିଆରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର କିଛି ବ୍ୟକ୍ତି ପାକିସ୍ତାନୀ ଲୋକଙ୍କ ସହ ସଂପର୍କରେ ଥିବା ସୁରାକ ପାଇବା ପରେ ସମସ୍ତଙ୍କ ଉପରେ ନଜର ରଖିଥିଲେ ଇଂଟେଲିଜେନ୍ସ ବ୍ୟୁରୋର ଅଧିକାରୀ । ପ୍ରାୟ ୭ ଜଣ କର୍ମଚାରୀଙ୍କ ସୋସିଆଲ ମିଡିଆ ଚାଟ୍ ଉପରେ ନଜର ରଖାଯାଇଥିଲା । ଏବଂ ଫୋନ୍ କଲକୁ ବିଭିନ୍ନ ସମୟରେ ଟ୍ରାକ୍ କରାଯାଉଥିଲା । ପରେ ଜଣାପଡ଼ିଥିଲା କିଛି ପାକିସ୍ତାନୀ ମହିଳା, କ୍ଷେପଣାସ୍ତ୍ର ଘାଟୀରେ କାମ କରୁଥିବା ଏହି କର୍ମଚାରୀମାନଙ୍କ ସହ ଲଗାତର ସଂପର୍କରେ ଅଛନ୍ତି । ୭ଜଣଙ୍କ ମଧ୍ୟରୁ ୫ ଜଣ କର୍ମଚାରୀଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା ।

ଟଙ୍କା କାରବାର ନେଇ ସେଭଳି ଠୋସ୍ ପ୍ରମାଣ ମିଳିନଥିଲେ ମଧ୍ୟ ସୋସିଆଲ ମିଡିଆରେ ଲଗାତାର ସଂପର୍କରେ ରହିବା ଓ କ୍ଷେପଣାସ୍ତ୍ର ଘାଟୀର ବିଭିନ୍ନ ତଥ୍ୟ ସଂପର୍କରେ ଚାଟ୍ କରିବା ଇଂଟେଲିଜେନ୍ସ ବ୍ୟୁରୋର ଅଧିକାରୀଙ୍କ ନଜରକୁ ଆସିଥିଲା । ସଚିନ୍ ଛେଟାଙ୍କ ଉପରେ ସବୁଠୁ ଅଧିକ ନଜର ରହିଥିଲା ।

ଡ୍ରାଇଭର ସଚିନ୍ ଛେଟା ସଂପର୍କରେ ମଧ୍ୟ ଇଂଟେଲିଜେନ୍ସ ବ୍ୟୁରୋ ଅଧିକାରୀଙ୍କଠାରୁ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା । ଏହି ଡ୍ରାଇଭର ଜଣଙ୍କ ଡିଆଡିଓଙ୍କ ନିର୍ଦ୍ଦେଶକଙ୍କ ଗାଡି ଚଳାଉଥିଲା । ତେଣୁ ତାଙ୍କ ପାଖରେ ବୈଜ୍ଞାନିକଙ୍କ ସଂପର୍କରେ ଖବର ରହୁଥିଲା । କ୍ଷେପଣାସ୍ତ୍ର ଘାଟିର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯିବାଆସିବା ଥିଲା । ସଚିନ୍ ଛେଟା, ସୋସିଆଲ ମିଡିଆରେ ଏଭଳି କିଛି ତଥ୍ୟ ପାକିସ୍ତାନୀ ମହିଳାଙ୍କ ସହ ସେୟାର କରିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା ।

ଏପଟେ ଅନ୍ୟ ୪ ଠିକା କର୍ମଚାରୀଙ୍କ ସଂପର୍କରେ ଖୋଳତାଡ ଆରମ୍ଭ କରିଛି କ୍ରାଇମବାଂଚ । ଏମାନଙ୍କ ପୂରା ବିବରଣୀ ଜାଣିବାକୁ ଉଦ୍ୟମ କରାଯାଉଛି । କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ମାମଲାରେ ଡିଆରଡିଓର ଚିଫ୍ ସିକ୍ୟୁରିଟି ଅଫିସର ଅନୁରାଗ ସେନଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଂଚ । ଆଇଜିଙ୍କ କାର୍ଯ୍ୟାଳୟରେ ଠିକା କର୍ମଚାରୀଙ୍କ ବାବଦରେ ପ୍ରାୟ ୧ ଘଂଟା ଧରି ଅନୁରାଗ ସେନଙ୍କୁ ପଚରାଉଚରା କରାଯାଇଛି । ଚିଫ୍ ସିକ୍ୟୁରିଟି ଅଫିସରଙ୍କ ଅଧୀନରେ ଠିକା କର୍ମଚାରୀ କାମ କରୁଥିବାରୁ ସେମାନଙ୍କ ନିଯୁକ୍ତି ଠାରୁ ଆରମ୍ଭ କରି ସଂପୂର୍ଣ୍ଣ ବିବରଣୀ ରହିଛି ତାଙ୍କ ପାଖରେ ।

କେତେ ବର୍ଷ ଧରି ଏହି କର୍ମଚାରୀମାନେ କାର୍ଯ୍ୟ କରୁଥିଲେ, କେଉଁ ଆଧାରରେ ସେମାନଙ୍କୁ ନିଯୁକ୍ତି ମିଳିଥିଲା, ସେମାନଙ୍କ କାର୍ଯ୍ୟକଳାପ କିପରି ଥିଲା, କେଉଁ କେଉଁ ଅଂଚଳକୁ ସେମାନଙ୍କ ଯିବା ଆସିବା ଥିଲା, ସବୁ ଜାଣିବା ପାଇଁ ଅନୁରାଗ ସେନଙ୍କୁ ପ୍ରଶ୍ନ କରିଥିଲା କ୍ରାଇମବ୍ରାଂଚ । ଅନ୍ୟପଟେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ କେଉଁ ତଥ୍ୟ ଶତ୍ରୁ ରାଷ୍ଟ୍ର ହାତକୁ ଯାଇଛି, ତାର ତଦନ୍ତ ପାଇଁ ବାଲେଶ୍ୱରରେ ପହଂଚିଥିଲା ଏନଆଇଏର ଏକ ସ୍ୱତନ୍ତ୍ର ଟିମ ।