ଗୁଇନ୍ଦା କରାଇଲା ସତର୍କ, ସଂସଦ ଭବନରେ ଖଲିସ୍ତାନୀ ପତାକା ଉଡାଇପାରେ ଏହି ଆତଙ୍କୀ ସଂଗଠନ

281

କନକ ବ୍ୟୁରୋ : ବେଆଇନ ଆତଙ୍କୀ ସଂଗଠନକୁ ନେଇ ଗୁଇନ୍ଦା ବିଭାଗ ସରକାରଙ୍କୁ ସତର୍କ କରାଇଛି । ଗୁଇନ୍ଦା ବିଭାଗ କହିଛି ଯେ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ‘ଶୀଖ୍ ଫର ଜଷ୍ଟିସ’ କୌଣସି ସମୟରେ ସଂସଦ ଭବନରେ ଖଲିସ୍ତାନୀ ପତାକା ଲଗାଇପାରେ । ଏନେଇ ଜାତୀୟ ଗଣମାଧ୍ୟମର ହସ୍ତଗତ ହୋଇଥିବା ଗୁଇନ୍ଦା ସଂସ୍ଥାର ରିପୋର୍ଟ ମୁତାବକ ‘ଶୀଖ ଫର ଜଷ୍ଟିସ’ ଆତଙ୍କବାଦୀ ସଂଗଠନର ନେତା ପନ୍ନୁ ୟୁଟ୍ୟୁବରେ ଏକ ଭିଡିଓ ଜାରି କରିଛି । ଏହି ଭିଡିଓରେ ଦୀର୍ଘଦିନ ହେବ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କୁ ଅପିଲ କରାଯାଇଛି କି ନଭେମ୍ବର ୨୯ ତାରିଖରେ ସଂସଦରେ ଶୀତକାଳୀନ ଅଧିବେଶନ ସମୟରେ ସଂସଦ ଘେରାଉ କର ଓ ଖଲିସ୍ତାନୀ ପତାକା ସଂସଦରେ ଲଗାଅ ।

କେବଳ ସେତିକି ନୁହେଁ ପନ୍ନୁ ଏହି ଭିଡିଓ ମାଧ୍ୟମରେ କହିଛନ୍ତି ଯେ, ଯିଏ ସଂସଦ ଭବନରେ ଖଲିସ୍ତାନୀ ପତାକା ଉଡାଇବ ତାକୁ ଦେଢଲକ୍ଷ ଡଲାର ପୁରସ୍କାର ମିଳିବ । ଏହି ଖବର ପାଇବା ପରେ ଗୁଇନ୍ଦା ବିଭାଗ ଦିଲ୍ଲୀ ପୋଲିସ ସମେତ ସବୁ ଏଜେନ୍ସିକୁ ସତର୍କ ସୂଚନା ଜାରି କରିଛି । ଏହାସହ ସଂସଦ ଭବନ ପାଖା ପାଖି ସମସ୍ତ ଇଲାକାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରିବାକୁ କହିଛି ।

କହିରଖୁ କି , ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ‘ଶୀଖ ଫର ଜଷ୍ଟିସ’ ଚଳିତ ବର୍ଷ ଆରମ୍ଭରୁ ଆନ୍ଦୋଳନକାରୀ କୃଷକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲା । ଆତଙ୍କୀ ସଂଗଠନ ଘୋଷଣା କରିଥିଲା କି ଗଣତନ୍ତ୍ର ଦିବସରେ ଯିଏ ଲାଲ କିଲ୍ଲାରେ ଖଲିସ୍ତାନୀ ପତାକା ଲଗାଇବ ତାଙ୍କୁ ଅଢେଇ ଲକ୍ଷ ଡଲାର ପୁରସ୍କାର ମିଳିବ ।

ସୂଚନା ଥାଉକି ‘ଶୀଖ୍ ଫର ଜଷ୍ଟିସ’ ସମେତ ସମସ୍ତ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ଓ ତାଙ୍କ ସହିତ ଜଡିତ ବେସରକାରୀ ସଂଗଠନଗୁଡିକୁ କେଉଁଠୁ ଅର୍ଥ ଆସୁଛି ତା ଉପରେ ତୀକ୍ଷ୍ଣ ନଜର ରଖିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)